jayashree

ଯୋଗାଣ ସହାୟକଙ୍କୁ ସ୍ଥାୟୀ ନିଯୁକ୍ତି ଦାବି ନେଇ ବଙ୍ଗୋମୁଣ୍ଡା ବିଡ଼ିଓଙ୍କୁ ଦାବିପତ୍ର ପ୍ରଦାନ

ବଙ୍ଗୋମୁଣ୍ଡା, (କେପିଏନ୍‌ଏସ୍‌) : ରାଜ୍ୟ ସଂଘର ଆହ୍ୱାନ କ୍ରମେ ଆଜି ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଠାରେ ଯୋଗାଣ ସହାୟକ ମାନଙ୍କୁ ସ୍ଥାୟୀ ନିଯୁକ୍ତି ଦାବି ନେଇ ବଙ୍ଗୋମୁଣ୍ଡା ବ୍ଲକ ଯୋଗାଣ ସହାୟକ ସଂଘ ପକ୍ଷରୁ ବଙ୍ଗୋମୁଣ୍ଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ନିତୁଶ୍ରୀ ମେହେରଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ । ସେମାନଙ୍କ ଅଭିଯୋଗ ଅନୁଯାୟୀ, ୧୬ ଜୁନ୍ ୨୦୨୬ ରେ ରାଜ୍ୟ ସରକାର ଏବଂ ରାଜ୍ୟ ପ୍ରଶାସନକୁ ଏକ ଲିଖିତ ନୋଟିସ ଦେଇଥିଲେ ଯେ, ଗତ ୧୪ ବର୍ଷ ଧରି ଯୋଗାଣ ସହାୟକ ମାନେ ସେବା ନିଷ୍ଠା ଏବଂ ନିଷ୍ଠାର ସହିତ କରିବା ସତ୍ତ୍ୱେ, ନ୍ୟାର୍ଯ୍ୟ ଦାବି ଗୁଡ଼ିକ ଅପ୍ରତିହତ ରହିଛି । ସରକାରଙ୍କ ନୂତନ ଭାବରେ ପ୍ରଚଳିତ ସିଏମ୍‌ଏୱାଇ ଯୋଜନାକୁ ସମ୍ମାନ ଜଣାଇ ଏବଂ ବୃହତର ଜନସ୍ୱାର୍ଥକୁ ଦୃଷ୍ଟିରେ ରଖି ଉକ୍ତ ଯୋଜନା ଅଧୀନରେ ବଣ୍ଟନର ସଫଳ ସମାପ୍ତି ପାଇଁ ସହଯୋଗର ପ୍ରତିଶ୍ରୁତି ଦେଇଥିଲେ । ସେହି ସମୟରେ, ସ୍ପଷ୍ଟ ଭାବରେ କହିଥିଲେ ଯେ, ଯଦି ଦାବି ଗୁଡିକ ୧୦ ଜୁଲାଇ ୨୦୨୬ ସୁଦ୍ଧା ସମାଧାନ ନହୁଏ, ତେବେ ୧୦ ଜୁଲାଇ ୨୦୨୬ ଠାରୁ ସାମୂହିକ ଛୁଟିରେ ଆଗକୁ ବଢ଼ିବା ପାଇଁ ସାମ୍ବିଧାନିକ ଏବଂ ଗଣତାନ୍ତ୍ରିକ ଅଧିକାର ବ୍ୟବହାର କରିବାକୁ ବାଧ୍ୟ ଏବଂ ଆବଶ୍ୟକ ହେଲେ, ଗଣତାନ୍ତ୍ରିକ ଆନ୍ଦୋଳନକୁ ତୀବ୍ରତର ହେବ ବୋଲି ସଂଘ ପକ୍ଷରୁ ଚେତାବନୀ ଦେଇଛନ୍ତି । ପୂର୍ବରୁ ସଂଘ ପକ୍ଷରୁ ଓଡ଼ିଶା ରାଜ୍ୟ ଯୋଗଣା ସହାୟକ ସଂଘର ପ୍ରତିନିଧିତ୍ୱର ନକଲ ମୁଖ୍ୟମନ୍ତ୍ରୀ, ଖାଦ୍ୟ ଯୋଗାଣ ଖାଉଟି କଲ୍ୟାଣ ମନ୍ତ୍ରୀ, ମୁଖ୍ୟ ସଚିବଙ୍କୁ ଲିଖିତ ଅଭିଯୋଗ କରିଛନ୍ତି । ଦୀର୍ଘ ୧୪ ବର୍ଷ ହେଲା ସରକାରଙ୍କ ବିଭିନ୍ନ କାର୍ଯ୍ୟରେ ନିୟୋଜିତ ହୋଇଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ସ୍ଥାୟୀ ନିଯୁକ୍ତି ହୋଇ ନଥିବାରୁ ସେମାନେ ଓ ସେମାନଙ୍କ ପରିବାର ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଆସନ୍ତା ଜୁଲାଇ ୧୦ ତାରିଖ ଠାରୁ ସମୂହ ଛୁଟିରେ ରହି ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବା ସହ ରାଜ୍ୟ ରାଜଧାନୀ ଭୁବନେଶ୍ୱର ଲୋୟର ପିଏମଜି ଠାରେ ଆନ୍ଦୋଳନ କରାଯିବ ବୋଲି ସଂଘ ପକ୍ଷରୁ ଚେତାବନୀ ଦେଇଛନ୍ତି । ଦାବିପତ୍ର ଦେବା ସମୟରେ ବଙ୍ଗୋମୁଣ୍ଡା ବ୍ଲକ ଯୋଗାଣ ସହାୟକ ସଂଘର ସଭାପତି ଲକ୍ଷ୍ମୀଧର ବାଗ, ସମ୍ପାଦକ ଗୌରାଙ୍ଗ ବାଗ, ଉପଦେଷ୍ଟା ଅଶୋକ କୁମାର ସାହୁ, ବିଦ୍ୟାଧର ବିଭାର, କୁଶମନ ଜାଲ, ତପନ ଚନ୍ଦା, ସଦସ୍ୟ ଲକ୍ଷ୍ମୀକାନ୍ତ ପୁଟେଲ, ଭୋଜରାଜ ପୁଟେଲ, ରେଣୁରଞ୍ଜନ ବାରିକ, ଲୋକନାଥ ମେହେର, ସବିତା ପୁଟେଲ, ଡୋଳାମଣି ସୁନା ପ୍ରମୁଖଙ୍କ ସହ ସଂଘର ବହୁ ସଦସ୍ୟମାନେ ସାମିଲ ହୋଇଥିଲେ ।

Leave A Reply

Your email address will not be published.