ମର୍ମନ୍ତୁଦ ସଡକ ଦୁର୍ଘଟଣା : ପଛରୁ ପିଟିଲା ଘରୋଇ ବସ୍, ବାପା ଓ ଦୁଇ ଝିଅ ମୃତ, ଅଂଚଳରେ ଉତ୍ତେଜନା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସୋନପୁର ରାସ୍ତା ଗଇଁନ୍ତଳାଠାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଯାଇଛି । ଦୁର୍ଘଟଣାରେ ଜଣେ ବ୍ୟକ୍ତି ଓ ତାଙ୍କ ଦୁଇ ଝିଅଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ଉକ୍ତ ବ୍ୟକ୍ତିଙ୍କ ଘର ପୁଇଁନ୍ତଳା ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀପାଲି ହୋଇଥିବା ବେଳେ ତାଙ୍କ ନାମ ବୀଣାପାଣି ପାଣ୍ଡେ(୪୮) ଓ ଦୁଇ ଝିଅ ଶିଖା ପାଣ୍ଡେ(୧୭) ଓ ରେଖା ପାଣ୍ଡେ(୧୪) ବୋଲିି ଜଣାପଡିଛି । ବିଭତ୍ସ ଦୁର୍ଘଟଣା ପରେ ଅଂଚଳରେ ଉତ୍ତେଜନା ଜାରି ରହିଛି । ସୂଚନାରୁ ପ୍ରକାଶ ଯେ, ମୃତ ବୀଣାପାଣି ପାଣ୍ଡେ ଜଣେ ଚାଷୀ । ସେ ନିଜ ଗ୍ରାମ ବ୍ରାହ୍ମଣୀପାଲିରେ ଚାଷ କାମ କରନ୍ତି । ଆଜି ସକାଳୁ ଦୁଇ ଝିଅଙ୍କ ଆଧାର କାର୍ଡ ଅପଡେଟ୍‌ କରିବା ପାଇଁ ଗାଁରୁ ବାଇକ୍‌ ଯୋଗେ ଗଇଁନ୍ତଳା ସ୍ଥିତ ତହସିଲ କାର୍ଯ୍ୟାଳୟକୁ ଆସୁଥିଲେ । ଠିକ୍‌ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଗଣପତି ନାମକ ଏକ ଘରୋଇ ବସ୍‌ ଭାରସାମ୍ୟ ହାରାଇ ତାଙ୍କ ବାଇକ୍‌କୁ ପଛ ପଟୁ ଧକ୍କା ଦେଇଥିଲ। । ପିତା ବୀଣାପାଣି ଓ ବଡ ଝିଅ ଶିଖା ଛିଟିକି ଦୂରକୁ ପଡିଥିବା ବେଳେ ଘରୋଇ ବସ୍‌ଟି ରେଖାଙ୍କୁ ପ୍ରାୟ ଅଧ କିଲୋମିଟର ଦୂରକୁ ଘୋଷାଡି ନେଇଥିଲା । ବସ୍‌ ଡ୍ରାଇଭର ଘଟଣାସ୍ଥଳରେ ନଅଟକି ସିଧା ପୁଇଁନ୍ତଳା ଥାନକୁ ଯାଇ ଆତ୍ମସମର୍ପଣ କରିଥିବା ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି । ସାନ ଝିଅ ରେଖାଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା । ଗ୍ରାମବାସୀ ପିତା ବୀଣାପାଣି ଓ ବଡ ଝିଅ ଶିଖାଙ୍କୁ ଗୁରୁତର ଅବସ୍ଥାରେ ବଲାଙ୍ଗିର ଭୀମ ଭୋଇ ମେଡିକାଲରେ ଭର୍ତ୍ତି କରିଥିଲେ । ପିତାଙ୍କ ମୁଣ୍ଡରେ ଆଘାତ ସହିତ ଆଭ୍ୟନ୍ତରିଣ କ୍ଷତ ଓ ବଡ ଝିଅର ଗୋଟିଏ ଗୋଡ ଛିଣ୍ଡି ଯାଇ ପ୍ରବଳ ରକ୍ତସ୍ରାବ ହେଉଥିଲା । ଅବସ୍ଥା ସଙ୍କଟାପର୍ଣ୍ଣ ହେବାରୁ ଉଭୟଙ୍କୁ ବୁର୍ଲା ସ୍ଥାନନ୍ତରିତ କରାଯାଇଥିଲା । ତେବେ ବୁର୍ଲା ମେଡିକାଲରେ ଚିକିତ୍ସିତ ଅବସ୍ଥାରେ ଉଭୟଙ୍କ ମୃତ୍ୟୁ ଘଟିଥିବା ଖବର ମିଳିଛି । ଏପଟେ ଦୁର୍ଘଟଣା ସ୍ଥଳରେ ଗ୍ରାମବାସୀ ଦୁର୍ଘଟଣାଗ୍ରସ୍ତଙ୍କୁ ସରକାରୀ ସାହାଯ୍ୟ ଓ ଡ୍ରାଇଭର ଉପରେ କଡା କାର୍ଯ୍ୟାନୁଷ୍ଠାନ ଦାବୀରେ ବଲାଙ୍ଗିର ସୋନପୁର ରାସ୍ତାକୁ ବନ୍ଦ କରି ଦେଇଥିଲେ । ଉପଖଣ୍ଡ ପୋଲିସ ଅଧିକାରୀ ତୋଫାନ ବାଗ, ପୁଇଁନ୍ତଳା ଥାନାଧିକାରୀ ଶ୍ରୀ ପଧାନି ଓ ତହସିଲଦାର ଶ୍ରୀ ଭୋଇ ସଦଳବଳେ ଘଟଣା ସ୍ଥଳକୁ ପହଞ୍ଚି ଲୋକଙ୍କୁ ବୁଝା ସୁଝା କରିଥିଲେ । ଦୁର୍ଘଟଣାଗ୍ରସ୍ତ ପରିବାରକୁ ରେଡକ୍ରସ ପକ୍ଷରୁ ୫୦ହଜାର ସାହଯ୍ୟ ରାଶି ଘୋଷଣା ପରେ ଆନ୍ଦୋଳନକାରୀ ଓହରି ଯାଇଥିଲେ ।

Leave A Reply

Your email address will not be published.

3 + four =