
ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ବାରଖମା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଦିଗିପଡି ଗାଁରେ ରାସ୍ତାକୁ ଲାଗି ଏକ କେନାଲ ରହିଛି । ପ୍ରତିବର୍ଷ ବର୍ଷା ଦିନରେ ଏହି କେନାଲରେ ପ୍ରବଳ ମାତ୍ରାରେ ପାଣି ଯିବା ଦ୍ୱାରା ମାଟି ଅତଡ଼ା ଖସି ଖସି ରାସ୍ତା ଧୋଇ ହୋଇ ଯାଉଛି, ଯାହାକି, ଚଳିତ ବର୍ଷ ଲଗାଣ ବର୍ଷା ଦ୍ୱାରା ମଧ୍ୟ ମାଟି ଧୋଇ ହୋଇ ବିରାଟ ଗର୍ତ୍ତ ସୃଷ୍ଟି ହୋଇଛି । ଯାହାଫଳରେ ଜନସାଧାରଣଙ୍କ ଚଲାପଥ ରାସ୍ତା ବିପଦ ସଂକୁଳ ଅବସ୍ଥାରେ ରହିଛି, ଏହି ରାସ୍ତା ଦେଇ ପ୍ରାୟ ତିନଟି ରାଜସ୍ୱ ଗ୍ରାମ ଦିଗିପଡି, ଗପକେତା ଓ ଟକଲା ପଦର ଗ୍ରାମର ପ୍ରାୟ ୩୦୦ରୁ ଅଧିକ ଜନସାଧାରଣ ପ୍ରତିଦିନ ଯାତାୟାତ କରିଥାନ୍ତି । ରାସ୍ତାରେ ମାଟି ଧୋଇ ଘାଇ ସୃଷ୍ଟି ହୋଇ ବଡ଼ ଖାଲ ହୋଇ ଥିବାରୁ ଅନେକ ଗୃହ ପାଳିତ ପଶୁ ମାନଙ୍କ ଜୀବନ ମଧ୍ୟ ଚାଲି ଯାଇଛି, ଏହି ରାସ୍ତାରେ ସ୍କୁଲ ପିଲାଠୁ ଆରମ୍ଭ କରି ସମସ୍ତ ଗ୍ରାମବାସୀମାନେ ଜୀବନକୁ ବାଜି ଲଗାଇ ବିପଦ ସଂଙ୍କୁଳ ଅବସ୍ଥାରେ ଯାତାୟାତ କରିଥାନ୍ତି । ଏ ସମ୍ପର୍କ ରେ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ବାରମ୍ବାର ଗ୍ରାମବାସୀମାନେ ଅଭିଯୋଗ ଜଣାଇଥିଲେ ସୁଦ୍ଧା ଏପର୍ଯ୍ୟନ୍ତ କୌଣସି ସୁଫଳ ମିଳିନାହିଁ । ଏହି ସମସ୍ୟା ସମ୍ପର୍କରେ ଅବଗତ ହେବା ପରେ ବାରଖମା ପଞ୍ଚାୟତ ଜନପ୍ରତିନିଧି ପରମାନନ୍ଦ ନାୟକ ନିଜେ ଦିଗିପଡି ଗାଁକୁ ଯାଇ ବିପଦ ସଂକୁଳ ଅବସ୍ଥାରେ ଥିବା ରାସ୍ତା, କେନାଲର ବିଭିନ୍ନ ସମସ୍ୟା ଦେଖି ବ୍ଲକ ପ୍ରଶାସନ ଓ ଜିଲ୍ଲା ପ୍ରଶାସନଙ୍କୁ ଅବଗତ କରାଇ ରାସ୍ତା ଓ କେନାଲ ନିର୍ମାଣ ଯେପରି ଶୀଘ୍ର ହୋଇ ପାରିବ, ସେ ସମ୍ପର୍କରେ ପଦକ୍ଷେପ ନେବେ ବୋଲି ପ୍ରକାଶ କରିଥିଲେ ।