ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର ପ୍ରଦାନ କଲା ରାଜ୍ୟ ପୂର୍ବତନ ସୈନିକ ସଂଘ

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର ପ୍ରଦାନ କରିଛି ରାଜ୍ୟ ପୂର୍ବତନ ସୈନିକ ସଂଘ । କେନ୍ଦ୍ର ସରକାରଙ୍କ ପୂର୍ବତନ ସୈନିକମାନଙ୍କ ପ୍ରତି ବୈମାତୃକ ମନୋଭାବ ଓ ଅଧିକାରୀମାନଙ୍କ କୋହଳ ମନୋଭାବ ପ୍ରତିବାଦରେ ଭୁବନେଶ୍ୱରରେ ଗତକାଲି ଓଡିଶାର ସମସ୍ତ ଜିଲ୍ଲାରୁ ଆସିଥିବା ପୂର୍ବତନ ସୈନିକ ସଂଗଠନର ସଦସ୍ୟ ସମୂହ ଓ ଓଡିଶାର ରାଜ୍ୟସ୍ତରୀୟ ଏସୋସିଏସନ୍‌ମାନଙ୍କ ମିଳିତ ଉଦ୍ୟମରେ ଏକ ବିରାଟ ଆନ୍ଦୋଳନ କରାଯାଇଥିବା ଦେଖିବାକୁ ମିଳିଛି । ଏହି ଆନ୍ଦୋଳନରେ ହଜାର ହଜାର ପୂର୍ବତନ ସୈନିକ ସାମିଲ ହୋଇଥିବା ବେଳେ ମାଷ୍ଟର କେଣ୍ଟିନ ଛକରୁ ପିଏନ୍‌ଜି ଛକ ଆଡକୁ ପୂର୍ବତନ ସୈନିକମାନଙ୍କ ଏକ ବିରାଟ ପଟୁଆର ଛୁଟିଥିଲା । ପୋଲିସର ବାଧା ଯୋଗୁଁ ରାଜରାସ୍ତାକୁ ପ୍ରାୟ ୨ ଘଣ୍ଟା ଧରି ଅବରୋଧ କରାଯାଇଥିବା ବେଳେ ପୂର୍ବତନ ସୈନିକମାନେ ଧାରଣାସ୍ଥଳକୁ ଆସି ପ୍ରତିବାଦର ସ୍ୱର ଉତ୍ତୋଳନ କରିଥିଲେ । ସୈନିକମାନଙ୍କ ଦାବୀ ରହିଥିଲା ଓଆର୍‌ଓପିରେ ରହିଥିବା ଭେଦଭାବର ସମାଧାନ, ସୈନିକମାନଙ୍କୁ ସମାନ ଏମ୍‌ଏସ୍‌ପି ପ୍ରଦାନ, ପିଏମ୍‌ଆର୍‌ରେ ଯାଇଥିବା ଜବାନମାନଙ୍କୁ ଓଆର୍‌ଓପି (ୱାନ୍‌ ରେଙ୍କ ୱାନ୍‌ ପେନ୍‌ସନ)ରେ ସାମିଲ କରିବା, ଜବାନମାନଙ୍କୁ ସମାନ ଡିଜାବିଲିଟି ପେନସନ ପ୍ରଦାନ । ତେବେ ଏହି ସବୁ ସମସ୍ୟାର ତୁରନ୍ତ ସମାଧାନ ପାଇଁ ମାନ୍ୟବର ରାଜ୍ୟପାଳଙ୍କ ଜରିଆରେ ମହାମହିମ ରାଷ୍ଟ୍ରପତିଙ୍କୁ ଏକ ଦାବୀପତ୍ର ପ୍ରଦାନ କରାଯାଇଥିଲା । ଏହି ସମସ୍ୟା ଗୁଡିକର ତୁରନ୍ତ ସମାଧାନ ନହେଲେ ଆଗକୁ ଆହୁରି ତୀବ୍ର ଆନ୍ଦୋଳନ ହେବ ବୋଲି ମିଳିତ ସଂଗଠନର ପ୍ରବକ୍ତା ଭେଟେରାନ ଉମେସ କୁମାର ଚଇନୀ ଓ ଅଲ୍‌ ଓଡିଶା ଭେଟେରାନ୍‌ ସୋଲଜରସ ଏସୋସିଏସନ୍‌ର ଉପସଭାପତି ତଥା ବଲାଙ୍ଗିର ଜିଲ୍ଲା ପୂର୍ବତନ ସୈନିକ ସଂଘର ସମ୍ପାଦକ ପ୍ରତାପ ଚନ୍ଦ୍ର ରଥ ଚେତାବନୀ ଦେବା ସଂଗେ ସଂଗେ ଆଗାମୀ ୨୦୨୪ ନିର୍ବାଚନରେ ସୈନିକ ସଂଘ ଭୋଟ ବର୍ଜନ କରିବେ ବୋଲି ମଧ୍ୟ ଚେତାବନୀ ଦେଇଛନ୍ତି ।

ଦୀର୍ଘଦିନ ହେଲା ନୂଆଦିଲ୍ଲୀ ସ୍ଥିତ ଜନ୍ତରମନ୍ତରରେ ଭାରତ ବର୍ଷର ପୂର୍ବତନ ସୈନିକ ଓ ସହୀଦ ପରିବାର ସାମିଲ ହୋଇ ଓଆର୍‌ଓପି (ୱାନ୍‌ ରେଙ୍କ ୱାନ୍‌ ପେନ୍‌ସନ) ଉର୍ଦ୍ଦେଶ୍ୟରେ ତାଙ୍କର ଧାରଣା ଜାରି ରଖିଛନ୍ତି । ଏହି ଅବସରରେ ବଲାଙ୍ଗିର ଜିଲ୍ଲା ପୂର୍ବତନ ସୈନିକ ସଂଘର ସଭାପତି ବିଭୁତି ଭୂଷଣ ପାଣିଗ୍ରାହୀ, ଉପସଭାପତି ସର୍ବେରାମ ପଟେଲ, କୋଷାଧ୍ୟକ୍ଷ ଦ୍ରୋଣ ଚନ୍ଦନ, ସହସମ୍ପାଦକ କୃଷ୍ଣଚନ୍ଦ୍ର ପରମ୍‌ଗୁରୁ, ସଂଯୋଜକ ନବକୃଷ୍ଣ ପଟେଲ ଓ ପ୍ରମୋଦ ବାବୁ ପ୍ରମୁଖ ଆନ୍ଦୋଳନରେ ସାମିଲ ହୋଇଥିଲେ ।

Leave A Reply

Your email address will not be published.

seventeen − 4 =