om academy

ବରିଷ୍ଠ ନାଗରିକଙ୍କୁ ରେଳରେ ପୂର୍ବ ଭଳି ରିହାତି ବ୍ୟବସ୍ଥା ପ୍ରଚଳନ ଦାବୀରେ ରେଳମନ୍ତ୍ରୀଙ୍କୁ ଏଚ୍‌ଏମ୍‌ଏସର ଦାବୀପତ୍ର

jsm

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଦେଶର ବରିଷ୍ଠ ନାଗରିକଙ୍କ ପାଇଁ ରେଳ ଟିକେଟରେ ପୂର୍ବ ପରି ରିହାତିର ବ୍ୟବସ୍ଥା ପୁନଃର୍ବାର ଚାଲୁ କରିବା ପାଇଁ ହିନ୍ଦ୍‌ ମଜଦୁର ସଭାର ରାଜ୍ୟ ଉପସଭାପତି ରବି ରଥ ଦାବୀ କରିଛନ୍ତି । ଜୁଲାଇ ୨୭ ତାରିଖରେ ରେଳବାଇ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଏକ ଚିଠି ଲେଖି ଏହି ଦାବୀ ଜଣାଇଛନ୍ତି । ପ୍ରସଙ୍ଗତଃ ବିଗତ ୨୦ ବର୍ଷ ହେବ ଚାଲୁ ହୋଇଥିବା ଟ୍ରେନରେ ବରିଷ୍ଠ ନାଗରିକ ଯେଉଁମାନଙ୍କର ବୟସ ୬୦ରୁ ଅଧିକ ସେମାନଙ୍କ ପାଇଁ ଏହି ରିହାତିର ବ୍ୟବସ୍ଥା ଥିଲା । କୋଭିଡ- ୧୯ ମହାମାରୀ ଆଳରେ ଏହାକୁ ସ୍ଥଗିତ ରଖିଥିଲେ ମୋଦୀ ସରକାର । ଏହା ପରେ ଆଉ ଚାଲୁ କରାଯାଉନାହିଁ । ହିନ୍ଦ୍‌ ମଜଦୁର ସଭା ରାଜ୍ୟ ଉପସଭାପତି ରବି ରଥ ତାଙ୍କ ଚିଠିରେ ଦର୍ଶାଇଛନ୍ତି ଯେ ଆପଣ ଓଡ଼ିଶାର ସାଂସଦ ଭାବେ ସମ୍ମାନଜନକ ରେଳ ମନ୍ତ୍ରଣାଳୟର ଦାୟିତ୍ୱ ଦିଆଯାଇଛି । ଆମେମାନେ ଏଥିରେ ଗର୍ବିତ । ରେଳର ବିକାଶ କାର୍ଯ୍ୟ ଅଧିକ ତ୍ୱରାନ୍ୱିତ ହୋଇପାରିବ ବୋଲି ଆଶା । କିନ୍ତୁ ଦୁଇ ଦଶନ୍ଧୀ ଧରି ରେଳରେ ବରିଷ୍ଠ ନାଗରିକମାନଙ୍କ ପାଇଁ ଦିଆଯାଉଥିବା ରିହାତିକୁ ପ୍ରତ୍ୟାହାର କରିବା ନିଷ୍ପତ୍ତି ଘଟଣା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସବ୍‌ କା ସାଥ୍‌, ସବ୍‌କା ବିକାଶ ସ୍ଲୋଗାନ ଦେଉଥିବା ବେଳେ ବରିଷ୍ଠ ନାଗରିକଙ୍କ ବିକାଶରୁ ବଂଚିତ କରିବା ଅତ୍ୟନ୍ତ ପରିତାପର ବିଷୟ ।

ଏଠାରେ ଉଲ୍ଲେଖ କରାଯାଇପାରେ, ଜାତିସଂଘର ସମ୍ମିଳନୀ ଅନୁଯାୟୀ ବରିଷ୍ଠ ନାଗରିକମାନଙ୍କ କଲ୍ୟାଣ ପାଇଁ ୨୦୦୭ରେ ଏକ ଆଇନ ପ୍ରଣୟନ କରାଯାଇଛି । ତେବେ ବର୍ତ୍ତମାନ ରେଳ ଟିକେଟ ଉପରେ ରିହାତି ବନ୍ଦ କରିବା ସେମାନଙ୍କ ଅଧିକାରକୁ ଉଲ୍ଲଂଘନ କରାଯାଇଛି । ବିଡ଼ମ୍ବନାର ବିଷୟ ଯେ ବିଧାୟକ, ସାଂସଦ, ବରିଷ୍ଠ କର୍ମକର୍ତ୍ତାମାନଙ୍କୁ ରିହାତି ଦିଆଯାଉଥିବା ବେଳେ ଅପର ପକ୍ଷରେ ବଡ଼ ବଡ଼ ଶିଳ୍ପପତିମାନଙ୍କୁ ହଜାର ହଜାର କୋଟି ଛାଡ଼ କରାଯାଉଛି । କିନ୍ତୁ ବରିଷ୍ଠ ନାଗରିକଙ୍କ ପ୍ରତି ଅବହେଳା କରିବା ଅନ୍ୟାୟ ଅଟେ । କର୍ମ ଜୀବନରେ ଯେଉଁମାନେ ଦେଶର ସେବା କରିଛନ୍ତି, ସେମାନଙ୍କ ଅବସର ଜୀବନରେ ସେମାନେ ମର୍ଯ୍ୟାଦା ଓ ସମ୍ମାନର ସହ ରେଳରେ ସୁଲଭ ମୂଲ୍ୟରେ ଯାତାୟତ ଯେପରି କରିପାରିବେ ତାହା ସରକାର ଦୃଷ୍ଟି ଦେବା ଉଚିତ । ଏଣୁ ତୁରନ୍ତ ଏହି ବ୍ୟବସ୍ଥାକୁ ଫେରାଇ ଆଣିବାକୁ ଉପସଭାପତି ଶ୍ରୀ ରଥ ଦାବୀ କରିଛନ୍ତି ।

Leave A Reply

Your email address will not be published.