
ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ରେଞ୍ଜ ଅଞ୍ଚଳରେ ଏବେ ୨୩ ଟିକିଆ ବଣୁଆ ହାତୀପଲ ଆତଙ୍କ ଜାରି ରଖିଥିବା ବେଳେ ଶୁକ୍ରବାର ଜଙ୍ଗଲି ଭାଲୁ ଆକ୍ରମଣରେ ୨ଜଣ ଗୁରୁତର ଆହତ ହୋଇଥିବା ଚାଞ୍ଚଲ୍ୟ ସୃଷ୍ଟି କରିଛି । ଏହି ରେଞ୍ଜ ଅନ୍ତର୍ଗତ ବାରବନ୍ଧ ନିକଟବର୍ତ୍ତୀ କୁଟନିଝରଣ ଗ୍ରାମର କର ନାଗ ଓ ରାନୀସିଲେଟ ଗ୍ରାମର ଜନ୍ମଜୟ ମାଝୀ ନାମକ ଦୁଇଜଣ ବ୍ୟକ୍ତି ଅପରାହ୍ନରେ ଜଙ୍ଗଲକୁ ଯାଇଥିବା ବେଳେ ଏକ ଜଙ୍ଗଲି ଭାଲୁ ଆକ୍ରମଣ କରିଥିବାରୁ ଉଭୟେ ଗୁରୁତର ଆହତ ହୋଇଛନ୍ତି । ଉଭୟଙ୍କୁ ଉଦ୍ଧାର କରି ପ୍ରଥମେ ମୁରିବାହାଲ ଓ ଅବସ୍ଥା ଗୁରୁତର ଥିବାରୁ ବଲାଙ୍ଗିର ଭୀମଭୋଇ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି । ଉଭୟଙ୍କ ଦେହର ବହୁ ସ୍ଥାନରେ ଭାଲୁ ଆକ୍ରମଣ କରି ଲହୁଲୁହାଣ କରିଦେଇଥିବାରୁ ଅବସ୍ଥା ସଙ୍ଗୀନ ରହିଛି । ବନବିଭାଗ କର୍ମଚାରୀମାନେ ପହଞ୍ଚି ପ୍ରାଥମିକ ତଦନ୍ତ କରିଥିବା ବେଳେ ଉଭୟଙ୍କୁ ଉଚ୍ଚତର ଚିକିତ୍ସା ସୁବିଧା ସହ ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି ।