ସାଧାରଣରେ ଚର୍ଚ୍ଚା : ଭଲ କାମ କଲେ ବଦଳି, ସରକାରୀ ଟଙ୍କା ହଡ଼ପ କରି ଖାଇଲେ ସାବାସୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଓଡ଼ିଶା ସରକାର ଗତ କିଛିଦିନ ତଳେ ବିଡିଓମାନଙ୍କ ବଦଳି ତାଲିକା ପ୍ରକାଶ ହେବା ପରେ ପୁଣି ଥରେ ପରିବର୍ତ୍ତନ କରି ନୂଆ ତାଲିକା ପ୍ରକାଶ କରିଛନ୍ତି । ମାତ୍ର କମ୍‌ ଦିନରେ ବଦଳି ହୋଇ ଆସିଥିବା କେତେକ ବିଡିଓ ଯେଉଁମାନେ ସ୍ୱଚ୍ଛତା ଓ ନିଷ୍ଠାର ସହ ସରକାରୀ କାର୍ଯ୍ୟ ସଂପାଦନା କରୁଥିଲେ ତାଙ୍କୁ ପୁଣି ଅନ୍ୟତ୍ର ବଦଳି କରିଦେବା ଓ ଯେଉଁମାନେ ଦୀର୍ଘ ୮ବର୍ଷ ଧରି ଗୋଟିଏ ବ୍ଲକରେ ବିଡିଓ ଭାବେ କାର୍ଯ୍ୟ କରି ସରକାରୀ ଅର୍ଥ ତୋଷାରପାତ କରୁଥିବା ଭଳି ଗୁରୁତର ଅଭିଯୋଗ ହୋଇଛି । ସେମାନଙ୍କୁ ପୁରସ୍କାର ସ୍ୱରୂପ ବଦଳି ବାତିଲ ହେବା ଓଡିଶା ସରକାର ଓ ୫ଟି ସ୍ୱଚ୍ଛତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ସୂଚନା ଅନୁସାରେ ଗତ ୩ ମାସ ତଳେ ସୁଶ୍ରୀ ଦମୟନ୍ତୀ ସାହୁ ବରଗଡ ଜିଲ୍ଲା ଝାରବନ୍ଧ ବିଡିଓ ଭାବେ ବଦଳି ହୋଇ ଆସିଥିଲେ । ସୁଶ୍ରୀ ସାହୁ ଝାରବନ୍ଧ ବିଡିଓ ଭାବେ ଯୋଗ ଦେବା ପରେ ବ୍ଲକର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସଠିକ୍‌ ତଦାରଖ ସହ ସାଧାରଣ ଲୋକ ଯେଭଳି ବ୍ଲକ ଆସି ହଇରାଣ ନହେବେ ସେ ଦିଗରେ ତତ୍ପରତାର ସହ ନିଜ ଦାୟିତ୍ୱ ସଂପନ୍ନ କରୁଥିଲେ । ଝାରବନ୍ଧ ବ୍ଲକ ଅଧ୍ୟକ୍ଷ ନିଜ ମର୍ଜି ମୁତାବକ ଲକ୍ଷ ଲକ୍ଷ ଟଙ୍କାର କାମକୁ ବ୍ୟାପକ ପିସି କାରବାର କରି ଠିକାଦାରମାନଙ୍କୁ ବାଣ୍ଟି ଦେଉଥିବା ବେଳେ ସୁଶ୍ରୀ ସାହୁ ବିଡିଓ ଭାବେ ଯୋଗ ଦେବାପରେ ନିୟମ ମୁତାବକ ବ୍ଲକର ୧୦ ଲକ୍ଷ ଟଙ୍କାରୁ ଅଧିକ ଖର୍ଚ୍ଚ ହେଉଥିବା ପ୍ରୋଜେକ୍ଟ ପାଇଁ ଟେଣ୍ଡର ବ୍ୟବସ୍ଥା କରିଥିଲେ । ଦ୍ବିତୀୟରେ ଏସଏଫସି, ସିଏଫସି ପାଣ୍ଠି ଖର୍ଚ୍ଚର ଅନିୟମିତତା ଉପରେ ମଧ୍ୟ ସେ ରୋକ୍ ଲଗାଇ ଥିଲେ । ଏଥିରେ ଅତିଷ୍ଠ ହୋଇ ୫ଟି ସଚିବଙ୍କୁ ଧରି ତାଙ୍କ ବଦଳି କରି ଦିଆଗଲା । ଅନ୍ୟପଟେ ଦୀର୍ଘ ୧୦ ବର୍ଷ ଧରି ବରଗଡ ଜିଲ୍ଲା ରାଜ ବୋଡାସମ୍ବର ବ୍ଲକର ବିଡିଓ ଭାବେ ଶଙ୍କର୍ଷଣ ବେହେରା ଦାୟିତ୍ୱ ତୁଲାଉ ଥିବା ବେଳେ ଲାଞ୍ଚ କାରବାରରେ ଭିଜିଲାନ୍ସ ବିଭାଗ ଦ୍ୱାରା ଧରାପଡି ଜେଲ ଯାଇଥିଲେ । ରାଜ ବୋଡାସମ୍ବର ବ୍ଲକରେ ଏନଆଇଜିଏସ୍‌, ସିଏଫସି, ଏଫସି କାର୍ଯ୍ୟରେ ବିଡିଓ ଶ୍ରୀ ବେହେରା ଡିପାର୍ଟମେଣ୍ଟଲା ଜରିଆରେ ନିଜେ ଠିକାଦାର ସାଜି ଅଧିକାଂଶ କାର୍ଯ୍ୟ କରୁଥିବାରୁ ଅଭିଯୋଗ ହୋଇଆସୁଛି । ଏହା ସତ୍ତ୍ବେ ବିଡିଓ ଶ୍ରୀ ବେହେରାଙ୍କ ବଦଳି ଅର୍ଡରକୁ ୫ଟି ସଚିବ ରଦ୍ଦ କରି ଦେବା ଚର୍ଚ୍ଚାର ବିଷୟ ହୋଇଛି । ନିଷ୍ଠାର ସହ ସରକାରୀ କାର୍ଯ୍ୟ କଲେ ୫ଟି ସଜା ଦେଉଥିବା ବେଳେ ସରକାରୀ ଅର୍ଥ ହଡ଼ପ କଲେ ପୁରସ୍କାର ଦେଉଥିବା ପଦ୍ମପୁର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ଅଭିଯୋଗ କରିଛନ୍ତି ।

Leave A Reply

Your email address will not be published.

two × 2 =

error: Content is protected !!