jayashree

ଦିନ ଦ୍ୱିପହରରେ ମୁରିବାହାଲରେ ସିନ୍ଧି କରି ମୋବାଇଲ ଦୋକାନରୁ ଚୋରି ଉଦ୍ୟମ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ସମ୍ପୂର୍ଣ୍ଣ ଦିନ ଦ୍ୱିପହରରେ ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ସଦର ମହକୁମାର ଏକ ମୋବାଇଲ ଦୋକାନରୁ ପଛ ପଟୁ ସିନ୍ଧି କରି ଚୋରି ଉଦ୍ୟମ କରାଯାଇଥିବା ଚର୍ଚ୍ଚାର ବିଷୟ ହୋଇଛି । ଏ ସମ୍ପର୍କରେ କୁମ୍ଭାରୀ ଗ୍ରାମର ମୋବାଇଲ ଦୋକାନ ମାଲିକ ଯଜ୍ଞେଶ୍ୱର ଖେତି ମୁରିବାହାଲ ଥାନାରେ ଲିଖିତ ଏତଲା ଦେବା ପରେ ପୁଲିସ ଆସି ବିଭିନ୍ନ ସିସିଟିଭି ଫୁଟେଜ ଯାଞ୍ଚ କରି ଅଧିକ ତଦନ୍ତ ଜାରି ରଖିଛି । ଶ୍ରୀ ଖେତିଙ୍କ ଏତଲା ମୁତାବକ ସେ ମୁରିବାହାଲ ରାଧାକୃଷ୍ଣ, ଶିବ ମନ୍ଦିରରେ ଥିବା ୬ ନମ୍ବର ଷ୍ଟଲରେ ଗତ ୨୦୧୭ ମସିହାରୁ ଜେକେ ମୋବାଇଲ୍ ଦୋକାନ ଦେଇଛନ୍ତି । ରବିବାର ସେ ନିଜ ମୋବାଇଲ୍ ଦୋକାନ ଖୋଲି ଦିନ ସାଢ଼େ ୧୨ଟାରେ ବନ୍ଦ କରି ନିଜ ଗାଁକୁ ଖାଇବାକୁ ଯାଇଥିଲେ । ଅପରାହ୍ନ ସାଢ଼େ ତିନିଟାରେ ସେ ପୁଣି ଦୋକାନ ଖୋଲିବା ବେଳକୁ ମନ୍ଦିରର କାନ୍ଥକୁ ଲାଗି ଦୋକାନର ପଛ ପଟେ ସିନ୍ଧି କରି ଚୋରି ଉଦ୍ୟମ କରାଯାଇଥିବା ଦେଖିବାକୁ ପାଇଥିଲେ । ଦୁର୍ବୃତ୍ତମାନେ ମନ୍ଦିର ପାର୍ଶ୍ୱକୁ ଦୋକାନର ପଛ ପଟେ ଇଟା ସିମେଣ୍ଟରେ ତିଆରି କାନ୍ଥକୁ ସିନ୍ଧି କରି ଚୋରି କରିନେବାକୁ ଉଦ୍ୟମ କରିଥିଲେ । ସିନ୍ଧି ସ୍ଥାନରେ ପଡ଼ିଥିବା ଏକ ଶାବଳକୁ ପୁଲିସ ଜବତ କରି ପାଖ ଏକ ସାର ଦୋକାନ ଓ ସେହି ମୋବାଇଲ ଦୋକାନର ସିସିଟିଭି ଆଦି ଯାଞ୍ଚ କରୁଛି । ମୋବାଇଲ ଦୋକାନୀ ଘଟଣା ସ୍ଥଳକୁ ପହଞ୍ଚିବା ସମୟରେ ଜଣେ ଯୁବକ ସନ୍ଦେହଜନକ ଭାବେ ସେଠାରେ ବୁଲାବୁଲି କରୁଥିବା ସେ ପୁଲିସକୁ ସୂଚନା ଦେଇଛନ୍ତି । ସମ୍ପୂର୍ଣ୍ଣ ଦିନ ଦ୍ୱିପହରରେ ଖୋଦ୍ ମୁରିବାହାଲ ଥାନା ସଦର ମହକୁମାରେ ଯଦି ଦୁର୍ବୃତ୍ତମାନେ ଦୋକାନ, ହୋଟେଲ ଆଦି ବ୍ୟବସାୟ ପ୍ରତିଷ୍ଠାନରୁ ଚୋରୀ କରିବାକୁ ଉଦ୍ୟମ କରିପାରୁଛନ୍ତି ତାହେଲେ ରାତିବେଳା କିପରି ସମ୍ପୁର୍ଣ୍ଣ ଅଞ୍ଚଳ ସୁରକ୍ଷିତ ଥିବ ଏଥିରୁ ସହଜରେ ଅନୁମେୟ ବୋଲି ବ୍ୟବସାୟୀମାନେ ଅଭିଯୋଗ କରିଛନ୍ତି । ଦିନକୁ ଦିନ ପୁଲିସ ପ୍ରତି ଦୁର୍ବୃତ୍ତ ଓ ଅପରାଧୀଙ୍କ ଭୟ ରହୁନଥିବା ଓ ଥାନା ଅଞ୍ଚଳରେ ଅବାଧରେ ମଦ, ଗଞ୍ଜେଇ, କପସିରଫ ଓ ନିଶା ଇଞ୍ଜେକସନ ବହୁଳ ମାତ୍ରାରେ ବିକ୍ରି ଚାଲିଥିବାରୁ ଅସାମାଜିକ ଯୁବକମାନେ ଚୋରି ଆଦି ଅପରାଧ କରୁଥିବା ଅଭିଯୋଗ ହୋଇଛି । ପୁଲିସ ପ୍ରଶାସନ ପକ୍ଷରୁ ପେଟ୍ରୋଲିଂକୁ କଡ଼ାକଡ଼ି କରାଯିବାକୁ ଦାବୀ ହେଉଛି । ଏତଲା ଆଧାରରେ ପୁଲିସ ବିଭିନ୍ନ ସିିସିଟିଭି ଆଦି ଯାଞ୍ଚ ସହ ସନ୍ଦେହ ଜନକ ବ୍ୟକ୍ତିମାନଙ୍କ ସମ୍ପର୍କରେ ଅଧିକ ତଦନ୍ତ ଜାରି ରଖିଛି ବୋଲି ଥାନା ଆଇଆଇସି ବୁଲୁ ମୁଣ୍ଡା ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.