
କଣ୍ଟାବାଞ୍ଜି, (ଯୁଗଳ କିଶୋର ଶବର) : କଣ୍ଟାବାଞ୍ଜି ସହରର ବଜାର ଭିତରେ ଥିବା ସିଲଭର ବାବର୍ଚି ବିରିଆନି ଦୋକାନରେ ନିଶାଶକ୍ତ ଅବସ୍ଥାରେ ଦୁଇ ଜଣ ଯୁବକ ଦାଦାଗିରି କରିଥିବା ଅଭିଯୋଗ ହୋଇଛି । ଅଭିଯୋଗ ଅନୁସାରେ, ବଜାରରେ ଥିବା ଏହି ଦୋକାନକୁ ଦିନ ଦ୍ୱିପ୍ରହରରେ ଭିଡ଼ ଥିବା ସମୟରେ ସହରର ଦୁଇ ଜଣ ଯୁବକ ନିଶାଶକ୍ତ ଅବସ୍ଥାରେ ଆସି ବିରିଆନି ମାଗିଥିଲେ । ଭିଡ଼ ଥିବାରୁ ଦୋକାନ ମାଲିକ ସନ୍ତୋଷ ନନ୍ଦ ଉକ୍ତ ଯୁବକଙ୍କୁ ଭିଡ଼ ଅଛି ପାର୍ସଲ ନେଇଯାଅ ବୋଲି କହିଥିଲେ । ଏହା ପରେ ଉକ୍ତ ଯୁବକମାନେ ଦାଦାଗିରି କରି ଦୋକାନ ମାଲିକ ସହ କଥା କଟାକଟି ହୋଇଥିଲେ । ପରେ ଗାଳିଗୁଲଜ କରି ଧସ୍ତାଧସ୍ତି କରିବା ସହ ଦୋକାନ ଭିତରକୁ ପଶି ଭଙ୍ଗାରୁଜା କରିଥିବା ଚିତ୍ର ସିସିଟିଭିରେ କଏଦ୍ ହୋଇଛି । ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି । ତେବେ ସହର ଭିତରେ ଏଭଳି ଦାଦାଗିରି କରୁଥିବା ଘଟଣାକୁ ନେଇ ଏବେ ସହରରେ ଚର୍ଚ୍ଚାର ବିଷୟ ପାଲଟିଛି ।