ଦେଓଗାଁ ମେଷଫାର୍ମ ପୁନଃରୁଦ୍ଧାର ଦାବୀରେ କୃଷିମନ୍ତ୍ରୀଙ୍କୁ ଭେଟିଲେ ପ୍ରତିନିଧି ଦଳ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ଦେଓଗାଁଠାରେ ୧୯୬୭ ମସିହାରୁ ଏକ ସରକାରୀ ମେଷଫାର୍ମ ରହିଛି । ଗତ ୧୦ ବର୍ଷ ହେଲା ଏହା ଠିକ୍‌ରେ ପରିଚାଳିତ ହେଉନାହିଁ । ତେଣୁ ଏହାର ଉନ୍ନତିକରଣ କରାଯାଇ ପୁନଃରୁଦ୍ଧାର କରାଇବାକୁ ଆଜି ଦେଓଗାଁର ଏକ ପ୍ରତିନିଧି ଦଳ ଭୁବନେଶ୍ୱରଠାରେ ରାଜ୍ୟ କୃଷି ଓ ପ୍ରାଣୀ ସମ୍ପଦ ବିଭାଗର ମନ୍ତ୍ରୀ ରଣେନ୍ଦ୍ରପ୍ରତାପ ସ୍ୱାଇଁଙ୍କୁ ଭେଟି ଆଲୋଚନା କରିଛନ୍ତି । ଏହି ମେଷଫାର୍ମର ଉନ୍ନତିକରଣ କଲେ ଏହା ଅଞ୍ଚଳର ଯୁବକଙ୍କୁ ନୂତନ ନିଯୁକ୍ତି ଦେବାରେ ସହାୟକ ହେବା ସହିତ ଅଞ୍ଚଳର ଅର୍ଥନୈତିକ ବିକାଶ ହେବ ବୋଲି ଦାବୀରେ ଉଲ୍ଲେଖ କରାଯାଇଛି । ଦେଓଗାଁ ବ୍ଲକର ପୂର୍ବତନ ଅଧ୍ୟକ୍ଷ ଲକ୍ଷ୍ମଣ କୁମାର ମେହେର, ବ୍ଲକ ସରପଞ୍ଚ ସଂଘର ସଭାପତି ଘୁଣ୍ଡୁଗୋପାଲ ମିଶ୍ର ଓ ବ୍ଲକ ଯୁବ ବିଜେଡି ସଭାପତି ଶୈଳେନ୍ଦ୍ର ସାହୁ ମନ୍ତ୍ରୀଙ୍କ ବାସ ଭବନରେ ଭେଟି ଏହି ବିଷୟରେ ଜିଲ୍ଲାର କୃଷିବିକାଶ ସମ୍ପର୍କିତ ଆଲୋଚନା କରିଛନ୍ତି । ଆଲୋଚନା ପରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ପ୍ରାଣୀ ସମ୍ପଦ ବିଭାଗର ପ୍ରମୁଖ ଶାସନ ସଚିବ ଏସ.କେ.ବଶିଷ୍ଠଙ୍କୁ ବଲାଙ୍ଗିର ଜିଲ୍ଲାପାଳଙ୍କଠାରୁ ସବିଶେଷ ରିପୋର୍ଟ ମଗାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଜିଲ୍ଲାପାଳଙ୍କ ରିପୋର୍ଟ ପରେ ମେଷଫାର୍ମର ପୁନଃରୁଦ୍ଧାର କରାଯିବାକୁ ପଦକ୍ଷେପ ନେବେ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ ପ୍ରତିଶୃତି ଦେଇଥିବା ଲକ୍ଷ୍ମଣ କୁମାର ମେହେର କହିଛନ୍ତି । ପ୍ରକାଶ ଯେ, ଦେଓଗାଁରେ ୧୯୬୭ ମସିହାରୁ ଏକ ସରକାରୀ ମେଷଫାର୍ମ ରହିଛି । ଏଠାରେ ପୂର୍ବରୁ ମେଷ ପ୍ରଜନନ ସହିତ ମେଷଲୋମ ସଂଗ୍ରହ କରାଯାଇ ବିକ୍ରି କରାଯାଉଥିଲା । ଅନେକ ଯୁବକ ଏଠାରେ ନିଯୁକ୍ତି ପାଇଥିଲେ । କିନ୍ତୁ ବହୁବର୍ଷ କର୍ମଚାରୀ ଅଭାବ ସହିତ ସରକାରୀ ଅନୁଦାନ ଆସୁନଥିବାରୁ ଅବ୍ୟବସ୍ଥା ଭିତରେ ପଡିରହିଛି । ପ୍ରାୟ ୫୦ ଏକର ଜମିରେ ଏହା ରହିଛି । ତେଣୁ ଏହାର ସଠିକ୍‌ ଉପଯୋଗ କଲେ ଅଞ୍ଚଳର ବିକାଶ ହୋଇପାରିବ ବୋଲି ଏହି ପ୍ରତିନିଧି ଦଳ ମନ୍ତ୍ରୀଙ୍କ ପାଖରେ ଦାବୀ ରଖିଛନ୍ତି ।

Leave A Reply

Your email address will not be published.

four × three =