jayashree

ବନ୍ୟ ଜୀବ ଉଦ୍ଧାରରେ ରେପିଡ୍ ରେସ୍ପନ୍ସ ଟିମ୍‌ର ଦକ୍ଷତା ପ୍ରଦର୍ଶନ : ଭବାନୀପାଟଣାରେ ବନବିଭାଗର ମକ୍‌ଡ୍ରିଲ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ସେପ୍ଟେମ୍ବର ୨୭ରୁ ଅକ୍ଟୋବର ୨ ତାରିଖ ଯାଏ ବନ୍ୟ ଜୀବ ସପ୍ତାହ ପାଳନ କରାଯାଉଥିବାବେଳେ ଭବାନୀପାଟଣାରେ ବନବିଭାଗ ପକ୍ଷରୁ ଅନୁଷ୍ଠିତ ହୋଇଛି ଏକ ସଚେତନତାମୂଳକ ମକ୍‌ଡ୍ରିଲ୍ । ଜନବସତି ମଧ୍ୟକୁ କୌଣସି ବନ୍ୟ ଜୀବ ପଶିଲେ କିଭଳି ରେପିଡ୍ ରେସ୍ପନ୍ସ ଟିମ୍ ସୁରକ୍ଷିତ ଭାବେ ତାକୁ ଉଦ୍ଧାର କରିବେ, ତାହାର ଡେମୋ ଦେଖାଇଥିଲା ବନବିଭାଗ । ବନ୍ୟ ଜୀବ ସପ୍ତାହ ପାଳନ ଅବସରରେ ଭବାନୀପାଟଣା ଜିଲ୍ଲା ମୁଖ୍ୟ ବସ୍‌ଷ୍ଟାଣ୍ଡରେ ବନ ବିଭାଗ ପକ୍ଷରୁ ଏକ ସଚେତନ କାର୍ଯ୍ୟକ୍ରମ ମକଡ୍ରିଲ କରାଯାଇଥିଲା । ବନବିଭାଗ ପକ୍ଷରୁ ଆୟୋଜିତ ହୋଇଥିଲା ବାଘ ଉଦ୍ଧାରର ମକ୍‌ଡ୍ରିଲ୍ । ଜନବସତି କିମ୍ବା ସହର ମଧ୍ୟକୁ ବାଘ ପଶିଆସିଲେ ରେପିଡ୍ ରେସ୍ପନ୍ସ ଟିମ୍ କିଭଳି ତ୍ୱରିତ ଭାବେ ଘଟଣାସ୍ଥଳରେ ପହଞ୍ଚିବେ ଏବଂ ଲୋକଙ୍କ ସୁରକ୍ଷା ସହ ବନ୍ୟପ୍ରାଣୀକୁ କିପରି ସୁରକ୍ଷିତ ଭାବେ ଉଦ୍ଧାର କରାଯିବ, ତାହା ପ୍ରଦର୍ଶନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ଦେଖିବାପାଇଁ ବସଷ୍ଟାଣ୍ଡରେ ଲୋକଙ୍କ ଭିଡ଼ ଲାଗିରହିଥିଲା । ମକ୍‌ଡ୍ରିଲ୍‌ରେ ବାଘକୁ ନେଇ ଏକ କଳ୍ପିତ ପରିସ୍ଥିତି ସୃଷ୍ଟି କରାଯାଇଥିଲା । ଏଭଳି ସମୟରେ ଲୋକଙ୍କୁ ଆତଙ୍କିତ ନହୋଇ ଦୂରତା ବଜାୟ ରଖିବା, ବାଘକୁ ଘେରି ନଧରିବା ଏବଂ ତାକୁ ଉତ୍ତେଜିତ ନକରିବା ଭଳି ସଚେତନତା ବାର୍ତ୍ତା ଦିଆଯାଇଥିଲା । ସେହିପରି ବନବିଭାଗର ରେପିଡ୍ ରେସ୍ପନ୍ସ ଟିମ୍ କିଭଳି ସମନ୍ୱୟ ରଖି ଉଦ୍ଧାର କାର୍ଯ୍ୟ କରିବ, ତାହା ମଧ୍ୟ ଡେମୋ ମାଧ୍ୟମରେ ବୁଝାଇଥିଲେ ଅଧିକାରୀ ଓ କର୍ମଚାରୀ । ବନ୍ୟପ୍ରାଣୀ ଜନବସତିକୁ ପଶିଆସିଲେ ଲୋକମାନେ ଆତଙ୍କିତ ନହୋଇ ବନବିଭାଗକୁ ତୁରନ୍ତ ଖବର ଦିଅନ୍ତୁ । ନିଜେ ବନ୍ୟପ୍ରାଣୀକୁ ଧରିବା କିମ୍ବା ତାକୁ ଘେରିବାକୁ ଚେଷ୍ଟା ନକରିବା ପାଇଁ ବନବିଭାଗର ଅଧିକାରୀ ମାନେ ଲୋକଙ୍କୁ ପରାମର୍ଶ ଦେଇଥିଲେ । ବନ୍ୟପ୍ରାଣୀ ସୁରକ୍ଷା ସହ ମଣିଷ ଓ ବନ୍ୟପ୍ରାଣୀ ମଧ୍ୟରେ ସଂଘର୍ଷକୁ କିଭଳି ରୋକାଯାଇପାରିବ, ତାହା ଉପରେ ମଧ୍ୟ ଏହି କାର୍ଯ୍ୟକ୍ରମରେ ଗୁରୁତ୍ୱ ଦିଆଯାଇଥିଲା । ବାଘ ଭଳି ବନ୍ୟପ୍ରାଣୀକୁ ଦେଖିଲେ ଭିଡ଼ ନକରିବା, ଫଟୋ କିମ୍ବା ଭିଡିଓ କରିବା ପାଇଁ ନିକଟକୁ ନଯିବା ଏବଂ ତୁରନ୍ତ ବନବିଭାଗକୁ ସୂଚନା ଦେବା ଏହି ବାର୍ତ୍ତା ଦେଇଥିଲା ବନବିଭାଗ । ବନ୍ୟପ୍ରାଣୀ ସୁରକ୍ଷା କେବଳ ବନବିଭାଗର ଦାୟିତ୍ୱ ନୁହେଁ, ଏଥିପାଇଁ ଆବଶ୍ୟକ ଜନସାଧାରଣଙ୍କ ସହଯୋଗ ଓ ସଚେତନତା । ଭବାନୀପାଟଣାରେ ଆୟୋଜିତ ଏହି ମକ୍‌ଡ୍ରିଲ୍ ମାଧ୍ୟମରେ ଏହି ବାର୍ତ୍ତା ପ୍ରଦାନ କରାଯାଇଥିଲା ।

Leave A Reply

Your email address will not be published.