
ଭୁବନେଶ୍ୱର : ଓଡ଼ିଶାର ଟେକ ରଖିଲେ ଓଡ଼ିଆ ଝିଅ ଅଭିପ୍ସା ସାହୁ । ଅଭିପ୍ସାଙ୍କ ନିର୍ଦ୍ଦେଶିତ ଓଡ଼ିଆ ଚଳଚ୍ଚିତ୍ର “ମଇଳା ଚାଦର’ ୧୬ତମ ଦାଦାସାହେବ ଫାଲ୍କେ ଚଳଚ୍ଚିତ୍ର ମହୋତ୍ସବ-୨୦୨୬ରେ “ଅନରେବଲ୍ ଜୁରି ମେନ୍ସନ’ ସମ୍ମାନ ପାଇଛି । ଓଡ଼ିଆ ସିନେମା “ମଇଳା ଚାଦର’, ଗତ ଏପ୍ରିଲ ୩୦ରେ ନୂଆଦିଲ୍ଲୀରେ ଅନୁଷ୍ଠିତ ୧୬ତମ ଦାଦାସାହେବ ଫାଲେ୍କ ଚଳଚ୍ଚିତ୍ର ମହୋତ୍ସବରେ ଏହି ପୁରସ୍କାର ପାଇଛି । ଏହି ସମ୍ମାନ ଚଳଚ୍ଚିତ୍ରଟିକୁ ଚଳିତ ବର୍ଷର ସବୁଠାରୁ ଚର୍ଚ୍ଚିତ ସ୍ୱାଧୀନ ନିର୍ମାଣ ମଧ୍ୟରେ ସ୍ଥାନିତ କରିବା ସହ ଜାତୀୟସ୍ତରରେ ଆଞ୍ଚଳିକ ଚଳଚ୍ଚିତ୍ର ନିର୍ମାଣ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲ୍ଖୁଣ୍ଟ ସ୍ଥାପନ କରିଛି । ୧୯୮୦ ଦଶକର ଗ୍ରାମୀଣ ଓଡ଼ିଶା ପୃଷ୍ଠଭୂମିରେ ଆଧାରିତ ଏହି ଫିଲ୍ମଟି ଏକାଧିକ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ଉତ୍ସବରେ ସ୍ୱୀକୃତି ଲାଭ କରିଛି । ଅଭିପ୍ସା ସାହୁଙ୍କୁ ସଂସ୍କାର ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ-୨୦୨୬ରେ ‘ଶ୍ରେଷ୍ଠ ମହିଳା ନିର୍ଦ୍ଦେଶିକା’ ସମ୍ମାନରେ ସମ୍ମାନିତ କରାଯାଇଛି । ସେହିପରି କାଡାଇକାନାଲ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ-୨୦୨୫ରେ ଏହି ଚଳଚ୍ଚିତ୍ରଟି “ଶ୍ରେଷ୍ଠ ପ୍ରଥମ ଫିଚର ଫିଲ୍ମ’ ଏବଂ “ଶ୍ରେଷ୍ଠ ସିନେମାଟାଗ୍ରାଫି’ ପାଇଁ ସ୍ୱତନ୍ତ୍ର ଜୁରି ପୁରସ୍କାର ଜିତିଥିଲା ।