pakka

ବନ୍ଧ ପୁନଃ ଉଦ୍ଧାର ଦାବୀରେ ୱାର୍ଡ ନଂ ୯ ଓ ୧୦ ବାସୀଙ୍କ ଧାରଣା

bbehera
  • ଦାବୀପୁରଣ ନହେଲେ ରାଜରାସ୍ତାକୁ ଓହ୍ଲାଇବେ ଜନତା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ୱାର୍ଡ ନଂ ୯ ସ୍ଥିତ ବେହେରାପାଲି ବନ୍ଧ ଓ ୱାର୍ଡ ନଂ ୧୦ ସ୍ଥିତ ଗେଟ୍‌ସରୋବର ବନ୍ଧର ସଫେଇ ଓ ପୁନଃ ଉଦ୍ଧାର ଦାବୀରେ ଆଜି ଉଭୟ ୱାର୍ଡବାସୀ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି । ପ୍ରାୟ ଦୁଇ ଦଶନ୍ଧି ପୂର୍ବରୁ ଏହି ବନ୍ଧର ପାଣି ଜନସାଧାରଣଙ୍କ ବ୍ୟବହାରରେ ଆସୁଥିଲା । କିନ୍ତୁ ବଲାଙ୍ଗିର ପୌରବିଭାଗର ବାରମ୍ବାର ଅଣଦେଖା ଫଳରେ ଏହି ଦୁଇ ବନ୍ଧ ଆଉ ପଶୁ ପକ୍ଷୀ ଉପଯୋଗୀ ହୋଇ ମଧ୍ୟ ରହିନାହିଁ । ସରକାର ବନ୍ଧକଣ୍ଟାର ଉନ୍ନତିକରଣ ପାଇଁ ଅର୍ଥ ମଞ୍ଜୁର କରିଥିଲେ ସୁଦ୍ଧା ସ୍ଥାନୀୟ ପୌର ପରିଷଦ ବନ୍ଧର ଉନ୍ନତିକରଣ ନକରି କେବଳ ଅର୍ଥ ବାଟମାରଣା କରିବାର ବିଭିନ୍ନ ଉପାୟ କରୁଛି ବୋଲି କ୍ରିୟାନୁଷ୍ଠାନ କମିଟି ଅଭିଯୋଗ କରିଛି । କ୍ରିୟାନୁଷ୍ଠାନ କମିଟି ଆହୁରି କହିଛି ଯେ, ପଙ୍କ ଉଦ୍ଧାର ଅଭାବରୁ ବଲାଙ୍ଗିର ଇତିହାସର ମୁକସାଖି କୁହାଯାଉଥିବା ଗେଟ୍‌ସରୋବର ବନ୍ଧ ପ୍ରାୟତଃ ପୋତି ହୋଇଯିବା ଅବସ୍ଥାକୁ ଆସିଗଲାଣି । ରାସ୍ତାଘାଟ ବନ୍ଧକଣ୍ଟା ସଫେଇ ଦାୟିତ୍ୱରେ ଥିବା ପୌରବିଭାଗ ଖୋଦ ବନ୍ଧମାନଙ୍କରେ ମଇଳା ଅବର୍ଜନା ପକାଇବା ଯୋଗୁଁ ବିଭିନ୍ନ ବନ୍ଧ ଆବର୍ଜନା କୁଣ୍ଡରେ ପରିଣତ ହେବାକୁ ବସିଲାଣି । ଗେଟ୍‌ସରୋବର ବନ୍ଧ ଉପରେ ପୌରାଂଚଳ ଅନ୍ତର୍ଗତ ୱାର୍ଡ ନଂ.୧୦, ୧୧, ୧୨, ୧୩ର ବାସିନ୍ଦା ନିର୍ଭର କରନ୍ତି । ବନ୍ଧ ପୋତି ହୋଇଯିବା ଏବଂ ଏହାର ଜଳ ବ୍ୟବହାର ଉପଯୋଗୀ ନ ହେବା ଯୋଗୁଁ ଲୋକେ ହନ୍ତସନ୍ତ ହେଉଛନ୍ତି । ୱାର୍ଡ ନଂ ୯ ସ୍ଥିତ ବେହେରାପାଲି ବନ୍ଧର ଅବସ୍ଥା ମଧ୍ୟ ଅନୁରୂପ । ଏହି ବନ୍ଧର ଆଖପାଖରେ ଖୋଦ ବଲାଙ୍ଗିର ପୌର ବିଭାଗ ମଇଳା ଆବର୍ଜନା ପକାଇ ଏହାକୁ ଅବର୍ଜନା କୁଣ୍ଡରେ ପରିଣତ କରିଛି । ଉକ୍ତ ବନ୍ଧଟି ଧିରେ ଧିରେ ସଂକୁଚିତ ହେବା ସହ ନିଜର ସତ୍ତା ହରାଇଛି । କେଉଁ ପୁରୁଣା କାଳରୁ ଏହି ଜଳାଶୟ ଦ୍ୱୟ ବଲାଙ୍ଗିରବାସୀଙ୍କୁ ଜଳ ପ୍ରଦାନ କରିବା ସହ ସହରର ଜଳ ନିଷ୍କାଷନରେ ମଧ୍ୟ ମୁଖ୍ୟ ଭୂମିକା ଗ୍ରହଣ କରୁଥିଲା । ଏହି ଦୁଇ ଜଳାଶୟର ପଙ୍କ ଉଦ୍ଧାର କରାଯିବା ସହିତ ସଠିକ ଭାବେ ଉନ୍ନତିକରଣ କରାଗଲେ ଏହି ବନ୍ଧ ଦ୍ୱୟ ଖରାମାସରେ ଅଂଚଳବାସୀଙ୍କ ଅବଶ୍ୟକତା ପୁର୍ତ୍ତି କରିବା ସହ ବର୍ଷାମାସରେ ମଧ୍ୟ ଅତିରିକ୍ତ ଜଳ ନିଷ୍କାଷନରେ ସହାୟକ ହେବ । ତେଣୁ ତୁରନ୍ତ ବନ୍ଧମାନଙ୍କ ପଙ୍କ ଉଦ୍ଧାର କରାଯିବା ସହ ଏହି ଉଭୟ ବନ୍ଧର ପୁନରୁଦ୍ଧାର କାର୍ଯ୍ୟ ଶୀଘ୍ର ଆରମ୍ଭ କରିବା ପାଇଁ କ୍ରିୟାନୁଷ୍ଠାନ କମିଟି ଦାବୀ କରିବା ସହ ଜନସାଧାରଣଙ୍କ ନ୍ୟାୟୋଚିତ ଦାବୀକୁ ଅଣଦେଖା କଲେ ଲୋକେ ଏହି ଦାବୀକୁ ନେଇ ରାଜରାସ୍ତାକୁ ଓହ୍ଲାଇବେ ବୋଲି ସତର୍କବାଣୀ ଶୁଣାଇଛି । ଆଜିର ଏହି କାର୍ଯ୍ୟକ୍ରମରେ ୱାର୍ଡ ନଂ ୯ର ସମୀର କୁମ୍ଭାର, ରାଜେନ୍ଦ୍ର ସାଏ, ରାଜକୁମାର ପଟେଲ, ଖଗେଶ୍ୱର ବିଶ୍ୱାଲ, ଅନ୍ତର୍ଯ୍ୟାମୀ ସାଏ, କୈଲାସ ସାଏ, ଜିତେନ୍ଦ୍ର ପଟେଲ, ପ୍ରଶାନ୍ତ ରାଏ, ରଘୁନାଥ ମୁଗ୍ରୀ, ବନୋଦ ରାଏ, ଉମାଶଙ୍କର ବିଭାର, ୱାର୍ଡ ନଂ୧୦ର ଓମପ୍ରକାଶ କୁମ୍ଭାର, ସିତାରାମ କୁମ୍ଭାର, ଅଶୋକ ହରପାଲ, ଦିଲିପ କୁମ୍ଭାର, ମୁନା ହରପାଲ, ଖଟୁ ନନ୍ଦ, ସୁବଲ ବାଗ, ଓମ ନାଏକ, ମହେନ୍ଦ୍ର ବାରିକ, ଅମିତ କୁମ୍ଭାର, ସ୍ୱାଧିନ ନାଗ, ଜୟଶ୍ରୀ ସୁନା ଓ ରିନା ପୋଢ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

19 − eight =