jayashree

୨୪ ଦାଦନ ଶ୍ରମିକ ଉଦ୍ଧାର : ୨ ନାବାଳିକା ସହ ୬ ଶିଶୁ ଉଦ୍ଧାର

  • ଡ୍ରାଇଭର ସମେତ ଦଲାଲ ଗିରଫ

ସଇଁତଲା, (ଲକ୍ଷ୍ମୀକାନ୍ତ ସାହୁ) : ବଲାଙ୍ଗିର ଜିଲ୍ଲା ସଇଁତଲା ଥାନା କୁମ୍ଭାରୀ ଗ୍ରାମରୁ ରାଜ୍ୟ ବାହାରକୁ ଚାଲାଣ ହେଉଥିବା ବେଳେ କରମତଲା ଗ୍ରାମ ନିକଟରୁ ପୁଲିସ ୫ ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଛି । ସେଠାରୁ ଗାଡ଼ି ଜବତ କରିବା ସହ ଘଟଣାରେ ସଂପୃକ୍ତ ୨ ଜଣ ଦାଦନ ଦଲାଲଙ୍କୁ ଗିରଫ କରିଛି । ପ୍ରକାଶ ଯେ, କୁମ୍ଭାରୀ ଗ୍ରାମରୁ ୫ ଶ୍ରମିକ, ୨ ନାବାଳିକା ଓ ୨ ଶିଶୁଙ୍କୁ ଗ୍ରାମର ରିଙ୍କୁ ବଗର୍ତ୍ତି ଏବଂ ସୁଶାନ୍ତ ସାହାଣୀ ଏକ କାର୍ (ଓଡି ୦୩ ଏସି-୩୫୦୦)ରେ କଣ୍ଟାବାଞ୍ଜି ରେଳ ଷ୍ଟେସନକୁ ନେଉଥିଲେ । ସେଠାରୁ ଶ୍ରମିକଙ୍କୁ ତେଲେଙ୍ଗାନା ରାଜ୍ୟ ସିକନ୍ଦରାବାଦକୁ ପ‌ଠାଇବାର ଯୋଜନା କରୁଥିଲେ । ଏନେଇ ପୁଲିସ ଖବର ପାଇ କରମତଲା ଗ୍ରାମ ନିକଟରେ ଚଢ଼ାଉ କରି ଶ୍ରମିକଙ୍କୁ ଉଦ୍ଧାର କରିବା ସହ ଦଲାଲଙ୍କୁ କାବୁ କରିଥିଲା । ଶ୍ରମିକ ମାନଙ୍କୁ ଉଦ୍ଧାର କରି ତାଙ୍କ ଘରକୁ ପଠାଇ ଦେଇଥିବା ବେଳେ ଦୁଇ ଦଲାଲକୁ ଗିରଫ କରି କୋର୍ଟ ଚାଲାଣ କରିଛି । ସେହିପରି ଟିଟିଲାଗଡ଼ ସହରରେ ପୁଲିସ ପେଟ୍ରୋଲିଂ ସମୟରେ ଗୁଡ଼ଭେଲା ବ୍ଲକ ଅଞ୍ଚଳରୁ କେତେକ ଦାଦନ ଶ୍ରମିକ ଟିଟିଲାଗଡ଼ ରେଳ ଷ୍ଟେସନ ଅଭିମୁଖେ ଯାଉଥିଲେ । ସେମାନଙ୍କୁ ଅଟକାଇ ପଚରାଯିବାରୁ ସ୍ଥାନୀୟ ଅଞ୍ଚଳର ଜଣେ ସର୍ଦ୍ଦାର ଗତ ସୋମବାର ବୁଡ଼ିପଡ଼ାକୁ ଆଣି ରଖିବା ସହ ଆନ୍ଧ୍ରପ୍ରଦେଶକୁ ଚାଲାଣ କରୁଥିବା ଜଣାପଡ଼ିଥିଲା । ଶ୍ରମିକଙ୍କ ମଧ୍ୟରେ ୧୧ ଜଣ ମହିଳା, ୧୮ ଜଣ ପୁରୁଷଙ୍କ ସମେତ ୬ ଜଣ ଶିଶୁ ତଥା ନାବାଳିକା ଥିଲେ । ଏନେଇ ଟିଟିଲାଗଡ଼ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି । ଅନ୍ୟପକ୍ଷରେ ସଂପୃକ୍ତ ଦାଦନ ସର୍ଦ୍ଦାର ଘଟଣାସ୍ଥଳରୁ ଫେରାର ମାରିଛି । ପୁଲିସ ଉଦ୍ଧାର ଶ୍ରମିକଙ୍କୁ ସେମାନଙ୍କ ଗାଁକୁ ପଠାଇ ଦେଇଛି ।

Leave A Reply

Your email address will not be published.