
ପଦ୍ମପୁର, (ନିରୋଜ କୁମାର ପାଣୀ) : ସ୍ଥାନୀୟ ଅଞ୍ଚଳ ମହାବିଦ୍ୟାଳୟ ପରିସରରେ ଦ୍ୱାଦଶ ଆନ୍ତର୍ଜାତୀୟ ଯୋଗ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଖଗେଶ୍ୱର ଦାଶଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନ ଓ ସୁପରିଚାଳନାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଉପଲକ୍ଷେ ଆୟୋଜିତ ସ୍ୱତନ୍ତ୍ର ଶିବିରକୁ ଜାତୀୟ ସେବା ଯୋଜନା, ଯୁବ ରେଡକ୍ରସ ଏବଂ ଏନ୍.ସି.ସି.ର ମିଳିତ ଆନୁକୂଲ୍ୟରେ ଆୟୋଜନ କରାଯାଇଥିବା ବେଳେ ଏଥିରେ ବିଭିନ୍ନ ବିଭାଗର ସ୍ୱେଚ୍ଛାସେବୀ ଓ କ୍ୟାଡେଟମାନେ ସକ୍ରିୟ ଅଂଶଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ନୂଆପାଲି, ପଦ୍ମପୁର ସ୍ଥିତ ନବ ପ୍ରଭାତ ଗୁରୁକୁଳ ଆଶ୍ରମର ପ୍ରଧାନ ଆଚାର୍ଯ୍ୟ ଡ. ବୃହସ୍ପତି ଶାସ୍ତ୍ରୀ ମୁଖ୍ୟ ସମ୍ପାଦକ ଓ ସମ୍ପଦ ବ୍ୟକ୍ତି ଭାବେ ଯୋଗଦେଇ ଉପସ୍ଥିତ ସମସ୍ତଙ୍କୁ ଯୋଗର ଆବଶ୍ୟକତା ଏବଂ ମହତ୍ତ୍ୱ ସମ୍ପର୍କରେ ମାର୍ଗଦର୍ଶନ କରିଥିଲେ । ସେ ନିଜ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସ୍ୱେଚ୍ଛାସେବୀମାନଙ୍କୁ ବିଭିନ୍ନ ଆସନ ଓ ପ୍ରାଣାୟାମର ଅଭ୍ୟାସ କରାଇବା ସହ ଦୈନନ୍ଦିନ ଜୀବନରେ ଯୋଗକୁ ସାମିଲ କରି କିଭଳି ନିରୋଗ ଓ ମାନସିକ ସ୍ତରରେ ଶାନ୍ତ ରହିହେବ, ସେ ବିଷୟରେ ବୁଝାଇଥିଲେ । ଏହି ସମଗ୍ର କାର୍ଯ୍ୟକ୍ରମକୁ ସଫଳ କରିବାରେ ଅଧ୍ୟାପିକା ଝୁନୁ ପରିଡ଼ା, ଅଧ୍ୟାପକ ଭୁବନେଶ୍ୱର ବରିହା, ବୁନି ସାହୁ, ସଞ୍ଜୟ ତିଗା, ଜୟ କୁମାର ଭୁଏ, ରବୀନ୍ଦ୍ର ନାଏକ, ଅନନ୍ତ ମଲ୍ଲିକ ଏବଂ ସଦାନନ୍ଦ ସାହୁ ପ୍ରମୁଖ ସମସ୍ତ କାର୍ଯ୍ୟ ପରିଚାଳନାରେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ । ଶେଷରେ ଉପସ୍ଥିତ ସମସ୍ତ ସ୍ୱେଚ୍ଛାସେବୀ ଓ କର୍ମଚାରୀମାନେ ଦେଶ ତଥା ସମାଜର ମଙ୍ଗଳ ପାଇଁ ନିୟମିତ ଯୋଗ କରିବାକୁ ସଂକଳ୍ପ ନେଇଥିଲେ ।