ଜିଲ୍ଲାସ୍ତରୀୟ ଆନ୍ତର୍ଜାତିକ ହ୍ୱିଲ ଚେୟାର ଦିବସ ପାଳିତ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଜିଲ୍ଲା ଭିନ୍ନକ୍ଷମ ପୁନର୍ବାସ କେନ୍ଦ୍ରଠାରେ ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲାସ୍ତରୀୟ ଆନ୍ତର୍ଜାତିକ ହ୍ୱିଲ ଚେୟାର ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସୁବର୍ଣ୍ଣପୁର ଜିଲ୍ଲାପାଳ ଅନ୍ୟା ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଭିନ୍ନକ୍ଷମମାନଙ୍କ ପାଇଁ ଉଦ୍ଦିଷ୍ଟ ବିଭିନ୍ନ ଯୋଜନା ଓ ସୁବିଧା ସୁଯୋଗ ଉପରେ ମତବ୍ୟକ୍ତ କରିବା ସହ ସମସ୍ତ ଦିବ୍ୟାଙ୍ଗଙ୍କୁ ସମାଜର ମୁଖ୍ୟ ସ୍ରୋତରେ ପହଂଚାଇବା ନିମନ୍ତେ ସବୁ ସ୍ତରରେ ଆବଶ୍ୟକ ଯତ୍ନବାନ ହେବାକୁ ପରାମର୍ଶ ଦେଇଛନ୍ତି । ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଚିକିତ୍ସା ଅଧିକାରୀ ଡ. ଦୁର୍ଗାଦତ୍ତ ଦାଶ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଅସ୍ଥିଶଲ୍ୟ ବିଶେଷଜ୍ଞ ଡ. କୃତିବାସ ସୁବୁଦ୍ଧି, ଜିଲ୍ଲା କ୍ରୀଡା ଅଧିକାରୀ ଚିତ୍ତରଞ୍ଜନ ମିଶ୍ର ପ୍ରମୁଖ ଯୋଗଦେଇଥିଲେ । ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଗୋବିନ୍ଦ ବଲ୍ଲଭ ଷଡଙ୍ଗୀ ସ୍ଵାଗତ ଭାଷଣ ପ୍ରଦାନ କରିବା ସହିତ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଉପରେ ପୁଙ୍ଖାନୁପୁଙ୍ଖ ଭାବରେ ଆଲୋକପାତ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ତିନି ଜଣ ଯଥା ଜୁଲି ଦେହେରୀ, ନନ୍ଦିନୀ ନାୟକ ଏବଂ ଭୂମିସୂତା କୁମ୍ଭାରଙ୍କୁ ସିଲେଇ ମେସିନ୍ ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମରେ ଜିଲ୍ଲାର ୨୭ ଜଣଙ୍କୁ ହ୍ୱିଲ ଚେୟାର ପ୍ରଦାନ କରାଯାଇଥିବା ବେଳେ ୫ ଜଣଙ୍କୁ ତିନି ଚକିଆ ସାଇକେଲ ପ୍ରଦାନ କରାଯାଇଥିଲା । ମ୍ୟୁଜିକ୍ ଚେୟାର (ହ୍ୱିଲ ଚେୟାର), ପେଗ୍ ବୋର୍ଡ ପଜଳ, ରିଚିଂ ଦ ଟାର୍ଗେଟ ଏବଂ ରଙ୍ଗଲି ପ୍ରତିଯୋଗିତାରେ କୃତି ଭିନ୍ନକ୍ଷମ ପ୍ରତିଯୋଗୀମାନଙ୍କୁ ପୁରସ୍କାର ସହିତ ମାନପତ୍ର ପ୍ରଦାନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଭିନ୍ନକ୍ଷମମାନଙ୍କ ପାଇଁ ସ୍ୱାସ୍ଥ୍ୟ ଶିବିର ଆୟୋଜନ କରାଯାଇଥିଲା । ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ, ତରଭା ପ୍ରଭାସ କୁମାର କର୍ଣ୍ଣ ସଭା ସଂଯୋଜନା କରିଥିଲାବେଳେ ଉଲୁଣ୍ଡା ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ କ୍ଷୀରୋଦ ଭୂଷଣ ରାୟ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ଅବସରରେ ବିଭିନ୍ନ ଜିଲ୍ଲାସ୍ତରୀୟ ଅଧିକାରୀ, ବୁଦ୍ଧିଜୀବୀ, ସାମ୍ବାଦିକ,ସମସ୍ତ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ, ସମସ୍ତ କନିଷ୍ଠ ସହାୟକ, ସମସ୍ତ କାର୍ଯ୍ୟକ୍ରମ ସହାୟକ, ଜିଲ୍ଲା ଭିନ୍ନକ୍ଷମ ପୁନର୍ବାସ କେନ୍ଦ୍ର, ରେଆର୍‌, ଏନ୍.ଆର୍‌.ଡି.ସି, ଜିଲ୍ଲା ଭିନ୍ନକ୍ଷମ କଲ୍ୟାଣ ବିଦ୍ୟାଳୟ , ବ୍ଲାଇଣ୍ଡ ଏଣ୍ଡ ଡିବ ଡମ୍ବ ସ୍କୁଲ, ତରଭାର କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିବାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.

six + seven =