
ବାଲିଗୁଡ଼ା, (ସଞ୍ଜୟ କୁମାର ପାଣିଗ୍ରାହୀ) : ବିଶ୍ୱ ରକ୍ତଦାତା ଦିବସ ଅବସରରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବାଲିଗୁଡ଼ାର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ “ବିପଦର ବନ୍ଧୁ” ର ସମସ୍ତ ସଦସ୍ୟ,ସଦସ୍ୟା ପୂର୍ଣ୍ଣ ସହଯୋଗ କରିବା ସହ ସ୍ୱେଛାକୃତ ରକ୍ତଦାନ କରିଥିଲେ । ସ୍ଥାନୀୟ ବିଏସ୍ଏଫ ଜବାନ, ଉପଖଣ୍ଡ ଚିକିତ୍ସାଳୟରେ କାର୍ଯ୍ୟରତ ଡାକ୍ତର, କର୍ମଚାରୀଙ୍କ ସମେତ ଅଞ୍ଚଳର ବହୁ ଯୁବକ ଯୁବତୀ ଏଥିରେ ସାମିଲ ହୋଇ ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ । ଏହି ଶିବିରରେ ସମୁଦାୟ ୬୫ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିବା ଜଣାପଡ଼ିଛି । ସବୁବେଳେ ଆବଶ୍ୟକ ରୋଗୀଙ୍କୁ ରକ୍ତଦାନ କରି ଲୋକଙ୍କ ଜୀବନ ବଞ୍ଚାଉଥିବା ବିପଦର ବନ୍ଧୁ ସଙ୍ଗଠନର ସଦସ୍ୟ,ସଦସ୍ୟା ମାନଙ୍କୁ ଉତ୍ସାହିତ କରିବା ପାଇଁ ଉପଖଣ୍ଡ ଚିକିତ୍ସାଳୟ ପକ୍ଷରୁ ସମ୍ମାନିତ କରିବା ସହ ମାନପତ୍ର ଦିଆଯାଇଛି । ରୋଗୀ ସେବାରେ ଉପଖଣ୍ଡ ଚିକିତ୍ସାଳୟରେ କାର୍ଯ୍ୟରତ ସମସ୍ତ କର୍ମଚାରୀଙ୍କୁ ସହଯୋଗ କରୁଛୁ ଏବଂ ଆବଶ୍ୟକ ରୋଗୀଙ୍କୁ ରକ୍ତଦାନ କରିଆସୁଛୁ ଏହି ସହଯୋଗ ଆଗାମୀ ଦିନରେ ମଧ୍ୟ ଜାରୀ ରହିବ ବୋଲି କହିଛନ୍ତି ବିପଦର ବନ୍ଧୁ ସଙ୍ଗଠନର ସଦସ୍ୟ ସୁନିଲ୍ ପାତ୍ର ଓ ସଦସ୍ୟା ତେଜଶ୍ୱିନୀ ନାୟକ । ଅନ୍ୟପଟେ ବିପଦର ବନ୍ଧୁ ସଙ୍ଗଠନର ସଦସ୍ୟ,ସଦସ୍ୟା ଆମକୁ ସବୁବେଳେ ସହଯୋଗ କରିବା ସହ ସ୍ୱେଚ୍ଛାକୃତ ଭାବେ ରୋଗୀଙ୍କୁ ରକ୍ତଦାନ କରୁଛନ୍ତି । ଆମେ ସେମାନଙ୍କୁ ସାଧୁବାଦ ଜଣାଇବା ସହ ଆଗାମୀ ଦିନରେ ମଧ୍ୟ ତାଙ୍କ ସହଯୋଗ କାମନା କରୁଛୁ ବୋଲି ଉପଖଣ୍ଡ ଚିକିତ୍ସାଳୟର ଡାକ୍ତର ଏସ୍. ରାମ ପାତ୍ର ପ୍ରକାଶ କରିଛନ୍ତି ।