ଜଣେ ସଫଳ ବ୍ୟକ୍ତିତ୍ୱ ଓ ରାଷ୍ଟ୍ରବାଦୀ ବିଚାରଧାରାର ପୃଷ୍ଠପୋଷକ ଥିଲେ ଡା. ମହତାବ : ଧର୍ମେନ୍ଦ୍ର ପ୍ରଧାନ

 ‘ସାମାଜିକ ପରିବନ ପାଇଁ ସମ୍ବାଦ’ ଶୀର୍ଷକ ଉପରେ ଆଲୋଚନା
 ଡା. ମହତାବ ହେଉଛନ୍ତି ଓଡ଼ିଆ ଲୋକଙ୍କ ପରିଚୟ
 ତାଙ୍କର କୁଶଳୀ ନୀତି ଯୋଗୁଁ ଗଡ଼ଜାତ ମିଶ୍ରଣରେ ନୀଳଗିରି ଓଡ଼ିଶାରେ ମିଶି ପାରିଥିଲା
 ରାଷ୍ଟ୍ରୀୟ ସ୍ତରରେ ଓଡିଶାର ନେତୃତ୍ୱକୁ ସ୍ଥାପିତ କରିବାରେ ଅଗ୍ରଣୀ ଭୂମିକା ନେଇଥିଲେ

ନୂଆଦିଲ୍ଲୀ/ଭୁବନେଶ୍ୱର,(ପିଆଇବି) : ନବଉତ୍କଳର ନିର୍ମାତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଉତ୍କଳ କେଶରୀ ଡା.ହରେକୃଷ୍ଣ ମହତାବଙ୍କ ବିଚାରଧାରା ଏବଂ ବ୍ୟକ୍ତିତ୍ୱ ଆଜିର ସମୟରେ ମଧ୍ୟ ପ୍ରାସଙ୍ଗିକ ହୋଇଛି । ସେ ଜଣେ ସଫଳ ବ୍ୟକ୍ତିତ୍ୱ ଓ ରାଷ୍ଟ୍ରବାଦୀ ବିଚାରଧାରାର ପୃଷ୍ଠପୋଷକ ଥିଲେ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଡା.ହରେକୃଷ୍ଣ ମହତାବଙ୍କ ୧୨୧ତମ ଜୟନ୍ତୀ ଅବସରରେ ଶନିବାର ଆଇଏମଏସ ଦ୍ୱାରା ଆୟୋଜିତ ଚତୁର୍ଥ ଜାତୀୟ ମିଡ଼ିଆ କନକ୍ଲେଭର ‘ସାମାଜିକ ପରିବର୍ତନ ପାଇଁ ସମ୍ବାଦ’ ଶୀର୍ଷକ କାର୍ୟ୍ୟକ୍ରମକୁ ଉଦଘାଟନ କରିବା ସହ ଡା.ମହତାବଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ଶ୍ରୀ ପ୍ରଧାନ । ବର୍ତମାନ ସମୟରେ ଜାତୀୟ ମିଡ଼ିଆ କନକ୍ଲେଭ ଭଳି ପ୍ଲାଟଫର୍ମରେ ସମାଜ ଜୀବନର ଅନେକ ପ୍ରାସଙ୍ଗିକ ବିଷୟ ତଥା ବିଶେଷ ଭାବରେ ସମାଜର କଲ୍ୟାଣ ପାଇଁ ତର୍କବିତର୍କ ହେବା ଦରକାର । ଡା. ମହତାବ ହେଉଛନ୍ତି ଓଡ଼ିଆ ଲୋକଙ୍କ ପରିଚୟ । ଓଡ଼ିଶାକୁ ବୁଝିବାକୁ ହେଲେ ତାଙ୍କର ଜୀବନ ଓ ବିଚାରଧାରାକୁ ବୁଝିବାକୁ ପଡ଼ିବ । ବାଲ୍ୟ କାଳରୁ ଜୀବନର ଅନ୍ତିମ ସମୟ ପର୍ୟ୍ୟନ୍ତ ଡା. ମହତାବ ଓଡିଶା ଭାଷା, ସାହିତ୍ୟର ପୁନରୁଦ୍ଧାର ଓ ସାମାଜିକ କ୍ଷେତ୍ରରେ ମଧ୍ୟ ଯୋଗଦାନ ଦେଇଥିଲେ । ୨୦୩୬ ମସିହାରେ ଭାଷା ଆଧାରିତ ରାଜ୍ୟ ଗଠନ ହେବାରେ ଓଡ଼ିଶାକୁ ୧୦୦ ବର୍ଷ ପୂରିବ । ଓଡ଼ିଶାକୁ ଭାଷା ଆଧାରିତ ରାଜ୍ୟ ଭାବେ ଗଠନ କରିବା ପାଇଁ ଡା. ମହତାବ ଯୁବ ସମୟରେ ମଧ୍ୟ ନେତୃତ୍ୱ ନେଇଥିଲେ । ସେହିପରି ଡା. ମହତାବଙ୍କ କୁଶଳୀ ନୀତି ଯୋଗୁଁ ଗଡ଼ଜାତ ମିଶ୍ରଣରେ ବାଲଶ୍ୱର ଜିଲ୍ଲାର ନୀଳଗିରି ଓଡ଼ିଶାରେ ମିଶି ପାରିଥିଲା । ଡ. ମହତାବ ଜଣେ ବହୁମୁଖୀ ପ୍ରତିଭାର ଅଧିକାରୀ ଥିଲେ । ସେ ସାମ୍ବାଦିକତା, ସାହିତ୍ୟ, ବୈଦେଶିକ ନୀତି, କୃଷି, ଉଦ୍ୟୋଗ ତଥା ସମସ୍ତ କ୍ଷେତ୍ର ସହ ଜଡ଼ିତ ଥିଲେ । ରାଷ୍ଟ୍ରୀୟ ସ୍ତରରେ ଓଡିଶାର ନେତୃତ୍ୱକୁ ସ୍ଥାପିତ କରିବାରେ ଅଗ୍ରଣୀ ଭୂମିକା ନେଇଥିଲେ ଡା. ମହତାବ । ରାଷ୍ଟ୍ରୀୟ ସମସ୍ୟାର ସମାଧାନ ପାଇଁ ଡା. ମହତାବଙ୍କ ମୂଲ୍ୟବୋଧକୁ ସମସ୍ତେ ଆପଣାଇବା ଦରକାର ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

Leave A Reply

Your email address will not be published.