କୋଭିଡ-୧୯ ନିୟନ୍ତ୍ରଣ କମିଟି ଗଠିତ : ଆସନ୍ତା ସାତ ଦିନ ପାଇଁ ଦିନ ଗୋଟାଏ ପରେ ଦୋକାନ ବଜାର ବନ୍ଦ ଆହ୍ୱାନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜିଲ୍ଲାରେ କରୋନା ପରିସ୍ଥିତି ଅସମ୍ଭାଳ ହେବାକୁ ବସିଛି । ପ୍ରତିଦିନ କାହାର ନା କାହର ମୃତ୍ୟୁବରଣରେ ଅନେକ ପରିବାର ସର୍ବସ୍ୱାନ୍ତ ହେଲେଣି । ଅନ୍ୟ ପଟେ ସରକାର ଓ ପ୍ରଶାସନ ହାତ ବାନ୍ଧି ମୁକଦ୍ରଷ୍ଟା ସାଜିଛନ୍ତି । ଏଭଳି ସ୍ଥିତିରେ ଜନସାଧାରଣ ଏକଜୁଟ ହୋଇ ଜାଗ୍ରତ ହେବା ସହ କରୋନା ସଂକ୍ରମଣର ମୁକାବିଲା ଦାୟିତ୍ୱ ନିଜ ହାତକୁ ନେବାକୁ ହେବ । ସହରରେ କରୋନା ସଂକ୍ରମଣର ଶୃଙ୍ଖଳ ଭାଙ୍ଗିବାକୁ ହେଲେ ସ୍ୱତଃପ୍ରବୃତ୍ତ ଭାବେ କିଛି ଦିନ ପାଇଁ ଦୋକାନ ବଜାର ବନ୍ଦ କରିବାକୁ ହେବ ବୋଲି ନବ ନିର୍ମିତ କୋଭିଡ-୧୯ ନିୟନ୍ତ୍ରଣ କମିଟି ଆହ୍ୱାନ ଦେଇଛି ।
ପ୍ରକାଶ ଯୋଗ୍ୟ ଯେ, ବିଗତ କିଛି ସପ୍ତାହରେ ବଲାଙ୍ଗିରରେ କରୋନା ପରିସ୍ଥିତି ଭୟଙ୍କର ରୂପ ନେଇଛି । ପ୍ରତିଦିନ କାହାର ନା କାହର ଅକାଳ ବିୟୋଗର ଖବର ଆସୁଛି । ଏହି ପରିସ୍ଥିତିର ମୁକାବିଲା ପାଇଁ ଜିଲ୍ଲା ବଣିକ ସଂଘ ସ୍ଥାନୀୟ ସାମ୍ବାଦିକ ଭବନ ଠାରେ ଏକ ସର୍ବଦଳୀୟ ବୈଠକର ଡାକରା ଦେଇଥିଲା । ବଣିକ ସଂଘ ସଭାପତି ତ୍ରିପୁରାରୀ ପାଣିଗ୍ରାହୀଙ୍କ ସଭାପତିତ୍ୱରେ ଆୟୋଜିତ ଏହି ବୈଠକରେ ସହରର ବିଭିନ୍ନ ବ୍ୟବସାୟୀ, ସାମଜିକ ଅନୁଷ୍ଟାନ, ରାଜନୈତିକ ଦଳର କାର୍ୟ୍ୟକତ୍‌ର୍ତ୍ତାମାନେ ଯୋଗଦାନ କରିଥିଲେ । ସହରରେ ବର୍ତ୍ତମାନ କରୋନା ସମସ୍ୟା ଉପରେ ସଂଘ ଉପସ୍ଥିତ ଗୁଣୀଜନଙ୍କ ମତ ମାଗିଥିଲା ।

ଉପସ୍ଥିତ ସଭ୍ୟଗଣ ନିଜ ନିଜ ମତ ବ୍ୟକ୍ତ କରିଥିଲେ । ଶେଷରେ ସର୍ବ ସମ୍ମତି କ୍ରମେ କୋଭିଡ ନିୟନ୍ତ୍ରଣ ପାଇଁ ଏକ କମିଟି ଗଠନ କରାଯାଇ ଆସନ୍ତା ସାତ ଦିନ ପାଇଁ ସହରରେ ଦିନ ଗୋଟଏ ଯାଏଁ ଦୋକାନ ବଜାର ଖୋଲାଯିବା ସହ ଅବଶିଷ୍ଟ ସମୟରେ ଦୋକାନ ବଜାର ବନ୍ଦ କରାଯିବା ନେଇ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ଏହା ଦ୍ୱାରା ସହରରେ କିଛିକାଂଶରେ ସଂକ୍ରମଣର ଶୃଙ୍ଖଳକୁ ଭଙ୍ଗା ଯାଇ ପାରିବ । ତେବେ ଏହି ସମୟରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ଓ ସେବା ଯେପରି ସମସ୍ତେ ପାଇ ପାରିବେ ତାହା ପ୍ରତି ବିଶେଷ ଧ୍ୟାନ ଦିଆଯିବା ନେଇ ସମ୍ମତି ପ୍ରକାଶ ପାଇଥିଲା । ଆଜି ସନ୍ଧ୍ୟାଠାରୁ କମିଟି ସହରରେ ଦିନ ଗୋଟିଏ ବେଳେ ଦୋକାନ ବଜାର ବନ୍ଦ କରିବା ପାଇଁ ଜନ ସାଧାରଣଙ୍କୁ ଆହ୍ୱାନ ଦେବା ସହ ଆସନ୍ତା କାଲିଠାରୁ ଦୋକାନ ବଜାର ବନ୍ଦ କରିବା ପାଇଁ ନିବେଦନ କରିବ ବୋଲି କମିଟିର ଆବାହକ ଶ୍ରୀ ପାଣିଗ୍ରାହୀ କହିଛନ୍ତି । ନବ ନିର୍ମିତ ଏହି କୋଭିଡ-୧୯ ନିୟନ୍ତ୍ରଣ କମିଟିର ଆବାହକ ତ୍ରିପୁରାରୀ ପାଣିଗ୍ରାହୀ ଥିବା ବେଳେ କମିଟିରେ ରତନ ମହାରଣା, ମନୀଷ ମିଶ୍ର, ପ୍ରଦ୍ୟୁତ ମିଶ୍ର, ସୋମନାଥ ମିଶ୍ର, ରବି ନାରାୟଣ ବହିଦାର, ମହେଶ ମଲଙ୍ଗ, ଲୋଟସ ଷଡ଼ଙ୍ଗୀ, ସଂଗ୍ରାମ ବହିଦାର, ବିନୋଦ କାଲସାଏ ଓ ସୋମ୍ୟରଞ୍ଜନ ମିଶ୍ର ସଦସ୍ୟ ଭାବେ ବିବେଚିତ ହୋଇଥିବା ସୂଚନା ରହିଛି ।

Leave A Reply

Your email address will not be published.