pakka

ଜଙ୍ଗଲ ଜମିର ହକ୍‌ ପାଇଁ ତାତିଲେ ବନବାସୀ : ଖଡିଆଳ ତହସିଲଦାରଙ୍କ ଜରିଆରେ ରାଜ୍ୟ ସରକାରଙ୍କୁ ଦେଲେ ଦାବିପତ୍ର

bbehera

ଖଡିଆଳ, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ଖଡିଆଳ ଜଙ୍ଗଲ ଜମି ମଧ୍ୟରେ ପୁରୁଷାନୁକ୍ରମେ ବସବାସ କରିବା ସହିତ ଜଙ୍ଗଲ ଜମିକୁ ଦଖଲ କରୁଥିବା ପାରମ୍ପରିକ ବନବାସୀ ମାନଙ୍କୁ ଥଇଥାନ କରିବା ପାଇଁ ରାଜ୍ୟ ସରକାର ମୋ ଜଙ୍ଗଲ ଜମି ଯୋଜନା କାର୍ଯ୍ୟକାରୀ କରିଛନ୍ତି । ହେଲେ ନୂଆପଡ଼ା ଜିଲ୍ଲାରେ ଏହାର ବ୍ୟତିକ୍ରମ ଦେଖା ଦେଉଥିବା ନେଇ ନୂଆପଡା ଜିଲ୍ଲା ଜମି ଜଙ୍ଗଲ ମୁକ୍ତି ଆନ୍ଦୋଳନ କମିଟି ତରଫରୁ ବିଭିନ୍ନ ଦାବୀ ନେଇ ଆନ୍ଦୋଳନକୁ ଓହ୍ଲାଇଛି । ମଙ୍ଗଳବାର ଦିନ ହଜାର ହଜାର ବନବାସୀ ନିଜର ନ୍ୟାର୍ଯ୍ୟ ହକ୍‌ ପାଇଁ ଡିଏଫ୍‌ଓ ଅଫିସ ଘେରାଉ କରାଯିବା ସହ ଖଡିଆଳ ତହସିଲଦାରଙ୍କ ଜରିଆରେ ରାଜ୍ୟ ସରକାରଙ୍କ ୫-ଟି ସଚିବ ଭି. କେ. ପାଣ୍ଡିଆନ, ନୂଆପଡା ଜିଲ୍ଲାପାଳ ଓ ରାଜ୍ୟ ସରକାରଙ୍କ ପରିବେଶ ଓ ଜଙ୍ଗଲ ବିଭାଗ ମନ୍ତ୍ରଣାଳୟକୁ ପ୍ରେରଣ କରାଯାଇଛି । ପ୍ରକାଶ ଯୋଗ୍ୟ ଯେ, ପୁରୁଷାନୁକ୍ରମେ ପାରମ୍ପରିକ ଭାବରେ ଜଙ୍ଗଲ ଜମିକୁ ଦଖଲ କରିବା ସହ ବସବାସ କରୁଛନ୍ତି । ଏପରିକି ଜଙ୍ଗଲର ଫଳମୂଳ ସଂଗ୍ରହ କରିବା ସହ ଲଘୁବନଜାତ ଦ୍ରବ୍ୟ ସଂଗ୍ରହ କରି ନିଜର ପରିବାର ପ୍ରତିପୋଷଣ କରୁଛନ୍ତି । ଏମାନଙ୍କୁ ଥଇଥାନ କରିବା ପାଇଁ କେନ୍ଦ୍ର ସରକାର ଜଙ୍ଗଲ ସ୍ଵୀକୃତି ଆଇନ-୨୦୦୬ ଓ ସଂଶୋଧିତ ଆଇନ ୨୦୧୨ କାର୍ଯ୍ୟକାରୀ କରିଛନ୍ତି ହେଲେ ନୂଆପଡ଼ା ଜିଲ୍ଲାରେ ନିୟୋଜିତ ଉଚ୍ଚ ପଦସ୍ଥ କର୍ମଚାରୀମାନଙ୍କ ଖାମଖିଆଲି ମନୋଭାବ ସାଙ୍ଗକୁ ଦୂରଦୃଷ୍ଟିର ଅଭାବ ଯୋଗୁ ନୂଆପଡ଼ା ଜିଲାର ବନବାସୀ ଉପେକ୍ଷିତ ହୋଇ ଜଙ୍ଗଲ ଜମିର ସ୍ଵତାଧିକାର ପାଇବାରୁ ବଞ୍ଚିତ ହୋଇ ରହିଛନ୍ତି । ଯାହାଫଳରେ ବନବାସୀମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରି ପ୍ରଶାସନ ନିକଟରେ ଦାବୀ ଉପସ୍ଥାପନ କରିଛନ୍ତି । ଏହି ଦାବୀ ଗୁଡିକ ମଧ୍ୟରୁ ସୂଚିତ ଯେ, ପୁରୁଷାନୁକ୍ରମେ ବସବାସ କରୁଥିବା ଅଣ ଆଦିବାସୀମାନଙ୍କୁ ଆଜି ପର୍ଯ୍ୟନ୍ତ କାହାରିକୁ ପଟ୍ଟା ପ୍ରଦାନ କରାଯାଇ ନାହିଁ । ସେମାନଙ୍କୁ ସରକାର ଯେଉଁ ୭୫ ବର୍ଷର ପ୍ରମାଣ ପତ୍ର ମଗାଯାଇଛି ତାହାକୁ କୋହଳ କରି ଗ୍ରାମସଭାର ନିଷ୍ପତ୍ତି କ୍ରମେ ପଟ୍ଟା ପ୍ରଦାନ କରିବା, ଓଡ଼ିଶା ରାଜ୍ୟର କୌଣସି ଜିଲ୍ଲାରେ ଗ୍ରାମ୍ୟ ଜଙ୍ଗଲ ଯୋଗ୍ୟ କିସମ ନ ଥିବା ବେଳେ ନୂଆପଡ଼ା ଜିଲ୍ଲା ପ୍ରଶାସନ ଏକ କିସମ ଦର୍ଶାଇ ଏହାକୁ ପଟ୍ଟା ଦେବାରେ ବାରଣ କରୁଛି । ଏହି କିସମକୁ ତୁରନ୍ତ ପଟ୍ଟା ପ୍ରଦାନ କରିବା, ପଡ଼ା ଗ୍ରାମକୁ ରାଜସ୍ୱ ଗ୍ରାମର ଘୋଷଣା କରିବା, ପହରିଆ ଜନଜାତିକୁ ଆଦିବାସୀର ମାନ୍ୟତା, ପଡ଼ା ଗ୍ରାମରେ ମିନି ଅଙ୍ଗନୱାଡି କେନ୍ଦ୍ର ସ୍ଥାପନ କରିବା, କିଛି ଆଦିବାସୀ ଶ୍ରେଣୀର ବନବାସୀଙ୍କୁ ମିଳିଥିବା ପଟ୍ଟାରେ କୌଣସି ପ୍ଲଟ ନଂ କିମ୍ବା ଖାତା ନମ୍ବର ଏପରିକି ଚୌହଦି ଦର୍ଶାଯାଇନାହିଁ । ଏହାକୁ ବାତିଲ କରି ନୂତନ ପଟ୍ଟା ପ୍ରଦାନ କରିବା ସମେତ ବଣ ପାହାଡ ଘେରା ମାଓ ଅଞ୍ଚଳ କୁହାଯାଉଥିବା ବୋଡ଼େନ ବ୍ଲକର ଭଇଁସାଦାନି ପଞ୍ଚାୟତ ସ୍ଥିତ ପାଟଦରାହ ଗ୍ରାମର ବିଭିନ୍ନ ଜଙ୍ଗଲରେ ବନ ବିଭାଗ ଦ୍ଵାରା ରୋପଣ କରାଯାଇଥିବା ଚାରା ଓ ଗାତ ଖୋଳିବା କାର୍ଯ୍ୟରେ ଶ୍ରମିକମାନଙ୍କୁ ୫ରୁ ୭ ଲକ୍ଷ ଟଙ୍କା ପାଉଣା ଦୀର୍ଘ ୨ ବର୍ଷ ବିତି ଯାଇଥିଲେ ମଧ୍ୟ ମିଳିପାରି ନାହିଁ । ଏହାର ତୁରନ୍ତ ପାଉଣା ପ୍ରଦାନ ଦାବୀ ନେଇ ବନବାସୀମାନେ ବେଶ୍ ଗର୍ଜି ଥିଲେ । ଖଡିଆଳ ରାଜା ଦରବାରଠାରେ ହଜାର ହଜାର ବନବାସୀ ସମାବେଶ ହୋଇ ବିରାଟ ପଟୁଆରରେ ଖଡିଆଳ ସହର ପରିକ୍ରମା କରିବା ସହ ଡିଏଫଓ ଅଫିସ ନିକଟରେ ପହଞ୍ଚିଥିଲେ । ସେଠାରେ ଡିଏଫ୍‌ଓଙ୍କ ସହିତ କଥା କଟାକଟି ହୋଇ ସରକାରଙ୍କ ନିୟମମୁତାବକ ସମସ୍ତ ସୁବିଧା ସୁଯୋଗ ପ୍ରଦାନ କରିବା ପାଇଁ ଡିଏଫଓ ପ୍ରକାଶ କରିବା ସହ ଯଥାଶୀଘ୍ର ସମାଧାନ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ସେଠାରୁ ଖଡିଆଳ ତହସିଲଦାରଙ୍କ ଅନୁପସ୍ଥିତିରେ ମୂଖ୍ୟ କିରାଣୀଙ୍କୁ ଦାବୀପତ୍ର ପ୍ରଦାନ କରିଥିଲେ । ଏହି ସମାବେଶରେ ନୂଆପଡ଼ା ଜଙ୍ଗଲ ଜମି ମୁକ୍ତି ଆନ୍ଦୋଳନର ଆବାହକ ମେଘନାଦ ଖର୍ସେଲ, ବରିଷ୍ଠ ଆଇନଜୀବୀ ତଥା ଜିଲ୍ଲା ପ୍ରମୁଖ ହୀରାଲାଲ ମାଝି, ଯୁଧିଷ୍ଠିର ସାହୁ, ସୌଦାଗର ସାହୁ, ଚୈତନ୍ୟ ମାଝି, ଶୁଭ୍ରାଂଶୁ କୁମାର ନାଏକ, କେଶରୀ ମାଝି, ପିଙ୍ଗଲ ମାଝି, ହନୁରାମ ମାଝି, ଦୁର୍ଗା ସିଂ ମାଝି, ମନୋହର ମାଝି, ତ୍ରିଲୋଚନ ମାଝି, ଭୋଲାର ସିଂ ମାଝି, ତୀର୍ଥ ମାଝି, ବାସୁଦେବ ମାଝି, ପ୍ରେମଲାଲ ନାଏକ, ବ୍ରଜ ମାଝି, ଠାବ ସିଂ ମାଝିଙ୍କ ସମେତ ଅନେକ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

2 × five =