jayashree

ଓରମାସ୍ ପକ୍ଷରୁ ସ୍ୱତନ୍ତ୍ର ଦୀପାବଳି ହସ୍ତଶିଳ୍ପ ଷ୍ଟଲ୍ ଉଦ୍‌ଘାଟିତ

  • ଗ୍ରାମୀଣ ମହିଳା ଏସ୍‌ଏଚ୍‌ଜି, ଉତ୍ପାଦକ ଗୋଷ୍ଠୀ ଓ ସ୍ଥାନୀୟ କାରିଗରଙ୍କ ଉତ୍ପାଦକୁ ବଜାର ସୁଯୋଗ ପ୍ରଦାନ ଉପରେ ଗୁରୁତ୍ୱ

ବାରିପଦା, (ଦେବସ୍ମିତ ଚୌଧୁରୀ) : ଗ୍ରାମୀଣ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, ଉତ୍ପାଦକ ଗୋଷ୍ଠୀ ଓ ସ୍ଥାନୀୟ କାରିଗରମାନଙ୍କ ଦ୍ୱାରା ପ୍ରସ୍ତୁତ ସାମଗ୍ରୀର ପ୍ରଚାରପ୍ରସାର ତଥା ବିକ୍ରୟ ପାଇଁ ବଜାର ସୁଯୋଗ ସୃଷ୍ଟି ଉଦ୍ଦେଶ୍ୟରେ ଓରମାସ୍ ପକ୍ଷରୁ ଆୟୋଜିତ ଏକ ସ୍ୱତନ୍ତ୍ର ଦୀପାବଳି ହସ୍ତଶିଳ୍ପ ଷ୍ଟଲ୍‌କୁ ମୟୂରଭଞ୍ଜ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଧର୍ମାନନ୍ଦ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍‌ଘାଟନ କରିଛନ୍ତି । ଏହି ଅବସରରେ ମୁଖ୍ୟ ଅତିଥି ଶ୍ରୀ ବେହେରା ନିଜ ବକ୍ତବ୍ୟରେ ଏଭଳି ଷ୍ଟଲ୍ ଗ୍ରାମୀଣ ଉଦ୍ୟୋଗୀ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଓ ସ୍ଥାନୀୟ କାରିଗରମାନଙ୍କ ପାଇଁ ନିଜସ୍ୱ ଉତ୍ପାଦକୁ ଲୋକଲୋଚନକୁ ଆଣିବା ସହ ଉପଯୁକ୍ତ ବଜାର ସଂଯୋଗ ସ୍ଥାପନର ଏକ ଉତ୍ତମ ମାଧ୍ୟମ ବୋଲି ପ୍ରକାଶ କରିଥିଲେ । ଏହାଦ୍ୱାରା ସେମାନଙ୍କ ଉତ୍ପାଦର ଚାହିଦା ବୃଦ୍ଧି, ଆୟ ବୃଦ୍ଧି ଏବଂ ଗ୍ରାମୀଣ ଜୀବିକାକୁ ସୁଦୃଢ଼ କରିବାରେ ସହାୟତା ମିଳିପାରିବ ବୋଲି ସେ ମତପ୍ରକାଶ କରିଥିଲେ । ଏଥିସହ ସ୍ଥାନୀୟ ହସ୍ତଶିଳ୍ପ ଓ ପାରମ୍ପରିକ କଳାକୃତିର ସଂରକ୍ଷଣ ସହ ଏହାର ବ୍ୟବହାର ଓ ବଜାର ଚାହିଦା ବୃଦ୍ଧି ପାଇଁ ସାଧାରଣ ଲୋକଙ୍କୁ ଏଭଳି ଉତ୍ପାଦ କ୍ରୟ କରିବାକୁ ଆହ୍ୱାନ ଜଣାଇଥିଲେ । ଏହି ସ୍ୱତନ୍ତ୍ର ଷ୍ଟଲ୍‌ରେ ଗ୍ରାମୀଣ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, ଉତ୍ପାଦକ ଗୋଷ୍ଠୀ, କୃଷକ ଉତ୍ପାଦକ ସଂଗଠନ ଏବଂ ସ୍ଥାନୀୟ କାରିଗରମାନଙ୍କ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ହସ୍ତଶିଳ୍ପ ସାମଗ୍ରୀ, ପରିବେଶ ଅନୁକୂଳ ମାଟିରେ ନିର୍ମିତ ଟେରାକୋଟା ସାମଗ୍ରୀ ଏବଂ ପାରମ୍ପରିକ କଳାକୃତି ପ୍ରଦର୍ଶିତ ହୋଇଛି । ଦୀପାବଳି ଉତ୍ସବକୁ ଦୃଷ୍ଟିରେ ରଖି ଏହି ସାମଗ୍ରୀଗୁଡ଼ିକ ଉପଭୋକ୍ତାମାନଙ୍କୁ ସ୍ଥାନୀୟ ଉତ୍ପାଦ ଓ ପାରମ୍ପରିକ କାରିଗରୀ ସହ ପରିଚିତ କରାଇବା ପାଇଁ ସୁଯୋଗ ପ୍ରଦାନ କରୁଛି । ଏହି ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଓରମାସ୍‌ର ଡେପୁଟି ସିଇଓ ଭାଗ୍ୟଲକ୍ଷ୍ମୀ ରାଉତ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶିଶିର କୁମାର ମୁନ୍ଦୁୟା, ପ୍ରୋଜେକ୍ଟ ମ୍ୟାନେଜର (ଜୀବିକା) ମଧୁସ୍ମିତା ଭୂୟାଁ, ପ୍ରୋଜେକ୍ଟ ମ୍ୟାନେଜର (ଗ୍ରାମୀଣ ଗୃହ ନିର୍ମାଣ) କନ୍ୟାକୁମାରୀ ମିଶ୍ର ଏବଂ ମୟୂରଭଞ୍ଜ ସବାଇ ଫାର୍ମସ ପ୍ରଡ୍ୟୁସର କମ୍ପାନୀ ଲିମିଟେଡ୍‌ର ସଦସ୍ୟମାନେ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମକୁ ସଫଳ କରିବାରେ ଓରମାସ୍ ମୟୂରଭଞ୍ଜର ସମସ୍ତ କର୍ମଚାରୀ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ ।

Leave A Reply

Your email address will not be published.