- ପଶ୍ଚିମାଂଚଳ ପ୍ରତି ଅବହେଳା କଂସର ରାଜ୍ୟ ହୋଇପାରେ ଦୁଇଫାଳ : ନରସିଂହ
ବଲାଙ୍ଗିର, (ଦେବାଶିଷ ମିଶ୍ର) : ଭାଲେର ଧନୁଯାତ୍ରା କଂସ ଦରବାରରେ ଯୋଗ ଦେଇଛନ୍ତି ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର । ସେ କହିଛନ୍ତି ଯେ, ବର୍ତ୍ତମାନର ରାଜନୈତିକ ପରିସ୍ଥିତିରେ ଦେଖାଯାଉଛି ରାଜକୋଷ ସିଂହ ଭାଗ ଖର୍ଚ୍ଚ କେବଳ ଉପକୂଳବର୍ତ୍ତି ଅଂଚଳରେ ହେଉଛି । ଦେବାଳୟର ବିକାଶ ହେଉ କି ରାସ୍ତାଘାଟର ବିକାଶ, ଜଳସେଚନ ହେଉ କି ଶିକ୍ଷାର ବିକାଶ, ସ୍ୱାସ୍ଥ୍ୟ ହେଉ କି ରାସ୍ତାଘାଟର ବିକାଶ ଏ ସବୁଥିରେ ପଶ୍ଚିମ ଓଡିଶାକୁ କ୍ରମାଗତ ଅବହେଳା କରାଯାଉଛି । ତେଣୁ ଆଜିର ଏହି କଂସ ଦରବାରରେ ମହାରାଜ କଂସାକୁ ମୁଁ ଚେତାବନୀ ଦେଉଛି ଯଦି ଏପରି ଅବହେଳା ଜାରି ରହେ ତେବେ ନିଶ୍ଚିତ ଭାବରେ କଂସ ମହାରାଜଙ୍କ ରାଜ୍ୟ ଦୁଇଫାଳ ହୋଇ ଲୋକେ କୋସଲ ରାଜ୍ୟ ଗଠନ କରିପାରନ୍ତି ବୋଲି ୧୦୪ ବର୍ଷର ଭାଲେର ଧନୁଯାତ୍ରାର କଂସ ଦରବାରର ଅନ୍ତିମ ଦିନରେ ରାଜ ଅତିଥି ଭାବେ ଯୋଗଦେଇ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ସରକାରଙ୍କ ବିରୁଦ୍ଧରେ ବିଷୋଦଗାର କରିଛନ୍ତି । ସେ ଏହି ମର୍ମରେ କହିଛନ୍ତି ଯେ, ଆମ ଅଂଚଳର ଛାତ୍ର, ଯୁବକ, କୃଷକ ଶ୍ରମିକ ସମସ୍ତେ ଅବହେଳିତ । ଏହି ସରକାର ରାଜ୍ୟରେ ୨୫ ବର୍ଷ ରାଜୁତି କଲାଣି ଛୁଆ ଜନ୍ମ ହୋଇ ପାଠପଢି ଏବେ ବେକାର ହୋଇ ବୁଲୁଛି । ଠିକ୍ ସେହିପରି କେନ୍ଦ୍ରରେ ଥିବା ସରକାର ମଧ୍ୟ ରୋଜଗାର ସୃଷ୍ଟି କରିବାରେ ବିଫଳ । ଆମ ଅଂଚଳର ଲକ୍ଷ ଲକ୍ଷ ଯୁବକ ରୋଜଗାର ନ ପାଇ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି । ଏହି ସମସ୍ତ ଦିଗକୁ ଯଦି ସରକାର ଶୀଘ୍ର ସମାଧାନ ନ କରନ୍ତି ତେବେ ଲୋକେ ନିଶ୍ଚିତ ଭାବରେ ଅଲଗା ରାଜ୍ୟ ଗଠନ କରିବେ ବୋଲି ସେ କହିଥିଲେ । ଏଠାରେ ସୂଚନାଯୋଗ୍ୟ ଯେ, ଏହି ୧୦୪ ବର୍ଷର ଧନୁଯାତ୍ରା ଏ ବର୍ଷ କୋସଲି ଭାଷାରେ ଅଭିନୀତ ହେଉଛି । କୋସଲି ଭାଷାର ଅଭିନୟ ଯୋଗୁଁ ଏ ଅଂଚଳର ଲୋକେ ଉତ୍ସାହିତ ହୋଇ ଅନେକ ସଂଖ୍ୟାରେ ଏହି ଧନୁଯାତ୍ରାକୁ ଉପଭୋଗ କରୁଛନ୍ତି । ଧନୁଯାତ୍ରାର ଯାହା କିଛି ଅଭାବ ଅସୁବିଧା ଅଛି ସେ ସବୁକୁ ମଧ୍ୟ ରାଜ୍ୟ ସରକାର ବହନ କରନ୍ତୁ ବୋଲି ବିଧାୟକ ଶ୍ରୀ ମିଶ୍ର ଦାବି କରିଥିଲେ । ଆଜି ଧନୁଯାତ୍ରାର ଅନ୍ତିମ ଦିବସରେ ମହାରାଜ କଂସ ଶ୍ରୀକୃଷ୍ଣଙ୍କୁ ଧନୁଯାତ୍ରାର ଯୋଗ ଦେବା ପାଇଁ ଅନୁରୋଧ ପଠାଇଥିଲେ ଏବଂ ଧନୁଯାତ୍ରାରେ ଶ୍ରୀକୃଷ୍ଣ ସାମିଲ ହୋଇ ଅତ୍ୟାଚାରୀ କଂସ ନିଧନ କରିଥିଲେ । ଏହି ୭ ଦିନ ବ୍ୟାପି ଧନୁଯାତ୍ରାର ସଫଳ ରୂପାୟନରେ ଏହାର ସଭାପତି ବ୍ରହ୍ମାନନ୍ଦ ନାଏକ, ଉପ-ସଭାପତି ପ୍ରଦୀପ ନନ୍ଦ, ସଂପାଦକ ସୁମନ୍ତ ନାଏକ, ସହ-ସଂପାଦକ ଜୟକୃଷ୍ଣ ନାଏକ ଏବଂ କୋଷାଧ୍ୟକ୍ଷ ବିଧୁଶେଖର ନନ୍ଦ ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ । ଆଜିର ମଂଚରେ ଅନ୍ୟାନ୍ୟ ଅତିଥି ଭାବରେ ଭବାନିପାଟଣା ଜିଲ୍ଲା କଂଗ୍ରେସ ସଭାପତି ଇନ୍ଦ୍ରଜିତ ମହାକୁର, ଉମାକାନ୍ତ ସାହୁଙ୍କ ସମେତ ଅନ୍ୟନ୍ୟ କର୍ମକର୍ତ୍ତା ଉପସ୍ଥିତ ଥିଲେ । ଧନୁଯାତ୍ରାର ପ୍ରତ୍ୟେକ ଦିନ ଆଖପାଖ ଅଂଚଳରୁ ପ୍ରାୟ ୧୦ହଜାର ଦର୍ଶକ ଉପଭୋଗ କରୁଥିଲେ ।