
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସହରାଞ୍ଚଳ ପରିବ୍ୟାପ୍ତ ଅଞ୍ଚଳ ଆର୍ଯ୍ୟପଲ୍ଲୀ ସ୍ଥାନ ପରିସରରେ ଛତ୍ରପୁର କେନ୍ଦ୍ରୀୟ ବିଦ୍ୟାଳୟ ପକ୍ଷରୁ ନିର୍ମାଣାଧୀନ କୋଠାରେ ଶନିବାର ଏକ ବିଶାଳ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସମ୍ପ୍ରତି ବନ-ମହୋତ୍ସବ ଅଭିଯାନ ଦେଶବ୍ୟାପୀ ଚାଲିଥିବା “ଏକ ପେଡ୍ ମା’ କେ- ନାମ” ୩.୦ ପଦକ୍ଷେପ ଅଧୀନରେ ଆୟୋଜିତ ହୋଇଥିଲା । ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷ ତଥା ଗଞ୍ଜାମ ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ୍ ଭି. କୀର୍ତ୍ତି ଭାସନ ଯୋଗଦେଇ କେନ୍ଦ୍ରୀୟ ବିଦ୍ୟାଳୟ କ୍ୟାମ୍ପସରେ ପ୍ରଥମ ଚାରା ରୋପଣ କରି ପରିବେଶ ଅଭିଯାନର କାର୍ଯ୍ୟକ୍ରମକୁ ଅନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଥିଲେ । ଏହି କାର୍ଯ୍ୟକ୍ରମରେ ଓଡ଼ିଶା ପରିବେଶ ସମାଜ (ଓଇଏସ୍) ସହିତ ସକ୍ରୀୟ ସମନ୍ୱୟରେ ଅନୁଷ୍ଠିତ ହୋଇଥିଲା । ସ୍କୁଲର ଭାରପ୍ରାପ୍ତ ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ପଣ୍ଡା, ଛାତ୍ର, ଶିକ୍ଷକ ଏବଂ (ଓଇଏସ୍) ଅଧିକାରୀମାନଙ୍କ ସହିତ ମୁଖ୍ୟଅତିଥିଙ୍କୁ ଆନୁଷ୍ଠାନିକ ଭାବରେ ସ୍ୱାଗତ କରିଥିଲେ । ନୂତନ ସ୍ଥାନରେ ଚାରା ରୋପଣ ଅଭିଯାନରେ ଅନେକ ଉଚ୍ଚ ପଦାଧିକାରୀ ଏବଂ ପରିବେଶବିତ୍ ଯୋଗ ଦେଇଥିଲେ । ଯେଉଁଥିରେ ଭାରତୀୟ ତଟରକ୍ଷୀ ବାହିନୀର କମାଣ୍ଡିଂ ଅଧିକାରୀ ଉତ୍କର୍ଷ ଗୌତମ, ବ୍ରହ୍ମପୁରର ସିପିଡବ୍ଲ୍ୟୁଡିର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ସୁମନ ଜୀ, ଗୋପାଳପୁର ପୋର୍ଟସ୍ ଲିମିଟେଡ୍ର ବ୍ୟବସାୟ ମୁଖ୍ୟ ପ୍ରଶାନ୍ତ ପାତ୍ର, ଓଡ଼ିଶା ପରିବେଶ ସମାଜର ସଚିବ, (ଭୁବନେଶ୍ୱର) ମନୋରଞ୍ଜନ ମିଶ୍ର, ଡକ୍ଟର ଜେ.କେ. ପାଣିଗ୍ରାହୀ, କାର୍ଯ୍ୟକାରୀ ସଭାପତି, ଓଡ଼ିଶା ପରିବେଶ ସମାଜ, (ଭୁବନେଶ୍ୱର) ସୁକାନ୍ତ ପଟ୍ଟନାୟକ ପ୍ରମୁଖ ସଦସ୍ୟ ସଂଯୋଜକ ଓଡ଼ିଶା ପରିବେଶ ସମାଜର ବହୁ ଗଣ୍ୟମାନ୍ୟ ଅତିଥି ଯୋଗଦେଇ ଏହି କାର୍ଯ୍ୟକ୍ରମର ମହତ୍ତ୍ୱ ବିଷୟରେ ଛାତ୍ରଛାତ୍ରୀମାନଙ୍କୁ ଅବଗତ କରାଇଥିଲେ । ଏପରିକି ସ୍କୁଲ ପିଲାମାନେ ପ୍ଲାକାର୍ଡ ଏବଂ ବ୍ୟାନର ଧରି ପରିବେଶ ସଂରକ୍ଷଣକୁ ପ୍ରୋତ୍ସାହିତ କରିବା ପାଇଁ ସ୍ଲୋଗାନ ଦେଇ କାର୍ଯ୍ୟକ୍ରମ ସ୍ଥଳ ଦେଇ ଶୋଭାଯାତ୍ରା କରିବା ସମୟରେ କ୍ୟାମ୍ପସ ଉର୍ଜ୍ଜାରେ କମ୍ପି ଉଠିଥିଲା । ସମାବେଶକୁ ସମ୍ବୋଧିତ କରି, ସମ୍ମାନିତ ବ୍ୟକ୍ତିମାନେ ଛାତ୍ରଛାତ୍ରୀମାନଙ୍କୁ “ପରିବେଶ ଚାମ୍ପିୟନ” ହେବାକୁ ଏବଂ ବ୍ୟାପକ ସମାଜରେ ସ୍ଥାୟୀତ୍ୱର ବାର୍ତ୍ତା ପହଞ୍ଚାଇବାକୁ ଅନୁରୋଧ କରିଥିଲେ । ସ୍କୁଲ କର୍ତ୍ତୃପକ୍ଷ ଉଲ୍ଲେଖ କରିଛନ୍ତି ଯେ, ଏପରି ବିଶିଷ୍ଟ ନେତାଙ୍କ ଉପସ୍ଥିତି ଛାତ୍ରଛାତ୍ରୀମାନଙ୍କୁ ପରିବେଶ ସୁରକ୍ଷା ଦେବା ପାଇଁ ଅତ୍ୟନ୍ତ ଉତ୍ସାହିତ ଏବଂ ପ୍ରେରିତ କରିଥିଲା ।
