
କଣ୍ଟାବାଞ୍ଜି, (ଯୁଗଳ କିଶୋର ଶବର) : କଣ୍ଟାବାଞ୍ଜି ବିବେକାନନ୍ଦ ନଗରରେ ପୁଣିଥରେ ଘରେ ଚୋରି ଘଟଣା ସାମ୍ନାକୁ ଆସିଛି । ନିର୍ମାଣାଧୀନ ଏକ ଘରେ ପଶି ଚୋରମାନେ ଇଲେକ୍ଟ୍ରି ମିସ୍ତ୍ରୀ ଓ ଟାଇଲ୍ସ ମିସ୍ତ୍ରୀଙ୍କ ବିଭିନ୍ନ ମେସିନ୍ ସହ ଘରେ ଥିବା ଇଲେକ୍ଟ୍ରିକ୍ ତାର ଓ ଅନ୍ୟାନ୍ୟ ସାମଗ୍ରୀ ଚୋରି କରି ନେଇଥିବା ଅଭିଯୋଗ ହୋଇଛି । ଘର ମାଲିକ ରାହୁଲ ସୋନି ଏନେଇ କଣ୍ଟାବାଞ୍ଜି ଥାନାରେ ଅଭିଯୋଗ କରିଛନ୍ତି । ଚୋରି ଯୋଗୁଁ ଘର ନିର୍ମାଣ କାମ ମଧ୍ୟ ପ୍ରଭାବିତ ହୋଇଛି । ମିସ୍ତ୍ରୀ ଓ କୁଲିମାନେ କାମ ଛାଡ଼ି ବସିଥିବା ଜଣାପଡ଼ିଛି । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ବିବେକାନନ୍ଦ ନଗରରେ ଗତ କିଛି ଦିନ ମଧ୍ୟରେ ତିନିରୁ ଚାରିଥର ଚୋରି ଘଟଣା ଘଟିସାରିଛି । ବାରମ୍ବାର ଚୋରି ଘଟଣାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଚିନ୍ତା ଓ ଅସନ୍ତୋଷ ବଢ଼ିଛି । ଅଭିଯୋଗ ହୋଇଥିବା ଚୋରି ଘଟଣାଗୁଡ଼ିକରେ ଏପର୍ଯ୍ୟନ୍ତ ଚୋରି ସାମଗ୍ରୀ ଉଦ୍ଧାର କିମ୍ବା ଅଭିଯୁକ୍ତଙ୍କ ସମ୍ପର୍କରେ ସ୍ପଷ୍ଟ ସଫଳତା ମିଳିନଥିବା ନେଇ ମଧ୍ୟ ପ୍ରଶ୍ନ ଉଠିଛି । ବାରମ୍ବାର ଚୋରି ଘଟଣା ରୋକିବା ସହ ଅଭିଯୁକ୍ତଙ୍କୁ ଚିହ୍ନଟ କରି ଚୋରି ସାମଗ୍ରୀ ଉଦ୍ଧାର କରିବାକୁ ଅଞ୍ଚଳବାସୀ ପୋଲିସ ପ୍ରଶାସନ ନିକଟରେ ଦାବି କରିଛନ୍ତି ।