
କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ସ୍ଥାନୀୟ ଜିଲ୍ଲାପରିଷଦ ସମ୍ମିଳନୀ ଗୃହରେ ଜିଲ୍ଲାପାଳ ପାୱାର ସଚିନ ପ୍ରକାଶଙ୍କ ଅଧ୍ୟକ୍ଷତାରେ ଆସନ୍ତା ୧୯ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ମା’ ମାଣିକେଶ୍ଵରୀଙ୍କ ପବିତ୍ର ଛତ୍ରଯାତ୍ରା ସମ୍ପର୍କରେ ଏବଂ ଦଶହରା ପର୍ବ ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ ଦରୱାନ, ଡିଏଫଓ ଉତ୍ତର ପ୍ରଭାକର ବର୍ମା, ଡିଏଫଓ ଦକ୍ଷିଣ ଆର୍ କଲାଇଭାନନ୍, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ତାରା ଜସ୍ମିନ୍ ଗୁଡ଼ିଆ, ଉପ ଜିଲ୍ଲାପାଳ ଧର୍ମଗଡ ପ୍ରେକ୍ଷା ଅଗ୍ରୱାଲ, ଭବାନୀପାଟଣା ବିଧାୟକ ପ୍ରତିନିଧି, କଳାହାଣ୍ଡି ରାଜପ୍ରାସାଦ ତରଫରୁ ଅଶୋକ ନେଗି, ବିଭିନ୍ନ ବିଭାଗୀୟ ଅଧିକାରୀ, ସ୍ୱେଛାସେବୀ ଅନୁଷ୍ଠାନ, ବିଭିନ୍ନ ପୂଜା କମିଟି କର୍ମକର୍ତ୍ତା, ସହରର ବୁଦ୍ଧିଜୀବୀ ପ୍ରମୁଖ ଉପସ୍ଥିତ ଥିଲେ । ମାଣିକେଶ୍ଵରୀ ମନ୍ଦିର ପକ୍ଷରୁ ଜାରି ସୂଚନା ଅନୁସାରେ ଆସନ୍ତା ଅକ୍ଟୋବର ୧୯ ତାରିଖ ମା’ ମାଣିକେଶ୍ଵରୀଙ୍କ ପବିତ୍ର ଛତର ଯାତ୍ରା ଜେନାଖାଲ ପୂଜାର୍ଚ୍ଚନା ସାରି ସକାଳ ୫ ଘଣ୍ଟା ସମୟରେ ମନ୍ଦିର ଅଭିମୁଖେ ଭକ୍ତମାନଙ୍କ ଗ୍ରହଣରେ ଯାତ୍ରା କରି ଦିବା ୧୧ଘଣ୍ଟାରୁ ୧୧.୩୦ ମି଼ ମଧ୍ୟରେ ମନ୍ଦିର ମଧ୍ୟରେ ପ୍ରବେଶ କରିବେ । ମା’ଙ୍କ ଛତର ଯାତ୍ରାକୁ ଶାନ୍ତି ଶୃଙ୍ଖଳା ସହ ସମାପନ କରିବା ପାଇଁ ଜିଲ୍ଲାପାଳ ସମସ୍ତଙ୍କ ସହଯୋଗ ଲୋଡିଥିଲେ । ମାଆଙ୍କ ଛତର ଯାତ୍ରାରେ ରାଜାବାଟି ଦ୍ଵାରା ପୁରସ୍କୃତ ଘୁମୁରା ଦଳ ବ୍ୟତୀତ ପୋଲିସ ବିଭାଗ ଦ୍ଵାରା ଚିହ୍ନଟ ଅନ୍ୟ ସାଂସ୍କୃତିକ ଦଳ ଅଂଶ ଗ୍ରହଣ କରିବେ । ଛତ୍ର ଯାତ୍ରା ପାଇଁ ରାସ୍ତା ମରାମତି, ନାଳ ନର୍ଦ୍ଦମା ସଫା, ପାନୀୟ ଜଳ, ନିରବଛିନ୍ନ ବିଦ୍ୟୁତ ସରବରାହ, ରାସ୍ତାରେ ବୁଲାଗାଈଗୋରୁ ନିୟନ୍ତ୍ରଣ, ମଦ ଓ ନିଶା ଦ୍ରବ୍ୟର ବିକ୍ରି ନିଷେଧ, ଶାନ୍ତି ଶୃଙ୍ଖଳା, ମୂର୍ତ୍ତି ବିସର୍ଜନ, ଆମ୍ବୁଲାନ୍ସ, ମାଜିଷ୍ଟ୍ରେଟ ମୁତୟନ, ପାନୀୟ ଜଳ ଯୋଗାଣ, ପୂଜା କମିଟି ପ୍ରସ୍ତୁତିମୂଳକ ବୈଠକ, ସୂଚନା କେନ୍ଦ୍ର ସ୍ଥାପନ ଓ ଧାରା ବିବରଣୀ, ଚାକ୍ଷୁଷ ଧାରା ବିବରଣୀ କାର୍ଯ୍ୟ ଅନୁଷ୍ଠାନ ନିମନ୍ତେ ରାସ୍ତା ଓ ଗୃହ ନିର୍ମାଣ, ଜାତୀୟ ରାଜପଥ, ପୌର ପରିଷଦ, ବିଦ୍ୟୁତ ବିଭାଗ, ପୋଲିସ, ଅବକାରୀ, ସ୍ୱାସ୍ଥ୍ୟ ବିଭାଗ, ସ୍ୱାସ୍ଥ୍ୟ, ସୂଚନା ଓ ଲୋକ ସମ୍ପର୍କ ବିଭାଗ ଅଧିକାରୀଙ୍କୁ ଦାୟିତ୍ଵ ଯାଇଥିଲା । ଦୁର୍ଗାପୂଜା କମିଟିର ପୂଜା ସ୍ଥାପନ ଓ ମେଢ଼ ବିସର୍ଜନ ପାଇଁ ଗାଇଡ ଲାଇନ ଅନୁଯାୟୀ ଚିହ୍ନଟ ପୁଷ୍କରିଣୀ ବ୍ୟବସ୍ଥା କରିବାକୁ ଉପ ଜିଲ୍ଲାପାଳ, ଭବାନୀପାଟଣା/ ଧର୍ମଗଡ ତଥା ଆଇନ ଶୃଙ୍ଖଳା ଓ ଛତର ଯାତ୍ରାକୁ ସୁରକ୍ଷିତ, ଜନସମାଗମକୁ ନିୟନ୍ତ୍ରଣ, ବାଇପାସ୍ ରାସ୍ତା, ସିସି ଟିଭି, ସାଂସ୍କୃତିକ ଦଳ ଦ୍ୱାରା ତୀକ୍ଷଣ ଅସ୍ତ୍ରଶସ୍ତ୍ର ଧାରଣ, ସାଂସ୍କୃତିକ ଦଳର ପ୍ରବେଶ ପାଇଁ ପୃଥକ ଭାବେ ଆରକ୍ଷୀ ଅଧିକ୍ଷକ, କଳାହାଣ୍ଡିଙ୍କ ଦ୍ଵାରା ବୈଠକ ଆୟୋଜନ କରିବେ । ଶେଷରେ ଡେପୁଟୀ କଲେକ୍ଟର ଯୁଡ଼ିସିଆଲ ବିରୂପାକ୍ଷ ନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ ।