jayashree

ବର୍ଷା ପାଇଁ ଧରାପଡ଼ିଲା ଜଳ ଯୋଗାଣ ବିଭାଗର ଦୁର୍ନୀତି : ସାମାନ୍ୟ ବର୍ଷାରେ ଭାଙ୍ଗିଗଲା ପମ୍ପଘର

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକରେ ଜଳ ଯୋଗାଣ ବିଭାଗ ପ୍ରକଳ୍ପ ନିର୍ମାଣରେ ବ୍ୟାପକ ଭାବରେ ଅନିୟମିତତା ହୋଇଥିବାର ଅଭିଯୋଗ ହୋଇଥିଲା । ନିଯୁକ୍ତି ପାଇଥିବା ଯନ୍ତ୍ରୀ ଠିକାଦାରଙ୍କ ସହ ଗୁପ୍ତ ବୁଝାମଣା କରିଥିବାରୁ କେଉଁଠି ନିର୍ମାଣ ନ ସରି ପାଚେରୀ ଭାଙ୍ଗି ଯାଉଛି ତ ଆଉ କେଉଁଠି ଷ୍ଟାଣ୍ଡ ପୋଷ୍ଟରୁ ଟ୍ୟାପ ଉଭାନ ହୋଇଯାଉଛି ତଥାପି ଜଳ ଯୋଗାଣ ବିଭାଗର କୁମ୍ଭକର୍ଣ୍ଣ ନିଦ୍ରା ଭାଙ୍ଗୁନଥିବାରୁ ଏବେ ନିର୍ମାଣଧୀନ ପମ୍ପ ଘର ଭାଙ୍ଗିଯାଇଛି ତାହା ପୁଣି ସାମାନ୍ୟ ବର୍ଷାରେ । ଦେଓଗାଁ ବ୍ଲକ ସିଂହାମୁଣ୍ଡା ପଞ୍ଚାୟତର ଲକ୍ଷଣପୁର ଗାଁକୁ ପାଇପ ଯୋଗେ ପାନୀୟ ଜଳ ଯୋଗାଇ ଦେବା ପାଇଁ ୩୦ଲକ୍ଷ ଟଙ୍କାରେ ଏକ ପ୍ରକଳ୍ପ ନିର୍ମାଣ କରାଯାଉଛି । ପାଇପ ପୋତା କାମ ସରିଥିବା ବେଳେ ପମ୍ପ ହାଉସ ନିର୍ମାଣ କାମ ଚାଲିଥିଲା । ତେବେ ପମ୍ପ ଘରଟି ଢିପରେ ନିର୍ମାଣ ନ କରି ଖାଲରେ ନିର୍ମାଣ କରିଥିବାରୁ କେମିତି କାମ ହୋଇଛି ଏହି ଗୋଟିଏ ଲଘୁଚାପ ବର୍ଷା ଦେଖାଇଦେଇଛି । ତେବେ ଗାଁ ଲୋକେ ଏହି ସ୍ଥାନରେ ନିର୍ମାଣ ନ କରି ଅନ୍ୟ ସ୍ଥାନରେ ଘର ଓ ଟାଙ୍କୀ ନିର୍ମାଣ କରିବାକୁ ଜଳ ଯୋଗାଣ ବିଭାଗର କନିଷ୍ଠ ଯନ୍ତ୍ରୀ ଓ ଠିକାଦାରଙ୍କୁ କହିଥିଲେ । ହେଲେ ଗାଁ ଲୋକଙ୍କ କଥାକୁ ନ ଶୁଣି ମଟର ଘରଟି ଦବି ଯାଇ ଏବେ ଭାଙ୍ଗିବାକୁ ବସିଛି । ଜଳଯୋଗାଣ ବିଭାଗର ବ୍ଲକ ଅଫିସରେ ତାଲା ଝୁଲୁଥିବାରୁ ଏନେଇ କନିଷ୍ଠ ଯନ୍ତ୍ରୀ ବନିତା ବେହେରାଙ୍କ ମୋବାଇଲକୁ ଯୋଗାଯୋଗ କଲେ ଫୋନ୍ ରିଂ ହେଉଥିଲେ ବି ଉଠାଉ ନଥିବାରୁ ପ୍ରତିକ୍ରିୟା ସମ୍ଭବ ହୋଇପାରିନାହିଁ । ତେବେ ଦେଓଗାଁ ବିଡ଼ିଓ ପ୍ରିୟ ରଞ୍ଜନ କୁମାରଙ୍କୁ ପଚାରିବାରୁ ପ୍ରକଳ୍ପ ସ୍ଥଳକୁ ଯାଇ ଦେଖିବି ବୋଲି କହିଛନ୍ତି । ଏଣୁ ଏଦିଗରେ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।

Leave A Reply

Your email address will not be published.