ରାଉରକେଲା ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ ପକ୍ଷରୁ ବିଶ୍ୱ ଦର୍ଶନ ଦିବସ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟର ଦର୍ଶନଶାସ୍ତ୍ର ବିଭାଗ ପକ୍ଷରୁ ବିଶ୍ୱ ଦର୍ଶନ ଦିବସ ପାଳନ ହୋଇଯାଇଛି । ବିଶ୍ୱରେ ଦାର୍ଶନିକ ଓ ସମୀକ୍ଷାତ୍ମକ ଚିନ୍ତନକୁ ସକଳ ବିଦ୍ୟାର ଆଧାର ରୂପେ ଗୃହୀତ ହୋଇଛି । ପ୍ରତିବର୍ଷ ଯୁନେସ୍କୋ ପକ୍ଷରୁ ନଭେମ୍ବର ମାସର ତୃତୀୟ ଗୁରୁବାରକୁ ବିଶ୍ୱ ଦର୍ଶନ ଦିବସ ଭାବେ ପାଳନ କରାଯାଇଥାଏ । ଏହି କ୍ରମରେ ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରଫେସର ଡ଼ଃ ବିଜୟ କୁମାର ବେହେରାଙ୍କ ସଭାପତିତ୍ୱରେ ଏହି କାର୍ଯ୍ୟକ୍ରମ ପାଳନ ହୋଇଛି । ଏହି ଅବସରରେ ପ୍ରାକ୍ତନ ଦର୍ଶନ ବିଭାଗର ପ୍ରାଧ୍ୟାପକ ଏଞ୍ଜେଲୁସ୍‌ ଡୁଙ୍ଗ୍‌ଡୁଙ୍ଗ୍‌ ମାନବ ଜୀବନରେ ଦର୍ଶନର ସ୍ଥାନ ସମ୍ପର୍କରେ ଉଦ୍‌ବୋଧନ ଦେଇଥିଲେ । ସମ୍ପ୍ରତି ବିଶ୍ୱର ବିଭିନ୍ନ ଘଟଣାରେ କିଭଳି ମାନବିକତା ଓ ମାନବୀୟ ମୂଲ୍ୟବୋଧର ସଙ୍କଟ ଦେଖାଦେଇଛି ଓ ସଚେତନ ମନୁଷ୍ୟମାନଙ୍କର ଏହା ପ୍ରତି କଣ ଦାୟିତ୍ୱବୋଧ ରହିଛି ବୋଲି କହିଥିଲେ । ଏହା ସହିତ ଶ୍ରୀ ଡୁଙ୍ଗ୍‌ଡୁଙ୍ଗ୍‌ ପୁରାତନ ଦର୍ଶନ, ଗ୍ରୀକ୍‌ ଦର୍ଶନ, ପାଶ୍ଚାତ୍ୟ ଦର୍ଶନ ଓ ପ୍ରାଚ୍ୟ ଦର୍ଶନ ସମ୍ପର୍କରେ ଏକ ତୁଳନାତ୍ମକ ଆଲୋଚନା କରିଥିଲେ । ଦର୍ଶନ ବିଭାଗ ମୁଖ୍ୟ ରଶ୍ମିରେଖା ପଲ୍‌ ସ୍ୱାଗତ ଅଭିଭାଷଣ ଦେବା ସହ ଦିବସ ପାଳନର ଆବଶ୍ୟକତା ସମ୍ପର୍କରେ ସୂଚନା ଦେଇଥିଲେ । ପ୍ରଫେସର ଡ଼ଃ ବେହେରା ଆମ ସମସ୍ତଙ୍କ ଜୀବନ କୌଣସି ନା କୋଣସି ଦର୍ଶନ ମାଧ୍ୟମରେ ପରିଚାଳିତ ହୋଇଥାଏ ବୋଲି କହିବା ସହ ସମଗ୍ର ବିଶ୍ୱରେ ଭାରତୀୟ ଦର୍ଶନ ସମ୍ପର୍କରେ ଆଲୋଚନା କରିଥିଲେ । ଏହି ଅବସରରେ ବିଭାଗର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ‘ଦର୍ଶନର ଦର୍ଶନ’ ଶୀର୍ଷକ ଏକ କ୍ଷୁଦ୍ର ନାଟିକା ପରିବେଷଣ ମାଧ୍ୟମରେ ମଣିଷ ଜୀବନରେ ଦର୍ଶନର ଆବଶ୍ୟକତା ଓ ଗୁରୁତ୍ୱ ସମ୍ପର୍କରେ ବାର୍ତ୍ତା ଦିଆଯାଇଥିଲା । କାର୍ଯ୍ୟକ୍ରମ ପରିଚାଳନାରେ ବିଭାଗୀୟ ଅଧ୍ୟାପିକା ଡ଼ଃ ପଙ୍କଜିନୀ ବେହେରାଙ୍କ ସହିତ ବିଭାଗୀୟ ଛାତ୍ରଛାତ୍ରୀମାନେ ସହଯୋଗ କରିଥିଲେ । ଶେଷରେ ବିଭାଗୀୟ ଅଧ୍ୟାପିକା ବ୍ରତତୀ ସାହୁ ସମସ୍ତଙ୍କ ଧନ୍ୟବାଦ ଦେଇଥିଲେ । ଏଥିରେ ମହାବିଦ୍ୟାଳୟର ବିଭିନ୍ନ ବିଭାଗର ଅଧ୍ୟାପକ ଓ ଅଧ୍ୟାପିକାମାନଙ୍କ ସହିତ ବିଭିନ୍ନ ବର୍ଗର ଛାତ୍ରଛାତ୍ରୀମାନେ ଯୋଗ ଦେଇଥିଲେ ।

Leave A Reply

Your email address will not be published.