ଓଡ଼ିଶାରେ ୫୭ ହଜାର ୩୭୯ କୋଟି ବ୍ୟୟରେ କାର୍ଯ୍ୟକାରୀ ହେଉଥିବା ୪୬ଟି ସାଗରମାଳା ପ୍ରକଳ୍ପର ସମୀକ୍ଷା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

 ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରୀ ମନସୁଖ ଲାଲ
ମାଣ୍ଡଭିୟଙ୍କୁ ଧନ୍ୟବାଦ ଜଣାଇଲେ
 ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରଣାଳୟ ଏବଂ ପାରାଦୀପ ବନ୍ଦରର ଅଧ୍ୟକ୍ଷଙ୍କ ସହ
ସମୀକ୍ଷା
 ୪୬ଟି ସାଗରମାଳା ପ୍ରକଳ୍ପ ମଧ୍ୟରୁ ୫ ହଜାର ୬ କୋଟି ମୂଲ୍ୟର ୧୪ଟି ପ୍ରକଳ୍ପର କାମ ଶେଷ
 ୩୩ ହଜାର ୨୫୪ କୋଟି ଟଙ୍କା ମୂଲ୍ୟର ୨୨ଟି ପ୍ରକଳ୍ପ କ୍ରିୟାନ୍ୱୟନ ପ୍ରକ୍ରିୟାରେ ଅଛି
 ୧୯ ହଜାର ୫୯ କୋଟି ଟଙ୍କା ମୂଲ୍ୟର ୧୦ଟି ପ୍ରକଳ୍ପର ନିର୍ମାଣ କାମ କରାଯାଉଛି
 ବାଲେଶ୍ୱରର ଚାନ୍ଦିପୁର ଠାରେ ପ୍ରତିଷ୍ଠା ହେବାକୁ ଥିବା ମାଛଧରା ବନ୍ଦର ପାଇଁ ୫ କୋଟି ଦେଇଛନ୍ତି
ଭାରତ ସରକାର
 ନୂତନ ମାଛଧରା ବନ୍ଦର ଚାନ୍ଦିପୁରର ମତ୍ସ୍ୟଜୀବୀ ଓ ଅଂଚଳବାସୀଙ୍କ ଜୀବନଜୀବିକାରେ ଉନ୍ନତି ଆଣିବ
 ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଓଡ଼ିଶାରେ ନୀଳ ବିପ୍ଳବ ସ୍ୱପ୍ନକୁ ପୂରଣ କରିବ

ନୂଆଦିଲ୍ଲୀ/ଭୁବନେଶ୍ୱର, (ପିଆଇବି) : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଶନିବାର ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରଣାଳୟ ଏବଂ ପାରାଦୀପ ବନ୍ଦରର ଅଧ୍ୟକ୍ଷଙ୍କ ସହ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଓଡ଼ିଶାରେ ୫୭ ହଜାର ୩୭୯ କୋଟି ବ୍ୟୟରେ କାର୍ୟ୍ୟକାରୀ ହେଉଥିବା ୪୬ଟି ସାଗରମାଳା ପ୍ରକଳ୍ପର ସମୀକ୍ଷା କରିଛନ୍ତି ଶ୍ରୀ ପ୍ରଧାନ । ଏହି ଅବସରରେ ଶ୍ରୀ ପ୍ରଧାନ ଏହି ପ୍ରକଳ୍ପର କାର୍ୟ୍ୟକାରୀ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରୀ ମନସୁଖ ଲାଲ ମାଣ୍ଡଭିୟଙ୍କୁ ଶ୍ରୀ ପ୍ରଧାନ ଧନ୍ୟବାଦ ଜଣାଇଛନ୍ତି ।

ସମସ୍ତ ସାଗରମାଳା ପ୍ରକଳ୍ପ ଗୁଡିକର ସମୀକ୍ଷା କରିବା ପରେ ଶ୍ରୀ ପ୍ରଧାନ କହିଛନ୍ତି ଓଡ଼ିଶାରେ କାର୍ୟ୍ୟକାରୀ ହେଉଥିବା ଭାରତ ସରକାରଙ୍କ ୪୬ଟି ସାଗରମାଳା ପ୍ରକଳ୍ପ ମଧ୍ୟରୁ ୫ ହଜାର ୬ କୋଟି ଟଙ୍କା ମୂଲ୍ୟର ୧୪ଟି ପ୍ରକଳ୍ପର କାମ ଶେଷ ହୋଇଛି । ୩୩ ହଜାର ୨୫୪ କୋଟି ଟଙ୍କା ମୂଲ୍ୟର ୨୨ଟି ପ୍ରକଳ୍ପ କ୍ରିୟାନ୍ୱୟନ ପ୍ରକ୍ରିୟାରେ ଅଛି ଏବଂ ୧୯ ହଜାର ୫୯ କୋଟି ଟଙ୍କା ମୂଲ୍ୟର ୧୦ଟି ପ୍ରକଳ୍ପର ନିର୍ମାଣ କାମ କରାଯାଉଛି ।

ରାଜ୍ୟରେ ବନ୍ଦରର ନବୀକରଣ, ବନ୍ଦର ସହ ସଂଯୋଗ ସ୍ଥାପନା, ବନ୍ଦର ଆଧାରିତ ଶିଳ୍ପାୟନ ଏବଂ ଉପକୂଳ ସମୂହର ବିକାଶ ଉପରେ ଧ୍ୟାନ ଦିଆଯାଇଥିବା ଏହି ପ୍ରକଳ୍ପ ଗୁଡ଼ିକ ଓଡିଶାର ଉପକୂଳବର୍ତୀ ଅଂଚଳକୁ ଆର୍ଥିକ ବିକାଶ ଏବଂ ଅନ୍ତର୍ଜାତୀୟ ଭାଲ୍ୟୁ ଚେନର ପେଣ୍ଠସ୍ଥଳି ଭାବରେ ପରିଣତ କରିବ । ସେହିପରି ବାଲେଶ୍ୱର ଜିଲ୍ଲାର ଚାନ୍ଦିପୁର ଠାରେ ୫୦ କୋଟି ଟଙ୍କା ପୁଞ୍ଜିନିବେଶରେ ହେବାକୁ ଥିବା ମାଛଧରା ବନ୍ଦର ପ୍ରତିଷ୍ଠା ପାଇଁ ଭାରତ ସରକାରଙ୍କ ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରଣାଳୟ ପକ୍ଷରୁ ଓଡ଼ିଶା ସରକାରଙ୍କ ମତ୍ସ୍ୟ ବିଭାଗକୁ ୫ କୋଟି ଟଙ୍କା ପ୍ରଦାନ କରାଯାଇଛି । ଏହି ନୂତନ ମାଛଧରା ବନ୍ଦର ଚାନ୍ଦିପୁରର ମତ୍ସ୍ୟଜୀବୀ ତଥା ସ୍ଥାନୀୟ ଅଂଚଳବାସୀଙ୍କ ଜୀବନଜୀବିକାରେ ଉନ୍ନତି ଆଣିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଓଡ଼ିଶାରେ ନୀଳ ବିପ୍ଳବ ସ୍ୱପ୍ନକୁ ପୂରଣ କରିବାରେ ସହାୟକ ହେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

Leave A Reply

Your email address will not be published.