pakka

ଡେଲାଙ୍ଗ ଓ କଣାସରେ ପ୍ରତିବର୍ଷ ବନ୍ୟା ପରିସ୍ଥିତି ସୃଷ୍ଟି : କଣ୍ଟି ଓ ମାଧିପୁର କାଜକୁ ବନ୍ଦ କରିବା ପାଇଁ ଦାବୀ

bbehera

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ନଦୀ ବନ୍ଧ ସୁଦୃଢିକରଣ, ନଦୀ ଖନନ ନିମନ୍ତେ ସରକାର କୋଟି କୋଟି ଟଙ୍କା ଅର୍ଥ ବ୍ୟୟ କରୁଛନ୍ତି । ହେଲେ ବନ୍ୟା ସମୟରେ ଲୋକଙ୍କ ସମସ୍ୟା ବୃଦ୍ଧି ପାଇବାରେ ଲାଗିଛି । ବନ୍ୟା ସମୟରେ କେଉଁଠି ନଦୀ ବନ୍ଧ ଭାଙ୍ଗିଲାଣି ତ କେଉଁଠି ବନ୍ଧରେ ଗଳିଆ ପଡି ଗାଁ ଗଣ୍ଡାରେ ପାଣି ପଶି ସମସ୍ୟା ବଢାଇ ଥାଏ । ପୁରୀ ଜିଲ୍ଲାରେ କଣାସ ସବୁଠାରୁ ଖାଲୁଆ ଅଞ୍ଚଳ ଭାବେ ପରିଚିତ । ବନ୍ୟା ସମୟରେ ଏହି ବ୍ଲକରେ ପ୍ରାୟ ୧୮ଟି ପଞ୍ଚାୟତ ପାଣି ଘେରରେ ବୁଡି ରହିଥାଏ । ଏବେ କିନ୍ତୁ ଦୟାନଦୀର କଣ୍ଟି ଓ ମାଧିପୁର କାଜ ଯୋଗୁଁ ଡେଲାଙ୍ଗ ବ୍ଲକର ୧୪ରୁ ଅଧିକ ପଞ୍ଚାୟତ ବନ୍ୟା ଜଳରେ ଉବୁଟୁବୁ ହେବାର ନଜିର ରହିଛି । ଏହାର ସ୍ଥାୟୀ ପ୍ରତିକାର ପାଇଁ ସରକାର ଗୁରୁତ୍ୱ ଦେଉନାହାନ୍ତି ବୋଲି ସ୍ଥାନୀୟ ଚାଷୀମାନେ ଅଭିଯୋଗ କରିଛନ୍ତି । ବନ୍ୟାର ସ୍ଥାୟୀ ପ୍ରତିକାର ନିମନ୍ତେ ଡେଲାଙ୍ଗ ହାଟ ବଜାର ସନ୍ନିକଟ ରାମଚନ୍ଦ୍ରପୁର ବିଜୟ ମଣ୍ଡପ ପରିସରରେ କୃଷକ ସଂଘର୍ଷ ସମନ୍ୱୟ ସମିତି ଆହ୍ୱାନରେ କୃଷକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ସମନ୍ୱୟ ସମିତିର ସଭାପତି ବେଣୁଧର ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମ୍ମିଳନୀରେ କୃଷକ ନେତା ଅଶୋକ ପ୍ରଧାନ, କିଷାନ ପଟ୍ଟନାୟକ, ପ୍ରଦ୍ୟୁମ୍ନ ପରିଡା, ବିରଞ୍ଚି ନାରାୟଣ ପ୍ରଧାନ, ପ୍ରକାଶ ନାୟକ, କଣାସ ବ୍ଲକର ସୁକାନ୍ତ ସାମନ୍ତରାୟ, ଯୁଧିଷ୍ଠିର ମହାପାତ୍ର, ଦେବଦତ୍ତ ପରିଡା, ଦୁର୍ଯ୍ୟୋଧନ ଜେନା, ପିପିଲି ବ୍ଲକର ସର୍ବେଶ୍ୱର ଭାରତୀ, ବାସୁଦେବ ସ୍ୱାଇଁ, ଦାଶରଥି ବେହେରା, ଯୁଗଳକିଶୋର ଭୋଇ, ସତ୍ୟବାଦୀ ବ୍ଲକର ଶ୍ରୀଧର ବିଶ୍ୱାଳ, ସୁବାଷ ଜେନା ପ୍ରମୁଖ କୃଷକ ନେତାମାନେ ଯୋଗ ଦେଇଥିଲେ । ବନ୍ୟା ନିୟନ୍ତ୍ରଣ ନିମନ୍ତେ କଣ୍ଟି ଓ ମାଧିପୁର କାଜ ବନ୍ଦ କରିବା, ନଦୀ ଖନନ କରି ବନ୍ଧ ଉଚ୍ଚା କରିବା, ନଦୀ ସଯ୍ୟାରେ ଥିବା ବେଣା ବୁଦା ଓ ଅନେକ ମହାଦୃମ ପଣସ, ଆମ୍ବ, ବର, ପୋଲାଙ୍ଗ ପ୍ରଭୃତି ଗଛ ଗୁଡିକୁ କାଟି ସଫା କରିବା, ଲୁଣା ନଦୀର ଡାହାଣ ପାର୍ଶ୍ଵ ବନ୍ଧ ଡେଲାଙ୍ଗ ହାଟ ବଜାର ଠାରୁ ମୁନିନ୍ଦା ପର୍ଯ୍ୟନ୍ତ ନୂତନ ନଦୀ ବନ୍ଧ ତିଆରି କରିବା, କଲଭଟ ଗୁଡିକରେ ଗେଟ୍‌ ଲଗାଇବା ଆଦି ବିଭିନ୍ନ ଦିଗରେ ଆଲୋଚନା କରାଯାଇଥିଲା । କାଜ ପାଣିକୁ ନିୟନ୍ତ୍ରଣ କରି ଖଲାସ କରିବାକୁ ଏକ ନୂତନ ଖଲାସିନାଳର ବ୍ୟବସ୍ଥା କରାଯାଇ ଡେଲାଙ୍ଗ ହାଟ ବଜାର ସନ୍ନିକଟ ଲୁଣା ନଦୀରେ ସଂଯୋଗ କରାଗଲେ ଏକ ରକମର ବନ୍ୟାଜଳକୁ ନିୟନ୍ତ୍ରଣ କରିହେବ ବୋଲି କୃଷକ ନେତା ଶ୍ରୀ ପ୍ରଧାନ ମତବ୍ୟକ୍ତ କରିଥିଲେ । ଗତ ବନ୍ୟାରେ ପିପିଲି, ଡେଲାଙ୍ଗ, କଣାସ ଓ ସତ୍ୟବାଦୀ ବ୍ଲକର ଅନେକ ପଞ୍ଚାୟତରେ ବନ୍ୟା ଜଳ ପଶିବା ଦ୍ୱାରା ଅନେକ ଧାନ ଜମି ନଷ୍ଟ ହେବା ସହିତ ସାଧାରଣ ଜୀବନ ଯାପନ ଉପରେ ପ୍ରଭାବ ପଡିଥିଲା । ବନ୍ୟା ଜଳରେ ପ୍ରତିବର୍ଷ ଅନେକ ସ୍ଥାନରେ ନଦୀ ବନ୍ଧ ଭାଙ୍ଗି ଘାଇ ସୃଷ୍ଟି ହେବା ଦ୍ୱାରା ଫସଲ ନଷ୍ଟ କ୍ଷତିପୂରଣ ସରକାର ଭରଣା କରୁଥିବା ବେଳେ ସ୍ଥାୟୀ ପ୍ରତିକାର କାହିଁକି କରାଯାଉନାହିଁ ବୋଲି ସମ୍ମିଳନୀରେ ଉଦବେଗ ପ୍ରକାଶ ପାଇଥିଲା । ଅନ୍ୟପଟେ କଣାସ ଅଞ୍ଚଳ ଲୁଣିଆ ପାଣି ଯୋଗୁଁ ନଦୀରୁ ପାନୀୟ ଜଳ ସଂଗ୍ରହକରି ଦୈନନ୍ଦିନ ବ୍ୟବହାର କରୁଛନ୍ତି । ହେଲେ ଭୁବନେଶ୍ୱର ଗଙ୍ଗୁଆ ନାଳର ଦୂଷିତ ଜଳ ଦୟାରେ ପ୍ରବାହିତ ଯୋଗୁଁ ଅନେକ ରୋଗାକ୍ରାନ୍ତ ହେବାର ନଜିର ରହିଛି । ଏନେଇ ସରକାର ଯଦି କୌଣସି ପଦକ୍ଷେପ ଗ୍ରହଣ ନକରନ୍ତି ତେବେ ଆଗାମୀ ଦିନରେ ଯୋଗ ଦେଇଥିବା ଶତାଧିକ ଚାଷୀ ସେମାନଙ୍କ ପିଲାଛୁଆଙ୍କୁ ଧରି କାଜ ଠାରେ ଧାରଣା ଦେବେ ବୋଲି ଚେତାବନୀ ଦେଇଛନ୍ତି । ଏହି ଆନ୍ଦୋଳନକୁ ତୀବ୍ରତର କରିବା ପାଇଁ ୪ ବ୍ଲକରେ ୧୬ ଜଣଙ୍କୁ ନେଇ କମିଟି ଗଠନ କରାଯାଇଛି । ଆଗାମୀ ୧୫ ଦିନରେ କଣାସ ବ୍ଲକରେ ୧ ହଜାର ଲୋକଙ୍କୁ ନେଇ ଏକ ବୈଠକ କରାଯିବ ବୋଲି ଶ୍ରୀ ମହାପାତ୍ର ସ୍ପଷ୍ଟିକରଣ ଦେଇଛନ୍ତି ।

Leave A Reply

Your email address will not be published.

5 × 4 =