ସଡକ ଦୁର୍ଘଟଣା : ନିୟନ୍ତ୍ରଣ ହରାଇ ପୋଖରୀକୁ ପଶିଗଲା କାର୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଛତାମଖନା ନିକଟସ୍ଥ ଜାମସର ରାସ୍ତା ପାର୍ଶ୍ବରେ ଥିବା ଏକ ପୋଖରୀକୁ ସୋମବାର ରାତିରେ ନିୟନ୍ତ୍ରଣ ହରାଇ କାର୍‌ ପଶି ଯାଇଥିବା ଜଣାପଡିଛି । କାର୍‌ ଭିତରୁ କୌଶଳକ୍ରମେ ସ୍ୱାମୀ ପ୍ରଥମେ ବାହାରି ଆସିଥିଲେ । ସୂଚନା ଅନୁସାରେ, ବଲାଙ୍ଗିର ଜିଲ୍ଲା ବୁଢ଼ୀପଦର ପଞ୍ଚାୟତ ଘୁଷୁରାମୁଣ୍ଡା ଗ୍ରାମର ମୁନ୍ନା ସାହୁ ଏବଂ ତାଙ୍କ ପତ୍ନୀ ସୋମବାର କାର୍‌ ଯୋଗେ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଡାକ୍ତରଖାନାକୁ ଆସିଥିଲେ । କାମ ସାରି ଘରକୁ ଫେରୁଥିବା ସମୟରେ ରାତି ପ୍ରାୟ ୮ଟାରେ ଜାମସର ରାସ୍ତା ପାର୍ଶ୍ବରେ ଥିବା ଏକ ପୋଖରୀକୁ କାର୍‌ଟି ନିୟନ୍ତ୍ରଣ ହରାଇ ପଶି ଯାଇଥିଲା । କୌଣସି ପ୍ରକାରେ ମୁନ୍ନା ଗାଡ଼ି ଭିତରୁ ବାହାରି ଆସିଥିଲେ । ପୋଖରୀ କଡ଼ରେ ବସି ସେ କାନ୍ଦି କାନ୍ଦି ଲୋକଙ୍କୁ ଡାକିଥିଲେ । ଖବର ପାଇ ଦମକଳ ବାହିନୀ ପହଞ୍ଚି ଖୋଜାଖୋଜି କରିଥିଲେ । ରାତି ୧୦ଟା ବେଳେ ପାଣି ଭିତରେ ଗାଡ଼ିକୁ ଠାବ କରାଯାଇଥିଲା । ରାତି ସାଢ଼େ ୧୧ଟାରେ ମହିଳାଙ୍କୁ କାର୍‌ ଭିତରୁ ଉଦ୍ଧାର କରାଯାଇଥିଲା । ତାଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ଚିକିତ୍ସା ପାଇଁ ଭୀମଭୋଇ ମେଡିକାଲ କଲେଜ ଡାକ୍ତରଖାନାକୁ ନିଆଯାଇଛି ।

Leave A Reply

Your email address will not be published.

4 × two =