
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସହର ଶ୍ରୀ ରାମନଗର ସ୍ଥିତ ସରସ୍ୱତୀ ଶିଶୁବିଦ୍ୟାମନ୍ଦିର ପରିସରରେ ବିଦ୍ୟାଳୟସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଶନିବାର ଆୟୋଜିତ ହୋଇଥିଲା । ଉଦଘାଟନୀ ସମାରୋହରେ ମୁଖ୍ୟଅତିଥି ରୂପେ ଗୋପାଳପୁର ପୋର୍ଟ ସାମାଜିକ କଲ୍ୟାଣ ଅଧିକାରୀ ଦେବଦତ୍ତ ମିଶ୍ର ଯୋଗ ଦେଇ ଶିଶୁମାନଙ୍କ ସର୍ବାଙ୍ଗୀନ ବିକାଶ କ୍ଷେତ୍ରରେ ସରସ୍ଵତୀ ଶିଶୁବିଦ୍ୟାମନ୍ଦିରର ଉଦ୍ୟମ ଓ ପ୍ରୟାସକୁ ଖୁବ୍ ପ୍ରସଂଶା କରିଥିଲେ । ବିଦ୍ୟାଳୟର ପ୍ରଧାନାଚାର୍ଯ୍ୟ ରବୀନ୍ଦ୍ର ନାଥ ଦାଶ ଉପସ୍ଥିତ ଅତିଥିମାନଙ୍କ ପରିଚୟ ପ୍ରଦାନ ସହିତ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ବିଦ୍ୟାଳୟର ସଭାପତି ତଥା ହାଇକୋର୍ଟ ଓକିଲ ପଦ୍ମଚରଣ ସାହୁ ମଞ୍ଚାସୀନ ଅତିଥିବୃନ୍ଦଙ୍କୁ ଉପଢ଼ୌକନ ଦେଇ ସମ୍ମାନୀତ କରିଥିଲେ । ସଭାପତି ଶ୍ରୀ ସାହୁଙ୍କ ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ । ସଂପାଦକ ସନ୍ତୋଷ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ମୋଟ ୩୨୭ଜଣ ଶିଶୁ ବିଜ୍ଞାନ, ଗଣିତ, ସଂସ୍କୃତିବୋଧ ପ୍ରଶ୍ନମଞ୍ଚ, ପ୍ରକଳ୍ପ, ପତ୍ରବାଚନ, ମୂର୍ତ୍ତିକଳା ଓ ପ୍ରୟୋଗ ଆଦି ପ୍ରତିଯୋଗିତାରେ ଭାଗ ନେଇଥିଲେ । ଉକ୍ତ ବିଜ୍ଞାନ ମେଳାର ବିଚାରକ ରୂପେ ଜଗନ୍ନାଥ ପଣ୍ଡା, ବିକ୍ରମ କୁମାର ବେହେରା, ବନୋଜ ଶତପଥି, ଅଧ୍ୟାପିକା ଡଃ. ମିଲିମିତା ପାଢୀ, ସବିତା ସାହୁ, ଜ୍ୟୋତିର୍ମୟୀ ମହାପାତ୍ର,ଶିକ୍ଷକ ତୁଳସୀରାମ ମେହର, ଜୟଶ୍ରୀ ଦାଶ, ରଶ୍ମିରଞ୍ଜନ ସାହୁ, ସୋନାଲୀ ସାହୁ, ସାଇରାମ ବେହେରା, ଡଃ. ଗୌରୀଶଙ୍କର ଶତପଥୀ, ସନ୍ତୋଷ ବେହେରା, ଦୁର୍ଗା ପ୍ରସାଦ ଦାଶ, ସଦସ୍ୟ ରାମ ପ୍ରସାଦ ପଟ୍ଟନାୟକ, କୋଷାଧ୍ୟକ୍ଷ ସିମାଞ୍ଚଳ ପାତ୍ର ପ୍ରମୁଖ ଉପସ୍ଥିତ ରହି ପୁରସ୍କାର ବିତରଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ସମସ୍ତ ଶିଶୁ, ଅଭିଭାବକ ଏବଂ ଆଚାର୍ଯ୍ୟ ଆଚାର୍ଯ୍ୟମାନଙ୍କ ସହଯୋଗରେ ସଫଳ ରୂପାୟନ ହୋଇଥିଲା ।