ଚାଲିଛି ତଦ‌ନ୍ତ : ବ୍ୟାଙ୍କ ଜମାଖାତାରୁ ଟଙ୍କା ଆତ୍ମସାତ ଅଭିଯୋଗ

ଲୋଇସିଂହା, (କେପିଏନଏସ) : ବଲାଙ୍ଗିର ଜିଲ୍ଲା ଲୋଇସିଂହା ସ୍ଥିତ ଏସ୍‌ବିଆଇ ଶାଖାରୁ ବୁର୍ଡା ଗ୍ରାମର ଶାରଳା ସ୍ୱୟଂ ସହାୟିକା ଗୋଷ୍ଠୀର ଜମା ଖାତାରୁ ୮୬ ହଜାର ୨୯୦ ଟଙ୍କା ଆତ୍ମସାତ କରାଯାଇଥିବା ଅଭିଯୋଗ ହୋଇଛି । ଟଙ୍କା ଆତ୍ମସାତ ନେଇ ସ୍ୱୟଂ ସହାୟିକା ଗୋଷ୍ଠୀର ସଦସ୍ୟା ଲୋଇସିଂହା ଥାନାରେ ଏତାଲା ଦେଇଥିବା ଜଣାଯାଇଛି ।

ଲୋଇସିଂହା ଥାନାରେ ହୋଇଥିବା ଅଭିଯୋଗ ମୁତାବକ ଏହି ଥାନା ଅନ୍ତର୍ଗତ ବୁର୍ଡା ଗ୍ରାମର ତଲିପଡା ଅଚଂଳର ୧୧ ଜଣ ମହିଳା ମିଶି ଶାରଳା ସ୍ୱୟଂ ସହାୟିକା ନାମକ ମହିଳା ଗୋଷ୍ଠୀ ଗଠନ କରିଛନ୍ତି । ଲୋଇସିଂହା ଏସବିଆଇ ଶାଖାରେ ଅ।କାଉଣ୍ଟ ନଂ ୩୦୮୧୭୮୬୯୬୦୬ ସେମାନଙ୍କ ଜମାଖାତା ରହିଛି । ସେମାନେ ମାସକୁ ଜଣପିଛା ଶହେ ଟଙ୍କା ହିସାବରେ ୨୬ ଜୁଲାଇ ୨୦୧୮ ସୁଦ୍ଧା ମୋଟ ୬୫ ହଜାର ୫ ଶହ ଟଙ୍କା ଜମା କରିଥିଲେ । ପରେ ଗତ ୨୦୧୮ ଅଗଷ୍ଟ ୩ ତାରିଖରେ ସ୍ୱୟଂସହାୟକ ଗୋଷ୍ଠୀ ସଦସ୍ୟା ଚାଷ କାର୍ୟ୍ୟ ପାଇଁ ବ୍ୟାଙ୍କରୁ ୩ ଲକ୍ଷ ଟଙ୍କା ଋଣ ଉଠାଇଥିଲେ । ଋଣ ନେବା ଦିନଠାରୁ ପ୍ରତ୍ୟେକ ସଦସ୍ୟା ଜଣ ପିଛା ୫ ଶହ ଟଙ୍କା ହିସାବରେ ମାସିକ ୫ ହଜାର ୫ଶହ ଟଙ୍କା ପ୍ରତି ମାସ ଋଣ ପରିଶୋଧ କରି ଆସୁଛନ୍ତି । ହେଲେ ସମ୍ପୃକ୍ତ ମହିଳା ଗୋଷ୍ଠୀର ସଭାପତି ବସନ୍ତ ବାରିକ ,ସମ୍ପାଦିକା ଗୁରୁବାରୀ ବାରିକ ଓ ଅନ୍ୟ ସଦସ୍ୟାଙ୍କ ଅଜାଣତରେ ଗତ ୨୦୧୯ ଜାନୁୟାରୀ ୧୬ ରେ ୭୮ ହଜାର ୮ଶହ ଟଙ୍କା ଓ ସେହିବର୍ଷ ମଇ ୩୧ ରେ ୭ ହଜାର ୪୯୦ ଟଙ୍କା ଆକାଉଣ୍ଟ ନଂ ୩୯୯୮୩୧୦୩୯୪୧୨ କୁ ୨ ଥର ମୋଟ ୮୬ ହଜାର ୨୯୦ଟଙ୍କା ସ୍ଥାନାନ୍ତରିତ କରାଯାଇଛି । ଏହା ସଂଘର ସଦସ୍ୟା ଜାଣିଲା ପରେ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ଅନେକ ଥର ଉକ୍ତ ଟଙ୍କା ସ୍ଥାନାନ୍ତର ବାବଦକୁ ପଚାରିଲେ ବ୍ୟାଙ୍କ ଅଧିକାରୀ ବିଭିନ୍ନ ବାହାନା କରି କଥାକୁ ଏଡାଇ ଯାଉଥିବା ସେମାନେ ଅଭିଯୋଗରେ ଦର୍ଶାଇଛନ୍ତି । ପରିଶେଷରେ ଗତ ୨୦୨୦ ଅକ୍ଟୋବର ୧୪ ରେ ମହିଳା ସଦସ୍ୟା ମାନେ ଲିଖିତ ଭାବେ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ ସୁଦ୍ଧା କୌଣସି ସୁଫଳ ପାଇପାରି ନ ଥିଲେ । ଏପରିକି ଦାୟିତ୍ୱରେ ଥିବା ଅଧିକାରୀ ସେମାନଙ୍କୁ ବ୍ୟାଙ୍କରୁ ତଡି ଦେଇଥିବା ନେଇ ଅଭିଯୋଗ ହୋଇଛି । ଆତ୍ମସାତ ଟଙ୍କା ଫେରସ୍ତ ପାଇବା ସହିତ ସ୍ଥାନାନ୍ତରିତ ହୋଇଥିବା ଆକାଉଣ୍ଟ କାହାର ଓ କଣ ପାଇଁ ସେହି ଆକାଉଣ୍ଟକୁ କିଏ ଏବଂ କାହିଁକି ଟଙ୍କା ସ୍ଥାନାନ୍ତରିତ କରିଛନ୍ତି ଏହାର ବିଧିବଦ୍ଧ ତଦନ୍ତ ଦାବି କରିଛନ୍ତି ମହିଳା ଗୋଷ୍ଠୀର ସଦସ୍ୟା । ଏଥି ସହିତ ଏଥିପାଇଁ ଦାୟୀ କର୍ମଚାରୀଙ୍କ ବିରୋଧରେ ଦୃଡ କାର୍ୟ୍ୟାନୁଷ୍ଠାନ ପାଇଁ ଥାନାର ଦ୍ୱାରସ୍ଥ ହୋଇଛନ୍ତି । ଅଭିଯୋଗ ମୁତାବକ ବ୍ୟାଙ୍କକୁ ଯାଇ ତଦନ୍ତ କରିବା ପରେ ସବୁକିଛି ଜଣାପଡିବ ବୋଲି ତଦନ୍ତକାରୀ ଅଧିକାରୀ ଏସଆଇ ନବୀନ ଭୋଇ ସୂଚନା ଦେଇଛନ୍ତି । ବ୍ୟାଙ୍କ ଜମାଖାତାରୁ ଟଙ୍କା ଉଭାନ ହୋଇଯିବା ପରେ ବ୍ୟାଙ୍କରେ ଟଙ୍କା କାରବାର କରୁଥିବା ଜମାକାରୀ ତଥା ବିଭିନ୍ନ ମହିଳା ଗୋଷ୍ଠୀ ସଦସ୍ୟଙ୍କ ମଧ୍ୟରେ ଏବେ ଛନକା ପଶିଯାଇଛି ।

Leave A Reply

Your email address will not be published.