
ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲାସ୍ତରୀୟ ବିଶ୍ୱ ରେଡ଼କ୍ରସ ଦିବସ ସ୍ଥାନୀୟ ସୁଭଦ୍ରା ଶକ୍ତି କେନ୍ଦ୍ର ଠାରେ ପାଳିତ ହୋଇଯାଇଛି । ଅତିରିକ୍ତ ଜିଲ୍ଲାପାଳ ପବିତ୍ର ବେହେରାଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଏଡିଏମ୍ ଡ. ବିଜୟାନନ୍ଦ ସେଠୀ ଯୋଗଦାନ କରିଥିଲେ । ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଏସ୍ପି ଗୁଣନିଧି ମଲ୍ଲିକ ଏବଂ ଅତିରିକ୍ତ ଜିଲ୍ଲାଧିକାରୀ ପ୍ରବୀର କୁମାର ପଣ୍ଡା, ଜିଲ୍ଲା ଜରୁରିକାଳୀନ ଅଧିକାରୀ ସବିନା ଭୋଇ ଯୋଗଦାନ କରି ମତବ୍ୟକ୍ତ କରିଥିଲେ । ପ୍ରାରମ୍ଭରେ ରେଡକ୍ରସ ପତାକା ଉତ୍ତୋଳନ କରିବା ସହ ପ୍ରତିଷ୍ଠାତା ଜିନ୍ ହେନେରି ଡୁନାଣ୍ଟଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ଚଳିତ ବର୍ଷର ପ୍ରସଙ୍ଗ ମାନବିକତାରେ ଏକତାକୁ ଆଧାର କରି ମାନବ ସେବା, ସହଯୋଗ ଓ ଭାତୃତ୍ୱର ସନ୍ଦେଶ ଦିଆଯାଇଥିଲା । ଏହି ଅବସରରେ ରକ୍ତଦାନର ଗୁରୁତ୍ୱ ଓ ସମାଜସେବାରେ ରେଡକ୍ରସର ଭୂମିକା ବିଷୟରେ ମତପ୍ରକାଶ ପାଇଥିଲା । କାର୍ଯ୍ୟକ୍ରମକୁ ଜିଲ୍ଲା ରେଡକ୍ରସ ସଂପାଦିକା ସସ୍ମିତା ପ୍ରଧାନ ପରିଚାଳନା କରିବା ସହ ଜିଲ୍ଲା ରେଡକ୍ରସର ବାର୍ଷିକ ବିବରଣୀ ପଠନ କରିଥିଲେ । ଚଳିତ ବର୍ଷ ବିଷ୍ଣୁ ପ୍ରସାଦ କେଡିଆ, ଶଙ୍କର ପ୍ରସାଦ ଜୈନ, ରବିଚନ୍ଦ୍ର ପଶାୟତ, ରାମନାରାୟଣ ଦାଶ ପ୍ରମୁଖ ଚାରି ଜଣଙ୍କୁ ରେଡକ୍ରସ ପେଟ୍ରନ ଭାବରେ ଅନ୍ୟାନ୍ୟ ୩୧ ଜଣ ସ୍ୱେଚ୍ଛାସେବୀ ରେଡକ୍ରସର ଆଜୀବନ ସଦସ୍ୟତା ଗ୍ରହଣ କରିଥିଲେ । ବିଗତ ବର୍ଷ ରେଡକ୍ରସ ପାଣ୍ଠି ଯୋଗାଇ ଥିବାରୁ ଜିଲ୍ଲାପାଳ କାର୍ଯ୍ୟାଳୟର ଅଦାଲତି ଶାଖା, ମୁଖ୍ୟ ବେସାମରିକ ଯୋଗାଣ ଅଧିକାରୀ ଓ ଜିଲ୍ଲା ଅବକାରୀ ନିରୀକ୍ଷକଙ୍କୁ ରେଡକ୍ରସ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ତା ଛଡା ଗତ ବର୍ଷ ବୈଶାଖ ମେଳା ହରିଶଙ୍କର ଠାରେ ସାମାଜିକ ସେବା ପ୍ରଦାନ କରିଥିବା ସ୍ୱେଚ୍ଛାସେବୀମାନଙ୍କୁ ପ୍ରଶଂସା ପତ୍ର ପ୍ରଦାନ କରାଯାଇଥିଲା । ଏହି ଅବସରରେ ବଲାଙ୍ଗିର ଜିଲ୍ଲା ରକ୍ତକେନ୍ଦ୍ର ଠାରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମରେ ସଂଜୟ ମିଶ୍ର, ଜୟନ୍ତ ବେହେରା, ଚନ୍ଦନ ରଥ, ଇଶାନେଶ୍ୱର ମିଶ୍ର ଓ ସଂଗୀତା ଦାଶଙ୍କ ସମେତ ଯୁବ ତଥା ଜୁନିୟର ରେଡକ୍ରସର ସ୍ୱେଚ୍ଛାସେବୀମାନେ ସହଯୋଗ କରିଥିଲେ ।