ବିଜ୍ଞାପିତ ଅଞ୍ଚଳ ଘୋଷଣା ପରେ ବିଜୁ ଜନତା ଦଳ ତରଫରୁ ସାମ୍ବାଦିକ ସମ୍ବିଳନୀ : ସବରେଜିଷ୍ଟ୍ରି ଅଫିସ ଓ ଶବ ବ୍ୟବଚ୍ଛେଦ କେନ୍ଦ୍ର ସ୍ଥାପନ ପାଇଁ ଉଠିଲା ଦାବୀ
ସଇଁତଲା, (ପ୍ରମୋଦ କୁମାର ସେଲମା) : ଦୀର୍ଘ ୩୦ ବର୍ଷ ପରେ ସଇଁତଲା ଅଞ୍ଚଳକୁ ରାଜ୍ୟ ସରକାର ବିଜ୍ଞାପିତ ଅଞ୍ଚଳ ଭାବେ ଘୋଷଣା କରିବା ପରିପ୍ରେକ୍ଷୀରେ ସଇଁତଲା ବ୍ଲକ ବିଜୁ ଜନତା ଦଳ ତରଫରୁ ଏକ ସାମ୍ବାଦିକ ସମ୍ବିଳନୀ ଆୟୋଜିତ କରାଯାଇଥିଲା । ଏଥିରେ ବିଜେଡି ଜିଲ୍ଲା ଉପସଭାପତି ସୁରେନ୍ଦ୍ର କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଓକିଲ ସଂଘ ସଭାପତି ମାନଭଞ୍ଜନ ପାଣିଗ୍ରାହୀ, ଆଇନଜୀବୀ ସତ୍ୟନାରାୟଣ ସାହୁ, ପୂର୍ବତନ ସରପଞ୍ଚ ଭୀମସେନ ସ୍ୱାଇଁଙ୍କ ଉପସ୍ଥିତରେ ଏହି ସାମ୍ବାଦିକ ସମ୍ବିଳନୀରେ ଦୀର୍ଘ ୩୦ ବର୍ଷ ପରେ ସଇଁତଲାବାସୀଙ୍କ ମଧ୍ୟରେ ଖୁସିର ମାହୋଲ ଦେଖାଦେଇଛି । ପ୍ରକାଶ ଯେ, ଏହି ବିଜ୍ଞାପିତ ଅଞ୍ଚଳ ପାଇଁ ୧୯୯୨ ମସିହାରେ ପୂର୍ବତନ ବିଧାୟକ ଯଜ୍ଞଶ୍ୱରବାବୁଙ୍କ ସମୟରେ ଦାବୀ ହୋଇ ଆସୁଥିଲା । ଏହା ସହିତ ୨୦୧୩ ମସିହାରେ ସୁରେନ୍ଦ୍ର ସାହୁଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ସଇଁତଲା ବିଡ଼ିଓଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବୀପତ୍ର ପ୍ରଦାନ କରିଥିଲେ । ପରେ ସହରର ବିଭିନ୍ନ ସଂଗଠନ ତରଫରୁ ଆନ୍ଦୋଳନ ସହ ଧାରଣା ଜାରି ରଖିଥିଲେ । ଏହାପରେ ୫-ଟି ଅଧ୍ୟକ୍ଷ ଭି. କେ. ପାଣ୍ଡିଆନ ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ଓ ସଇଁତଲା ବ୍ଲକ ଗସ୍ତରେ ଆସିଥିବା ବେଳେ ଅଞ୍ଚଳବାସୀଙ୍କ ତରଫରୁ ୨ ଥର ଲେଖାଏଁ ଦାବୀପତ୍ର ପ୍ରଦାନ କରାଯାଇଥିଲା । ଏହି ସମସ୍ୟାକୁ ରାଜ୍ୟ ସରକାର ହୃଦୟଙ୍ଗମ କରି ଦୀର୍ଘ ୩୦ ବର୍ଷ ପରେ ଗତ ଶନିବାର ଦିନ ରାଜ୍ୟ ସରକାର ସଇଁତଲା ସହରକୁ ବିଜ୍ଞାପିତ ଅଞ୍ଚଳ ଭାବେ ଘୋଷଣା କରିବା ପରେ ଅଞ୍ଚଳରେ ଖୁସିର ମାହୋଲ ଦେଖାଦେଇଛି । ଏହି ସାମ୍ବାଦିକ ସମ୍ବିଳନୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଭି. କେ. ପାଣ୍ଡିଆନ ଓ ମନ୍ତ୍ରୀ ଟୁକୁନୀ ସାହୁଙ୍କୁ ଧନ୍ୟବାଦ ସହ ଅଭିନନ୍ଦନ ଜଣାଇଛନ୍ତି ଅଞ୍ଚଳବାସୀ । ସେହିପରି ଗତ ୪୦ ବର୍ଷ ହେଲା ସଇଁତଲା ଠାରେ ଶବ ବ୍ୟବଚ୍ଛେଦ କେନ୍ଦ୍ର ଦାବୀ ହୋଇ ଆସୁଥିବା ସହ ସବରେଜିଷ୍ଟ୍ରି ଅଫିସ ପାଇଁ ମଧ୍ୟ ଦାବୀ ଉଠିଥିଲା । ଏ ଦିଗରେ ସରକାର ତୁରନ୍ତ ପଦେକ୍ଷପ ଗ୍ରହଣ କରିବା ପାଇଁ ଦାବୀ ହେଉଛି । ଏହି ପରିପେକ୍ଷୀରେ କେକ୍ କଟାଯାଇ ସମସ୍ତଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଯାଇଥିଲା । ଏହି ସାମ୍ବାଦିକ ସମ୍ବିଳନୀରେ ଆଦିବାସୀ କଲ୍ୟାଣ ସଂଘ ସଭାପତି ସନ୍ତୋଷ ପୁଟା, ସୋମନାଥ ପୁଟେଲ, ଲକ୍ଷଣ ସେଠ, ବିନୟ ଭୋଇ, ବାଳକୃଷ୍ଣ ସା, ମୃତୁଞ୍ଜୟ ସାହୁ, ସଞ୍ଜୟ ରଥଙ୍କ ସହ ସହରର ଅନ୍ୟାନ୍ୟ ଯୁବକମାନେ ସାମିଲ ହୋଇଥିଲେ ।