
ବଲାଙ୍ଗିର, (କେପିଏନ୍ଏସ୍) : ସ୍ଥାନୀୟ ଗାନ୍ଧୀନଗର ପଡା ସ୍ଥିତ ପିଏମ୍ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି । ପ୍ରଧାନ ଶିକ୍ଷୟିତ୍ରୀ ସେବାଶ୍ରୀ ଭୋଇଙ୍କ ପ୍ରତ୍ୟକ୍ଷ ତତ୍ଵାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ସ୍ୱରୂପା ମଞ୍ଜରୀ ସାମନ୍ତରା ଓ ବରିଷ୍ଠ ଶିକ୍ଷୟିତ୍ରୀ ନୂତନ ନାୟକ ଯୋଗର ଆବଶ୍ୟକତା ଓ ଦୈନନ୍ଦିନ ଜୀବନରେ ଏହାର ଗୁରୁତ୍ୱ ସମ୍ପର୍କରେ ନିଜ ବକ୍ତବ୍ୟ ଉପସ୍ଥାପନ କରିଥିଲେ । ସେମାନେ ଯୋଗକୁ ସୁସ୍ଥ ଜୀବନଶୈଳୀର ଏକ ଅବିଚ୍ଛେଦ୍ୟ ଅଂଶ ଭାବେ ଗ୍ରହଣ କରିବାପାଇଁ ଛାତ୍ରୀମାନଙ୍କୁ ପ୍ରେରଣା ପ୍ରଦାନ କରିଥିଲେ । କ୍ରୀଡା ଶିକ୍ଷୟିତ୍ରୀ ଦୀପ୍ତିମୟୀ ବେହେରା ଛାତ୍ରୀମାନଙ୍କୁ ବିଭିନ୍ନ ଯୋଗାସନ ଓ ପ୍ରାଣାୟାମର ଉପକାରିତା ସମ୍ପର୍କରେ ଅବଗତ କରାଇଥିଲେ । ସେ ତାଡାସନ, ଶବାସନ, ଭୁଜଙ୍ଗାସନ, ବଜ୍ରାସନ, ପଦ୍ମାସନ, ସୂର୍ଯ୍ୟନମସ୍କାର ପ୍ରମୁଖ ଆସନର ପ୍ରଦର୍ଶନ କରି ସେଗୁଡିକ ଶରୀରକୁ ସୁସ୍ଥ, ସୁଦୃଢ ଓ ନମନୀୟ ରଖିବାରେ କିପରି ସହାୟକ ହୁଏ ସେ ବିଷୟରେ ବୁଝାଇଥିଲେ । ସେହିପରି ଅନୁଲୋମ-ବିଲୋମ, କପାଳଭାତି ଓ ଭ୍ରାମରୀ ପ୍ରାଣାୟାମର ଅଭ୍ୟାସ କରାଇ ଏହା ମାନସିକ ଚାପ ହ୍ରାସ କରିବା, ଏକାଗ୍ରତା ବୃଦ୍ଧି କରିବା ଓ ଶ୍ୱାସକ୍ରିୟାକୁ ସୁଦୃଢ କରିବାରେ ସହାୟକ ବୋଲି କହିଥିଲେ । ଦଶମ ଶ୍ରେଣୀ ଛାତ୍ରୀ ତପସ୍ୱିନୀ ନାଏକ ମଧ୍ୟ ବିଭିନ୍ନ ଯୋଗାସନର ପ୍ରଦର୍ଶନ କରି ସହପାଠୀମାନଙ୍କୁ ଯୋଗର ଗୁରୁତ୍ୱ ବୁଝାଇଥିଲେ । ଏହି ଅବସରରେ ସୁସ୍ଥ ଜୀବନଯାପନ ଓ ନିୟମିତ ଯୋଗାଭ୍ୟାସ ପାଇଁ ସେ ସମସ୍ତ ଛାତ୍ରୀଙ୍କୁ ଶପଥ ପାଠ କରାଇଥିଲେ । ଏହି ଅବସରରେ ଚଳିତ ବର୍ଷର ଅନ୍ତର୍ଜାତୀୟ ଯୋଗ ଦିବସର ବାର୍ତ୍ତା “ସୁସ୍ଥ ବାର୍ଦ୍ଧକ୍ୟ ପାଇଁ ଯୋଗ” ସମ୍ପର୍କରେ ଛାତ୍ରୀମାନଙ୍କୁ ସଚେତନ କରାଯାଇଥିଲା । କାର୍ଯ୍ୟକ୍ରମରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗଙ୍କ ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ପ୍ରଦତ୍ତ ବାର୍ତ୍ତାକୁ ବିଦ୍ୟାଳୟର ଶିକ୍ଷକ ହରି ଖେତୀ ପାଠ କରି ଶୁଣାଇଥିଲେ । ଯୋଗକୁ ଜନ ଆନ୍ଦୋଳନରେ ପରିଣତ କରି ସୁସ୍ଥ ଓ ସଶକ୍ତ ଭାରତ ଗଠନର ଆହ୍ୱାନ ଏହି ବାର୍ତ୍ତାରେ ପ୍ରତିଫଳିତ ହୋଇଥିଲା । କାର୍ଯ୍ୟକ୍ରମରେ ବହୁ ସଂଖ୍ୟକ ଛାତ୍ରୀ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ । ଶେଷରେ ଯୋଗ ଦିବସ କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ସମସ୍ତ ଛାତ୍ରୀଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା ।