csstore

କେଟିଏଚ୍‌ ଟ୍ରଷ୍ଟ ପକ୍ଷରୁ ଶୋକସଭା ଓ ରିଲିଫ ପାଣ୍ଠିକୁ ଦାନ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ଜଣାଶୁଣା ଅସ୍ଥିଶଲ୍ୟ ଚିକିତ୍ସାଳୟ କେଟିଏଚ୍‌ ଡାକ୍ତରଖାନାର ପରିଚାଳନା ମଣ୍ଡଳୀ କେଟିଏଚ୍‌ ଟ୍ରଷ୍ଟ ପକ୍ଷରୁ ବାହାନଗା ରେଳ ଦୁର୍ଘଟଣାରେ ମୃତ ବ୍ୟକ୍ତିଙ୍କ ପାଇଁ ଗଭୀର ଶୋକ ପ୍ରକାଶ ପାଇଛି । ଡାକ୍ତରଖାନା ପରିସରରେ ଏକ ଶୋକ ସଭାର ଆୟୋଜନ ଅବସରରେ ମୃତ ବ୍ୟକ୍ତିଙ୍କ ଆତ୍ମାର ସଦ୍‌ଗତି ଏବଂ ଆହତଙ୍କ ଆଶୁ ଆରୋଗ୍ୟ କାମନା କରାଯାଇଛି । ଏହି ଅବସରରେ ଟ୍ରଷ୍ଟର ଅଧ୍ୟକ୍ଷ ତଥା ଡାକ୍ତରଖାନାର ପରିଚାଳନା ମୁଖ୍ୟ ଡାକ୍ତର ୟୁ.ସି. ଜେନା ବକ୍ତବ୍ୟ ରଖି ଏହି ଅଭାବନୀୟ ଦୁର୍ଘଟଣା ପାଇଁ ଉଦ୍‌ବେଗ ପ୍ରକାଶ ସହିତ ଆହତଙ୍କ ସେବା ଏବଂ ମୃତ ବ୍ୟକ୍ତିଙ୍କ ଉତ୍ତରାଧିକାରୀଙ୍କ ସହାୟତା କଳ୍ପେ ସମସ୍ତେ ଅକୁଣ୍ଠ ଚିତ୍ତରେ ଆଗେଇ ଆସିବାକୁ ପରାମର୍ଶ ଦେଇଥିଲେ । ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟ ସରକାରଙ୍କ ପଦକ୍ଷେପର ପ୍ରଶଂସା ତଥା ଘଟଣା ସ୍ଥଳରେ ପହଞ୍ଚି ଥିବା ସମସ୍ତ ନେତୃବୃନ୍ଦ ଏବଂ ସେବାକାରୀଙ୍କୁ ସାଧୁବାଦ ଦେବା ସହିତ କେଟିଏଚ୍‌ ଟ୍ରଷ୍ଟ ତରଫରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୨୦ ହଜାର ଟଙ୍କା ଦାନ କରାଯାଇଥିବା ଡା. ଜେନା ଘୋଷଣା କରିଥିଲେ । ଏହି କାର୍ଯ୍ୟକ୍ରମରେ ବହୁ ଡାକ୍ତର, ସେବିକା ଓ କର୍ମଚାରୀ ଏବଂ ଟ୍ରଷ୍ଟ ସଦସ୍ୟ ଉପସ୍ଥିତ ଥିଲେ । ଅଗ୍ରଣୀ କେଟିଏଚ୍‌ ଡାକ୍ତରଖାନାର ଏହି ପ୍ରେରଣାମୂଳକ ପଦକ୍ଷେପକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି ।

jayashree
Leave A Reply

Your email address will not be published.