ପାତାଳି ଶ୍ରୀକ୍ଷେତ୍ରଠାରେ ଆଜି ତିନିଦିଅଁଙ୍କର ଦୁର୍ଲ୍ଲଭ ନାଗାର୍ଜୁନ ବେଶ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ଶ୍ରୀଜଗନ୍ନାଥଙ୍କ ଅନନ୍ୟ ମାଟି ସୁବର୍ଣ୍ଣପୁରର ପାତାଳି ଶ୍ରୀକ୍ଷେତ୍ରଠାରେ ଆଜି ତିନିଦିଅଁଙ୍କର ଦୁର୍ଲ୍ଲଭ ନାଗାର୍ଜୁନ ବେଶ ଅନୁଷ୍ଠିତ ହୋଇଯାଇଛି । ତ୍ରିକୂଟ ପାହାଡର ଛଳିଆ ଶିଖରରେ ଥିବା ତିନି ଠାକୁରଙ୍କୁ ଶ୍ରୀମନ୍ଦିର ରୀତିନୀତି ଓ ପରମ୍ପରାରେ ବେଶ କରାଯାଇ ୧୬ ଅସ୍ତ୍ରରେ ସଜ୍ଜିତ କରାଯାଇଛି । ବଡି ଭୋରରୁ ଦ୍ବାରଫିଟା କରାଯାଇ ଦାରୁଦିଅଁମାନଙ୍କର ମଂଗଳ ଆଳତୀ, ପଂଚୁକ ଆଳତୀ ସହ ସୂର୍ୟ୍ୟ ଅର୍ଘ୍ୟ ଓ ନାନାଦି ଭୋଗ ସମର୍ପଣ ହୋଇଛି । ସୂଚନୀୟ, ଯବନ ଆକ୍ରମଣ କାଳରେ ପୁରୀ ଶ୍ରୀମନ୍ଦିରରୁ ତ୍ରିମୂର୍ତ୍ତିଙ୍କୁ ଜଳପଥରେ ଅଣାଯାଇ ସୁବର୍ଣ୍ଣପୁରର ତ୍ରିକୂଟ ପର୍ବତର ଗୁମ୍ଫାରେ ପାତାଳି କରି ୧୪୪ ବର୍ଷ ଧରି ରଖାଯାଇଥିବା ଶ୍ରୀମନ୍ଦିର ମାଦଳା ପାଞିରେ ଲିଖିତ ଅଛି । ତେବେ, ଶ୍ରୀମନ୍ଦିର ପ୍ରଦତ୍ତ ଦାରୁଦିଅଁ ପୁରୀ ଗଜପତି ଦିବ୍ୟସିଂହ ଦେବଙ୍କ ଦ୍ବାରା ୨୦୧୧ ମସିହା ମାଘମାସରେ ପ୍ରତିଷ୍ଠିତ ହେବାପରେ ଏଥର ପ୍ରଥମଥର ପାଇଁ ପାତାଳି ଶ୍ରୀକ୍ଷେତ୍ର ରେ ନାଗାର୍ଜୁନ ବେଶ ଆୟୋଜିତ ହୋଇଛି । କୋଭିଡ କଟକଣା ଯୋଗୁଁ ସାଧାରଣ ଭକ୍ତଙ୍କୁ ପୀଠକୁ ବାରଣ କରାଯାଇଥିବା ବେଳେ ସୀମିତ ସେବାୟତଙ୍କୁ ନେଇ ନାଗାର୍ଜୁନ ବେଶ ପର୍ବ ଅନୁଷ୍ଠିତ ହୋଇଥିଲା ।

Leave A Reply

Your email address will not be published.