pakka

୧୧ ଦଫା ଦାବୀ ନେଇ ଆନ୍ଦୋଳନକୁ ଓହ୍ଲାଇଲା ବଲାଙ୍ଗିର ଜିଲ୍ଲା ସରପଞ୍ଚ ମହାସଂଘ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ୧୧ ଦଫା ଦାବୀ ନେଇ ଆନ୍ଦୋଳନକୁ ଓହ୍ଲାଇଛି ବଲାଙ୍ଗିର ଜିଲ୍ଲା ସରପଞ୍ଚ ମହାସଂଘ । ଦାବୀ ପୂରଣ ନ ହେଲେ ଆଗକୁ ଘନଘୋର ଆନ୍ଦୋଳନ ଚେତାବନୀ ଦେଇଛି ମହାସଂଘ । ଆଜି ବଲାଙ୍ଗିର ଜିଲ୍ଲାର ଗ୍ରାମ ପଞ୍ଚାୟତଗୁଡ଼ିକର ସରପଞ୍ଚମାନେ ଏକଜୁଟ୍‌ ହୋଇ ବଲାଙ୍ଗିର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଛନ୍ତି । ମହାସଂଘ ପକ୍ଷରୁ କୁହାଯାଇଛି ଯେ, ତ୍ରିସ୍ତରୀୟ ପଞ୍ଚାୟତ ରାଜ ବ୍ୟବସ୍ଥାକୁ ଅଣଦେଖା କରି ପଞ୍ଚାୟତ ରାଜ ବ୍ୟବସ୍ଥାକୁ ଅସାମ୍ବିଧାନିକ ଭାବେ କ୍ଷୂର୍ଣ୍ଣ କରାଯାଉଥିବାରୁ ଆଜି ବାଧ୍ୟ ହୋଇ ସେମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ମହାସଂଘ ପକ୍ଷରୁ ଆହୁରି କୁହାଯାଇଛି ଯେ, ତ୍ରିସ୍ତରୀୟ ପଞ୍ଚାୟତି ରାଜ ବ୍ୟବସ୍ଥାରେ ଗ୍ରାମ ପଞ୍ଚାୟତକୁ ଅଖଣ୍ଡ କ୍ଷମତା ଦିଆଯାଇଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ଶାସନ କାଳରେ ପଞ୍ଚାୟତ ଗୁଡ଼ିକୁ ସୁଦୃଢ଼ କରିବା ପାଇଁ ଅନେକ ପଦକ୍ଷେପ ଗ୍ରହଣ କରାଯାଇଥିଲା । ସେ ମଧ୍ୟରୁ ମହିଳାମାନଙ୍କୁ ୩୦ ପ୍ରତିଶତ ଆସନ ସଂରକ୍ଷଣ ବ୍ୟବସ୍ଥା ଅନ୍ୟତମ । କିନ୍ତୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଉ ପାଦେ ଆଗକୁ ବଢ଼ି ମହିଳା ମାନଙ୍କ ପାଇଁ ୫୦ ପ୍ରତିଶତ ଆସନ ସଂରକ୍ଷଣର ବ୍ୟବସ୍ଥା କରିଛନ୍ତି । କରୋନା ମହାମାରୀର ମୁକାବିଲା ପାଇଁ ସରକାର ସରପଞ୍ଚମାନଙ୍କ ଉପରେ ଆସ୍ଥା ରଖି ଜିଲ୍ଲାପାଳ କ୍ଷମତା ଅର୍ପଣ କରି ଏକ ଇତିହାସ ସୃଷ୍ଟି କରିଥିଲେ । ହେଲେ ପରବର୍ତୀ କାଳରେ ୨୦୨୦-୨୧ ଆର୍ଥିକ ବର୍ଷ ପରେ ବିଭିନ୍ନ ପ୍ରଶାସନିକ ଚିଠି ବଳରେ ଗ୍ରାମ ପଞ୍ଚାୟତର ସମସ୍ତ କ୍ଷମତା ଅପସାରଣ କରିଦିଆଯାଇଛି ଓ ସମସ୍ତ କ୍ଷମତା ପଞ୍ଚାୟତ ସମିତି ହାତରେ ସମର୍ପି ଦିଆଯାଉଛି । ଅନ୍ୟ ରାଜ୍ୟଗୁଡିକରେ ଗ୍ରାମ ପଞ୍ଚାୟତଗୁଡ଼ିକୁ ସୁଦୃଢ଼ କରିବା ସହ ସାଧାରଣ ଜନତା ସମସ୍ତ ମୌଳିକ ସୁବିଧା କେମିତି ପାଇପାରିବେ, ସେ ଦିଗରେ ବ୍ୟବସ୍ଥା କରାଯାଇ ପଞ୍ଚାୟତ ସଂଗଠନକୁ ଆହୁରି ସୁଦୃଢ କରାଯାଇଛି । କିନ୍ତୁ ଓଡ଼ିଶାରେ ତ୍ରିସ୍ତରୀୟ ପଞ୍ଚାୟତ ରାଜ ବ୍ୟବସ୍ଥାକୁ ଅଣଦେଖା କରି ପଞ୍ଚାୟତ ରାଜ ବ୍ୟବସ୍ଥାକୁ ଅସାମ୍ବିଧାନିକ ଭାବେ କ୍ଷୂର୍ଣ୍ଣ କରାଯାଉଛି । ତେବେ ମହାସଂଘ ପକ୍ଷରୁ ଦିଆଯାଇଥିବା ଦାବୀଗୁଡ଼ିକୁ ବିଚାର କରି ଯଥାଶୀଘ୍ର ପୂର୍ଣ୍ଣ କରିବା ଦିଗରେ ପଦକ୍ଷେପ ଗ୍ରହଣ କରାନଗଲେ ଆଗାମୀ ଦିନରେ ସରକାରଙ୍କୁ ଅସହଯୋଗ କରିବା ପାଇଁ ବାଧ୍ୟ ହେବୁ ବୋଲି ବଲାଙ୍ଗିର ଜିଲ୍ଲା ସରପଞ୍ଚ ମହାସଙ୍ଘ ଚେତାବନୀ ଦେଇଛି । ଆଜିର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କାର୍ଯ୍ୟକ୍ରମରେ ମହାସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଏକ ଦାବୀପତ୍ର ମଧ୍ୟ ପ୍ରଦାନ କରାଯାଇଛି ।

jay balangir
Leave A Reply

Your email address will not be published.

five − four =

error: Content is protected !!