pakka

ବଲାଙ୍ଗିର ମନ୍ଦିର ସମୂହର ଅବ୍ୟବସ୍ଥା ଓ ଅବହେଳାକୁ ନେଇ ଗଣ ଧାରଣା

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର ସମଲେଶ୍ୱରୀ ମନ୍ଦିର, ପାଟଣେଶ୍ୱରୀ ମନ୍ଦିର ଓ ଗୋପାଳଜୀ ମନ୍ଦିରର ଅବ୍ୟବସ୍ଥା, ଅବହେଳାର ପ୍ରତିବାଦରେ ଏବଂ ମନ୍ଦିର ଗୁଡିକର ନବୀକରଣ ଦାବୀ କରି ଗାନ୍ଧୀ ପ୍ରତିମୂର୍ତ୍ତି ତଳେ ତିନି ଜଣ ସୂଚନା କର୍ମୀ ପ୍ରତିବାଦ କରି ଶାନ୍ତିପୂର୍ଣ୍ଣ ଭାବେ ଧାରଣା ଦେଇଥିଲେ । ପ୍ରଶାନ୍ତ ମହାକୁର, ଶମ୍ଭୁ ପ୍ରସାଦ ଶତପଥି ଓ ବିକାଶ ସା ମନ୍ଦିରମାନଙ୍କର ଭଗ୍ନ ଜରାଜୀର୍ଣ୍ଣ ଅବସ୍ଥାର ବିରୋଧ କରିଥିଲେ । ମନ୍ଦିର ଗୁଡିକ ବର୍ତ୍ତମାନ ବିପଦସଙ୍କୁଳ ଅବସ୍ଥାରେ ରହିଥିବା ବେଳେ ଏହାର ମରାମତି ଓ ନବୀକରଣ ପାଇଁ ସରକାର କୌଣସି ପଦକ୍ଷେପ ନନେବା ବଲାଙ୍ଗିରବାସୀଙ୍କୁ ବ୍ୟଥିତ କରିଛି ବୋଲି କହିଥିଲେ । ବାରମ୍ବାର ଏହିସବୁ ସମସ୍ୟା ସମ୍ପୃକ୍ତ ଅଧିକାରୀ ଓ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇ ନଥିବାରୁ ବାଧ୍ୟ ହୋଇ ସେମାନେ ଧାରଣାରେ ବସିଥିଲେ ବୋଲି କହିଛନ୍ତି । ସମଲେଶ୍ୱରୀ ମନ୍ଦିରର ଛାତ ଭୁଷୁଡିବା ପୂର୍ବରୁ ବିଭିନ୍ନ ଅନୁଷ୍ଠାନ ଏହାର ମରାମତି ଦାବୀ କରି ଆସୁଥିଲେ । କିନ୍ତୁ ଶେଷରେ ଏହାର ଛାତ ଭୁଷୁଡି ଗଲା । ଦୈବୀ କୃପାରୁ କେହି ମୃତାହତ ହୋଇ ନଥିଲେ । ପରେ ମରାମତି ଆଖ୍ୟା ଦିଆଯାଇ କେବଳ ଟିଣ ଚଦର ଛାଉଣି କରାଯାଇଛି । ଏହାର ମରାମତି କାର୍ଯ୍ୟ ପାଇଁ ୨୦୨୨ ମସିହାରେ ୧୦ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଥିବା ତଥ୍ୟ ସୂଚନା ଅଧିକାର ଆଇନ ଯୋଗେ ପ୍ରଶାନ୍ତ ମହାକୁରଙ୍କୁ ସ୍ଥାନୀୟ ଦେବୋତ୍ତର କାର୍ଯ୍ୟାଳୟରୁ ପ୍ରଦାନ କରାଯାଇଛି । କିନ୍ତୁ ୧୦ ଲକ୍ଷ ଟଙ୍କା ଏଠାରେ ଏହି ବର୍ଷ ଖର୍ଚ୍ଚ କରାଯାଇ ନଥିବା ଅଭିଯୋଗ ଶ୍ରୀ ମହାକୁର ଆଣିଛନ୍ତି । ପୁନଶ୍ଚ ମନ୍ଦିର ଗୁଡିକର ସୁରକ୍ଷା ଓ ପରିଚାଳନା ପାଇଁ ଦେବୋତ୍ତର ଉପଦେଷ୍ଟା କମିଟି ଗଠନ କରାଯାଇଥାଏ । ଏହି ଉପଦେଷ୍ଟା କମିଟି ବିଭିନ୍ନ ସମୟରେ ବୈଠକ କରି ମନ୍ଦିର ଗୁଡିକ ବିଷୟରେ ବିଭିନ୍ନ ନିଷ୍ପତ୍ତି ନେଇଥାନ୍ତି । କିନ୍ତୁ ୨୦୦୮ ମସିହା ପରେ ଦୀର୍ଘ ୧୨ ବର୍ଷ ଧରି ଏହି କମିଟିର ବୈଠକ ହୋଇ ନଥିବା ତଥ୍ୟ ଖୋଦ ଦେବୋତ୍ତର କାର୍ଯ୍ୟାଳୟ ସୂଚନା କର୍ମୀ ଶମ୍ଭୁ ଶତପଥିଙ୍କୁ ପ୍ରଦାନ କରିଛି । ଏହି ତଥ୍ୟ ସ୍ପଷ୍ଟ କରିଛି ଯେ, ମନ୍ଦିର ଗୁଡିକର ରକ୍ଷଣା ବେକ୍ଷଣ ପାଇଁ ଦେବୋତ୍ତର ବିଭାଗର କେତେ ଦୂର ଆନ୍ତରିକତା ରହିଛି ବୋଲି ଶତପଥି ପ୍ରଶ୍ନ କରିଛନ୍ତି । ତଥ୍ୟରୁ ପ୍ରକାଶ ଯେ, ଗୋପାଲଜୀ ମନ୍ଦିର ପରିସରରେ ୨୯ଟି ଦୋକାନ ଗୃହ ରହିଥିବା ବେଳେ ବାର୍ହିକ ଆୟ ହେଉଛି ମାତ୍ର ୧,୪୮,୨୦୦ଟଙ୍କା । ସମଲେଶ୍ୱରୀ ମନ୍ଦିର ପରିସରରେ ୨୩ଟି ଦୋକାନ ଗୃହରୁ ବାର୍ଷିକ ଆୟ ମାତ୍ର ୧ ଲକ୍ଷ ୩୦ ହଜାର ୨୦୦ ଟଙ୍କା ଥିବା ବେଳେ ପାଟଣେଶ୍ୱରୀ ମନ୍ଦିର ପରିସରରେ ରହିଥବା ୨ଟି ଦୋକାନ ଗୃହରୁ ବାର୍ଷିକ ୧୪ ହଜାର ୪୦୦ ଟଙ୍କା ଆୟ ହେଉଛି । ଡେଲିମାର୍କେଟ ରୋଡରେ ରହିଥିବା ୨୪ଟି ଦୋକାନ ଗୃହରୁ ମାତ୍ର ୧ ଲକ୍ଷ ୭୭ ହଜାର ୬୦୦ ଟଙ୍କା ଆଦାୟ ହେଉଛି । ସେହିପରି ରାଜଶ୍ରୀ ମାର୍କେଟର ୩୭ଟି ଦୋକାନ ଗୃହରୁ ୩ ଲକ୍ଷ ୧୮ ହଜାର ୬୦୦ଟଙ୍କା ଆଦାୟ ହେଉଛି । ସିନେମା ହଲ୍‌ ରୋଡର ୩୩ଟି ଦୋକାନ ଗୃହରୁ ୨ ଲକ୍ଷ ୫୪ ହଜାର ୪୦୦ ଟଙ୍କା ଓ ରାଜଶ୍ରୀ ଧର୍ମଶାଳାର ୮ଟି କୋଠରୀରୁ ୪୮ ହଜାର ଟଙ୍କା ଏହିଭଳି ସର୍ବମୋଟ ବାର୍ଷିକ ୧୦ ଲକ୍ଷ ୯୧ ହଜାର ୪୦୦ ଟଙ୍କା ଆଦାୟ ହେଉଛି । ଏହିସବୁ ମୋଟ ୧୩୮ଟି ଦୋକାନ ଗୃହ ବଲାଙ୍ଗିର ଦେବୋତ୍ତର ବିଭାଗ ଅଧୀନରେ ରହିଛି । ଏହି ୧୩୮ଟି ଦୋକାନ ଗୃହକୁ ଶାଗମାଛ ଦରରେ ଭଡା ଦିଆଯାଇ ବଲାଙ୍ଗିର ଦେବୋତ୍ତର ବିଭାଗର ପ୍ରାୟ ୧୨ରୁ ୧୫ କୋଟି ଟଙ୍କା ରାଜସ୍ୱ କ୍ଷତି କରାଯାଇଥିବା ଅଭିଯୋଗ ଆଣାଯାଇଛି । ଯେଉଁ ୧୦ ଲକ୍ଷ ୯୧ ହଜାର ୪୦୦ ଟଙ୍କା ବାର୍ଷିକ ହାରରେ ଭଡା ସୂତ୍ରରେ ଦେବୋତ୍ତର ବିଭାଗକୁ ମିଳିଛି ତାକୁ ମଧ୍ୟ ମନ୍ଦିର ଗୁଡିକର ରକ୍ଷାଣାବେକ୍ଷଣ ପାଇଁ ଖର୍ଚ୍ଚ କରାଯାଉ ନାହିଁ । ଫଳରେ ମନ୍ଦିର ଗୁଡିକର ଅବସ୍ଥାରେ ଅବନତି ଘଟିଛି ବୋଲି ଗୁରୁତର ଅଭିଯୋଗ କରିଛନ୍ତି ।

ଠିକ ଏହିପରି ବିକାଶ ସା ମଧ୍ୟ ମନ୍ଦିର ଓ ଦେବୋତ୍ତର ଅଧିନସ୍ଥ ଷ୍ଟଲକୁ ନେଇ ଅନେକ ସୂଚନା ମାଗିଥିଲେ, ଯାହା କି ଗଣମାଧ୍ୟମକୁ ପ୍ରଦାନ କରିଥିଲେ । ମନ୍ଦିର ମରାମତି ନାଁରେ ଦୁର୍ନୀତି କରାଯାଉଥିବା ଅଭିଯୋଗ ମଧ୍ୟ ସୂଚନା କର୍ମୀମାନେ ଆଣିଛନ୍ତି । ସମସ୍ତ ମନ୍ଦିରର ଗମ୍ଭୀରା ଘର ଗୁଡିକରେ ଫାଟ ସୃଷ୍ଟି ହୋଇଛି । ଦଶହରା ପର୍ବ ଆଗକୁ ଅଛି । ତୁରନ୍ତ ପ୍ରଶାସନ ବିହିତ ପଦକ୍ଷେପ ନେବାକୁ ସୂଚନା କର୍ମୀମାନେ ଦାବୀ କରିଛନ୍ତି । ଏହି ଧାରଣା ସ୍ଥଳକୁ ଅନ୍ୟାନ୍ୟ ଅନେକ ଅନୁଷ୍ଠାନର କର୍ମକର୍ତ୍ତା ଓ ବ୍ୟକ୍ତି ବିଶେଷ ଯାଇ ସମର୍ଥନ ଜଣାଇବା ସହିତ ଧାରଣାରତ ସୂଚନା କର୍ମୀଙ୍କୁ ଉତ୍ସାହିତ କରିଥିଲେ । ଶେଷରେ ଧାରଣାରତ ସୂଚନା ଅଧିକାର କର୍ମୀଙ୍କ ପାଖକୁ ବଲାଙ୍ଗିର ତହସିଲଦାର ଅମୃତଲାଲ ବେହେରା ପହଞ୍ଚି ଦାବୀପତ୍ର ଗ୍ରହଣ କରିବା ସହ ଧାରଣା ପ୍ରତ୍ୟାହୃତ କରିବା ପାଇଁ ନିବେଦନ କରିଥିଲେ । ଏହା ସହ ଉପଜିଲ୍ଲାପାଳଙ୍କ ସହ ଫୋନ ଯୋଗେ ଯୋଗାଯୋଗ କରି କଥା କରେଇଥିଲେ । ଉପଜିଲ୍ଲାପାଳ ନିଜେ ଆଲୋଚନା କରିବା ପାଇଁ ଧାରଣାରତ ସୂଚନା ଅଧିକାର କର୍ମୀମାନଙ୍କ ସହ ଆଲୋଚନା କରିବେ ବୋଲି ପ୍ରତିଶୃତି ଦେଲା ପରେ ଧାରଣାରୁ ଉଠିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ନାଗରିକ ମଞ୍ଚର ସଭାପତି ପ୍ରଭାକର ମିଶ୍ର, ମନୋରଞ୍ଜନ ପୁରୋହିତ, ମନୋରଞ୍ଜନ ମିଶ୍ର ଗୋପବନ୍ଧୁ ଶତପଥି ଓ ବିରଞ୍ଚି ହୋତା ପ୍ରମୁଖ ଉପସ୍ଥିତ ଥିଲେ ।

jay balangir
Leave A Reply

Your email address will not be published.

2 + 1 =