jsm

ନିଷ୍ଠା ପରିବାରର ୧୭ତମ ପ୍ରତିଷ୍ଠା ଦିବସ ଓ ବିଶ୍ୱ ରକ୍ତଦାତା ଦିବସ ଅବସରରେ ୬୨ ୟୁନିଟ୍ ରକ୍ତ ସଂଗୃହୀତ

csstore

ବରଗଡ, (ମୁନ୍ନା ସାହୁ) : ବରଗଡ଼ ବ୍ଲକ ଅନ୍ତର୍ଗତ ଖଣ୍ଡହଥା ଗ୍ରାମ ପଞ୍ଚାୟତର ଆନ୍ଧ୍ର କ୍ୟାମ୍ପଠାରେ ଗଢ଼ିଉଠିଥିବା ଜିଲ୍ଲାର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ନିଷ୍ଠା ପରିବାରର ୧୭ତମ ପ୍ରତିଷ୍ଠା ଦିବସ ଏବଂ ବିଶ୍ୱ ରକ୍ତଦାତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିରର ଆୟୋଜନ କରାଯାଇଥିଲା । ରକ୍ତଦାନ ଶିବିରକୁ ମୁଖ୍ୟବକ୍ତା ଡ଼. ସୁଜିତ ପୃଷେଠ ଏବଂ ସମ୍ମାନିତ ଅତିଥି ଭାବରେ ଡାକ୍ତର ଶ୍ରୀନିବାସ ଦେବତା, ବିଶିଷ୍ଠ ସମାଜସେବୀ ଗୌରହରି ମିଶ୍ର ଫିତା କାଟି ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଥିଲେ । ମୁଖ୍ୟ ଅତିଥି ବରଗଡ଼ ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀ ଶିବିରରେ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ । ଏହି ରକ୍ତଦାନ ଶିବିରରୁ ବରଗଡ଼ ରକ୍ତଭଣ୍ଡାର ଦ୍ୱାରା ୩୧ ୟୁନିଟ୍ ଏବଂ ବୁର୍ଲା ରକ୍ତଭଣ୍ଡାର ଦ୍ୱାରା ୩୧ ୟୁନିଟ୍ ସହ ସର୍ବମୋଟ ୬୨ ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା । ପ୍ରତିଷ୍ଠା ଦିବସ ଅବସରରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ବରଗଡ଼ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ର ଅଧ୍ୟକ୍ଷ ଅଶ୍ୱିନୀ ଷଡ଼ଙ୍ଗୀ, ସମ୍ମାନିତ ଅତିଥି ଭାବେ ଡାକ୍ତର ଶ୍ରୀନିବାସ ଦେବତା ଏବଂ ମୁଖ୍ୟ ବକ୍ତା ଭାବେ ଆଇଆଇଏମ୍ ସମ୍ବଲପୁରର ପ୍ରଫେସର ଡ଼. ସୁଜିତ ପୃଷେଠ ଯୋଗଦେଇ ସମାଜସେବା, ରକ୍ତଦାନ ଏବଂ ଯୁବଶକ୍ତିର ଭୂମିକା ସମ୍ପର୍କରେ ନିଜର ମତାମତ ବ୍ୟକ୍ତ କରିଥିଲେ । ଏହି ଅବସରରେ ସମାଜସେବା କ୍ଷେତ୍ରରେ ବିଶେଷ ଅବଦାନ ପାଇଁ “ନିଷ୍ଠା ସେବା ସମ୍ମାନ” ପ୍ରଦାନ କରାଯାଇଥିଲା । କଟକର ଅଭିମନ୍ୟୁ ଦାସ, ବରଗଡ଼ର ରତନ ପୂଜାହାରୀ, ବରଗଡ଼ ଫିଜିକାଲ୍ ଏକାଡେମୀର ପ୍ରତିଷ୍ଠାତା ସୁରେଶ ଦାଶଙ୍କୁ ଉପଢୌକନ ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ବର୍ଦ୍ଧିତ କରିବା ସହ ସିଏମ୍ ଟ୍ରଫି ଚାମ୍ପିୟନ୍ ଟିମ୍ ବରଗଡ଼କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା । ସଭାରେ ନିଷ୍ଠା ପରିବାରର ସଭାପତି ଅଶ୍ୱିନୀ ତ୍ରିପାଠୀ ସଭାପତିତ୍ୱ କରିବା ସହ ଅନୁଷ୍ଠାନର ଉଦ୍ଦେଶ୍ୟ ଓ କାର୍ଯ୍ୟକଳାପ ସମ୍ପର୍କରେ ଆଲୋକପାତ କରିଥିଲେ । ମଞ୍ଚ ପରିଚାଳନା ସହ ସଂପାଦକ ମଦନ ମୋହନ ଦାଶ କରିଥିବା ବେଳେ ଉପ ସଭାପତି ସଚି ପଣ୍ଡା ଏବଂ ମହିଳା ଶାଖା ସଂଯୋଜିକା ଶ୍ରୀମତୀ ତ୍ରିପୁରା ସୁହୁଲା ନିଜର ମୂଲ୍ୟବାନ ବକ୍ତବ୍ୟ ପ୍ରଦାନ କରିଥିଲେ । ସମ୍ପାଦକ ଲୋକନାଥ ସାହୁ ବିବରଣୀ ପାଠ କରିଥିବା ବେଳେ ସଚି ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମର ସଫଳ ପରିଚାଳନାରେ ନିଷ୍ଠା ପରିବାରର କୋଷାଧ୍ୟକ୍ଷ ଶ୍ୟାମ ସୁନ୍ଦର ସାହୁ, ରକ୍ଷପାଳ ସାହୁ, ବିଦ୍ୟାଧର ଭୋଇ, ଜୟନ୍ତ ପ୍ରଧାନଙ୍କ ସମେତ ଅନ୍ୟାନ୍ୟ କର୍ମକର୍ତ୍ତାମାନେ ସକ୍ରିୟ ସହଯୋଗ କରିଥିଲେ । ରକ୍ତଦାନ ଶିବିର ଓ କାର୍ଯ୍ୟକ୍ରମକୁ ସଫଳ କରିବାରେ ସହଯୋଗ କରିଥିବା ସମସ୍ତ ରକ୍ତଦାତା, ସହଯୋଗୀ, ଶୁଭେଚ୍ଛୁ ଏବଂ ଅଞ୍ଚଳବାସୀଙ୍କୁ ନିଷ୍ଠା ପରିବାର ପକ୍ଷରୁ ଅନ୍ତରିକ ଧନ୍ୟବାଦ ଓ କୃତଜ୍ଞତା ଜଣାଯାଇଛି ।

yuvodaya
Leave A Reply

Your email address will not be published.