csstore

ମୁରିବାହାଲରୁ ପୁଣି ୧୩ ଦାଦନ ଶ୍ରମିକ ଉଦ୍ଧାର : ଜେଲ୍‌ ଗଲା ଦାଦନ ସର୍ଦ୍ଦାର ଲକ୍ଷ୍ମଣ ତାଣ୍ଡି

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ଦାଦନ ପ୍ରବଣ ମୁରିବାହାଲ ବ୍ଲକ ଅଞ୍ଚଳରୁ ପୁଲିସ ପୁଣି ୧୩ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଥିବା ବେଳେ ସେମାନଙ୍କୁ ଚାଲାଣ ପାଇଁ ଘରେ ଲୁଚାଇ ରଖିଥିବା ଅଭିଯୋଗରେ ଲକ୍ଷ୍ମଣ ତାଣ୍ଡି ନାମକ ଜଣେ ଦାଦନ ସର୍ଦ୍ଦାରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ବୁଧବାର ରାତିରେ ପୁଲିସ ଟିମ୍ ପେଟ୍ରୋଲିଂ କରୁଥିବା ବେଳେ ମୁରିବାହାଲ ଥାନା ପତ୍ରାପାଲି (କ) ପଞ୍ଚାୟତ ଖପାଦରହ ଗ୍ରାମରେ ଅଚାନକ ଚଢ଼ାଉ କରିଥିଲା । ସେଠାରେ ଥିବା ଏକ ଘରେ ବହୁ ଦାଦନ ଶ୍ରମିକ ଆନ୍ଧ୍ରା, ତେଲେଙ୍ଗାନା ଆଦି ରାଜ୍ୟକୁ ଚାଲାଣ ହେବାକୁ ଥିବା ଜାଣିପାରି ପୁଲିସ ଚଢ଼ାଉ କରିଥିଲା । ସେଠାରୁ ୧୩ଜଣ ଦାଦନ ଶ୍ରମିକ ଓ ସେମାନଙ୍କୁ ଚାଲାଣ କରୁଥିବା ଅଭିଯୋଗରେ ଜଣେ ଦାଦନ ସର୍ଦ୍ଦାରଙ୍କୁ ଥାନାକୁ ନେଇ ଅଧିକ ତଦନ୍ତ କରିଥିଲା । ଉଦ୍ଧାର ଦାଦନ ଶ୍ରମିକଙ୍କ ମଧ୍ୟରେ ୮ଜଣ ପୁରୁଷ ଓ ୫ଜଣ ଶିଶୁ ଥିଲେ । ଏହି ଦାଦନ ଶ୍ରମିକମାନଙ୍କୁ ଖପାଦର ଗ୍ରାମର ଦାଦନ ସର୍ଦ୍ଧାର ଲକ୍ଷ୍ମଣ ତାଣ୍ଡି (୩୭) ବାହାର ଅଞ୍ଚଳକୁ ଚାଲାଣ କରିବା ପାଇଁ ଘରେ ଲୁଚାଇ ରଖିଥିଲା । ଉଦ୍ଧାର ଦାଦନ ଶ୍ରମିକମାନେ ବଲାଙ୍ଗିର ଜିଲ୍ଲା ଲରମ୍ଭା ଥାନା ଅଏଁଲାଚୁଆଁ ଅଞ୍ଚଳର ବୋଲି ଜଣାପଡିଛି । ସମସ୍ତ ଦାଦନ ଶ୍ରମିକମାନଙ୍କୁ ଜଣ ପିଛା ବହୁ ଟଙ୍କା ଲେଖାଏଁ ଅଗ୍ରିମ ପ୍ରଦାନ କରାଯାଇଥିବା ବେଳେ ଇଟାଭାଟିକୁ ଗଲେ ଆହୁରି ଅଧିକ ଟଙ୍କା ଦିଆଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା । ସମସ୍ତ ଉଦ୍ଧାର ଦାଦନ ଶ୍ରମିକଙ୍କୁ ପ୍ରାଥମିକ ଚିକିତ୍ସା ସହ ଥାନାରେ ଅଧିକ ତଦନ୍ତ ପରେ ସେମାନଙ୍କୁ ନିଜ ନିଜର ଘରକୁ ପଠାଇ ଦିଆଯାଇଥିଲା । ଦାଦନ ସର୍ଦ୍ଦାର ଲକ୍ଷ୍ମଣ ତାଣ୍ଡିଙ୍କ ସହ ଥିବା ଆଉ ଜଣେ ଦାଦନ ସର୍ଦ୍ଦାର ଘଟଣା ସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡ଼ିଛି । ଅଟକ ଦାଦନ ସର୍ଦ୍ଦାର ଲକ୍ଷ୍ମଣଙ୍କୁ ବାରମ୍ବାର ଜେରା ପରେ କେଶନଂ ୨୫୪/୨୫ରେ କୋର୍ଟ ଚାଲାଣ କରାଯାଇଥିବା ବେଳେ ଜାମିନ ଆବେଦନ ଖାରଜ ହେବାରୁ ତାଙ୍କୁ ଜେଲ୍ ହାଜତକୁ ପଠାଇ ଦିଆଯାଇଛି ବୋଲି ଥାନା ଆଇଆଇସି ସନାତନ ସାହୁ ପ୍ରକାଶ କରିଛନ୍ତି ।

jayashree
Leave A Reply

Your email address will not be published.