ସମର୍ଥକଙ୍କ ସହ ବିଜେଡିରେ ଯୋଗଦେଲେ ଦଳିତ ନେତା ଦ୍ରୋଣ କୁମ୍ଭାର ଓ ବେବି କୁମ୍ଭାର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର ଜଣାଶୁଣା ଚେହେରା ତଥା ଦଳିତ ନେତା ଦ୍ରୋଣ କୁମ୍ଭାରଙ୍କ ବିଜେଡିକୁ ଘରବାହୁଡା ହୋଇଛି । ଦ୍ରୋଣ କୁମ୍ଭାର ଓ ତାଙ୍କ ପତ୍ନୀ ବେବି କୁମ୍ଭାର ତାଙ୍କର ୨୦୦ ସମର୍ଥକଙ୍କ ସହ ବିଜେଡି ଦଳରେ ଯୋଗଦେଇଛନ୍ତି । ନବୀନ ପଟ୍ଟନାୟକଙ୍କ ଆଦର୍ଶ ଓ ବିକାଶ କାମକୁ ଦେଖି ବରିଷ୍ଠନେତା ତଥା ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ, କଳିକେଶ ନାରାୟଣ ସିଂହଦେଓଙ୍କ ନେତୃତ୍ୱକୁ ସମର୍ଥନ ଜଣାଇ ବଲାଙ୍ଗିର ବିଜେଡିରେ ଯୋଗ ଦେଇଥିବା ଦ୍ରୋଣ କହିଛନ୍ତି । ସେ ତାଙ୍କ ସମର୍ଥକଙ୍କ ସହ ଏକ ଶୋଭାଯାତ୍ରାରେ ଆସି ଶୈଳଶ୍ରୀ ପ୍ୟାଲେସରେ ଆୟୋଜିତ ମିଶ୍ରଣ ପର୍ବରେ ସାମିଲ ହୋଇଥିଲେ । ଶୈଳଶ୍ରୀ ପ୍ୟାଲେସଠାରେ ଆୟୋଜିତ ଏହି ମିଶ୍ରଣ ପର୍ବରେ କଳିକେଶ ସମସ୍ତଙ୍କୁ ବିଜେଡି ଦଳର ଉତ୍ତରୀୟ ଓ ଫୁଲମାଳ ଦେଇ ଦଳକୁ ସ୍ୱାଗତ କରିଥିଲେ । ଜିଲ୍ଲା ଯୁବ ବିଜେଡି ସଭାପତି ରାଜେନ୍ଦ୍ର ହୋତାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ମିଶ୍ରଣ ପର୍ବରେ ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ, କଳିକେଶ ନାରାୟଣ ସିଂହଦେଓ, ଯୁବ ନେତା ଅର୍କେଶ ନାରାୟଣ ସିଂହଦେଓ, ବୁଲୁ ବେହେରା ଓ ବରିଷ୍ଠନେତା ପାଣ୍ଡବ ଚନ୍ଦ୍ର କୁମ୍ଭାର ପ୍ରମୁଖ ମଞ୍ଚାସୀନ ରହିଥିଲେ । ପାଣ୍ଡବ କୁମ୍ଭାର ତାଙ୍କ ବକ୍ତବ୍ୟରେ କହିଲେ ଯେ, ରାଜ୍ୟରେ ନବୀନ ସରକାର ଦଳିତ ସମାଜକୁ ପ୍ରାଧାନ୍ୟ ଦେଉଛନ୍ତି । ରାଜ୍ୟର ବିକାଶରେ ଦଳିତମାନଙ୍କର ମଧ୍ୟ ଅବଦାନ ରହିଆସିଛି । ଏବେ କଳିକେଶ ସିଂହଦେଓଙ୍କ ନେତୃତ୍ୱରେ ବଲାଙ୍ଗିରର ବିକାଶ ହେଉଛି ବୋଲି କହି କର୍ମୀଙ୍କୁ ଉତ୍ସାହିତ କରିଥିଲେ । ଶେଷରେ ମନୋଜ ଦୀପ ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରକାଶ ଥାଉ ଯେ, ଦ୍ରୋଣ କୁମ୍ଭାର ଗତ ୨୦୧୯ ନିର୍ବାଚନରେ ଲୋଇସିଂହା ସଂରକ୍ଷିତ ଆସନରୁ ବିଏସ୍‌ପି ଦଳରୁ ବିଧାୟକ ପ୍ରାର୍ଥି ହୋଇଥିଲେ । ସେ ବିଏସ୍‌ପି ଦଳର ଜିଲ୍ଲା ସଭାପତି ମଧ୍ୟ ରହିଥିଲେ । ଜିଲ୍ଲାର ଅନେକ ଗୁଡିଏ ଦଳିତଙ୍କ ନ୍ୟାୟ ଆନ୍ଦୋଳନରେ ସେ ସକ୍ରିୟ ରହିଛନ୍ତି । କେବଳ ସେତିକି ନୁହେଁ ସେ ଅଟୋ ଚାଳକ ସଂଘ, ମେହେନ୍ତର ସଂଘର ମଧ୍ୟ ସଭାପତି ରହିଛନ୍ତି । ତେଣୁ ବିଜେଡିରେ ତାଙ୍କର ଯୋଗଦାନ ପରେ ୧୭ ନମ୍ବର ୱାର୍ଡ ସମେତ ସହରର ଅନେକ ଗୁଡିଏ ଅଞ୍ଚଳରେ ବିଜେଡି ଦଳ ମଜବୁତ ହେବ ବୋଲି କୁହାଯାଉଛି ।

Leave A Reply

Your email address will not be published.

11 + 17 =