
- ବିଦ୍ୟାଳୟ ଶିକ୍ଷାର ଏକ ନବ ଦିଗନ୍ତର ଉନ୍ମୋଚନ
ରାଉରକେଲା, (ସସ୍ମିତା ପ୍ରଧାନ) : ଏସ୍ଏସ୍ଆର୍ଭିଏମ୍ ଇସ୍ପାତ ବିଦ୍ୟାଳୟ ସମୁହର ଛାତ୍ରଛାତ୍ରୀ ମାନଙ୍କ ମେଧାଶକ୍ତିର ବିକାଶ ଉପଲକ୍ଷେ ଏନ୍ଆଇଟି (ରାଉରକେଲା) ସହିତ ଏକ ବୁଝାମଣା ପତ୍ର ଗତ ଜୁନ୍ ୧୯ ତାରିଖରେ ସ୍ୱାକ୍ଷରିତ ହୋଇଯାଇଛି । ଏହି ବୁଝାମଣା ପତ୍ର ଅନୁଯାୟୀ ଏସ୍ଏସ୍ଆର୍ଭିଏମ୍ ବିଦ୍ୟାଳୟ ସମୁହର ନବମ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀମାନେ ରାଉରକେଲା ଏନ୍ଆଇଟି ଠାରୁ ଶିକ୍ଷାଗତ ସହଯୋଗ ଲାଭ କରିବେ । ଏହି ବୁଝାମଣା ଅନୁଯାୟୀ, ବିଦ୍ୟାଳୟ ଛାତ୍ରଛାତ୍ରୀମାନେ ଏନ୍ଆଇଟିର ବିଭିନ୍ନ ପ୍ରୟୋଗ ଶାଳା, ଯାନ୍ତ୍ରିକ ବିଭାଗ, ଗବେଷଣା କେନ୍ଦ୍ର ତଥା ଉଦ୍ଭାବନ କେନ୍ଦ୍ର ଗୁଡ଼ିକର ପ୍ରଯୁକ୍ତି ପ୍ରଦର୍ଶନୀ, ସେମିନାର, କର୍ମଶାଳା ଏବଂ ମାର୍ଗ ଦର୍ଶନ କାର୍ଯ୍ୟକ୍ରମ ଗୁଡିକରେ ଅଂଶଗ୍ରହଣ କରିବାର ସୁଯୋଗ ଲାଭ କରିବେ । ଏହି ନୂଆ ପଦକ୍ଷେପ ଫଳରେ ବିଦ୍ୟାଳୟ ସମୁହର ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବୈଜ୍ଞାନିକ ଚିନ୍ତାଧାରା, ସୃଜନଶୀଳତା, ଉଦ୍ଭାବନ ମାନସିକତା, ଉଚ୍ଚ ଶିକ୍ଷା ସମ୍ପର୍କରେ ସଚେତନତାର ବିକାଶ ଘଟାଇବ ଏବଂ ଭବିଷ୍ୟତରେ ଉଚ୍ଚଶିକ୍ଷା ପାଇଁ ଏକ ନିର୍ଣ୍ଣୟାତ୍ମକ ଦିଗ ଉନ୍ମୋଚନ କରିବ । ଏନ୍ଆଇଟିର ନିର୍ଦ୍ଦେଶକ ପ୍ରଫେସର ଡ. କେ. ଉମାଶଙ୍କର ରାଓ ଓ ଏସ୍ଏସ୍ଆର୍ଭିଏମ୍ ବିଦ୍ୟାଳୟ ସମୁହର ନିର୍ଦ୍ଦେଶକ ଡକ୍ଟର ଗିରିଜା ଶଙ୍କର ଦାସଙ୍କ ଦ୍ଵାରା ସ୍ୱାକ୍ଷରିତ ହୋଇଥିବା ଏହି ବୁଝାମଣା ପତ୍ରଟି ତିନି ବର୍ଷ ଯାଏଁ ବଳବତ୍ତର ରହିବ ବୋଲି ଜଣାପଡିଛି । ଏହି ବୁଝାମଣା ପତ୍ର ସ୍ଵାକ୍ଷର ସମୟରେ ଏସ୍ଏସ୍ଆର୍ଭିଏମ୍ ମୁମ୍ବାଇର ଅଧ୍ୟକ୍ଷା ଶୀମତୀ ଶ୍ରେୟା କଦମ୍, ମେକାନିକାଲ ଇଞ୍ଜିନିୟରିଂ ବିଭାଗର ପ୍ରାଧ୍ୟାପକ ଡ. ଏସ୍ କେ ପଟେଲ ପ୍ରମୁଖ ଉପସ୍ଥିତ ଥିଲେ । ଏଭଳି ଏକ ନୂଆ ପଦକ୍ଷେପ ବିଦ୍ୟାଳୟର ଛାତ୍ରଛାତ୍ରୀ ଏବଂ ଅଭିଭାବକଙ୍କ ମଧ୍ୟରେ ନୂଆ ଆଶା ଓ ଆନନ୍ଦର ସଂଚାର କରିଛି ବୋଲି ବିଦ୍ୟାଳୟ ତଥା ଏନ୍ଆଇଟି କର୍ତ୍ତୃପକ୍ଷଙ୍କ ବିବୃତିରୁ ପ୍ରକାଶ ।