ବୁଇ ପୁଞ୍ଜିଙ୍କୁ କେବେ ମିଳିବ ଆବାସ ଯୋଜନାରେ ଘର ଖଣ୍ଡିଏ

ଖପ୍ରାଖୋଲ, (କ୍ରିଷ୍ଣା ସେଠୀ) : ଅସହାୟ ଗରିବ ଲୋକଙ୍କ ପାଇଁ ସରକାରଙ୍କ ମାଳମାଳ ଯୋଜନା । କିନ୍ତୁ କିଛି ଅସାଧୁ କର୍ମଚାରୀ, ଦଲାଲ, କୁଜିନେତାଙ୍କ ପାଇଁ ପ୍ରକୃତ ହିତାଧିକାରୀ ମାନଙ୍କ ପାଖରେ ପହଞ୍ଚି ପାରୁନାହିଁ ସରକାରଙ୍କ ଯୋଜନା । ଥିଲାବାଲେ ହାତ ଗୁଞ୍ଜା ଦେଇ ପ୍ରକୃତ ହିତାଧିକାରୀଙ୍କ ଯୋଜନା ସବୁ ନିଜ ନାମରେ କରାଇ ନିଅନ୍ତି । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଖପ୍ରାଖୋଲ ବ୍ଲକ ମାଲପଡା ପଞ୍ଚାୟତ ଅନ୍ତର୍ଗତ ଜଳପାଙ୍କେଲ୍ ଗ୍ରାମରେ । ଗ୍ରାମରେ ରୁହନ୍ତି ବିଧବା ବୁଇ ପୁଞ୍ଜି । ବହୁତ ଦିନ ହେଇଗଲାଣି ସ୍ୱାମୀ ତାଙ୍କୁ ଏକୁଟିଆ ଛାଡି ଆରପାରିକୁ ଚାଲିଗଲେଣି । ବୁଇଙ୍କୁ ଭଲ ଭାବରେ ଦେଖାଯାଉ ନାହିଁ ତାଙ୍କର ବଡ ପୁଅର ମଧ୍ୟ ଗୋଟିଏ ଆଖିକୁ ଦେଖାଯାଉ ନାହିଁ । ବିପିଏଲ୍ ଭୁକ୍ତ ଅତି ଗରିବ ଶ୍ରେଣୀର । କାମଧନ୍ଦା କିଛି କରି ପାରନ୍ତି ନାହିଁ । ସରକାରଙ୍କ ଦ୍ଵାରା ଦିଆଯାଇଥିବା ଚାଉଳ ଏବଂ ଭତ୍ତା ଦ୍ଵାରା ପରିବାରର ଭରଣପୋଷଣ ହୁଏ । ଭଙ୍ଗା ଦଦରା ମାଟି ଛପର ଘର । ଘରର କାନ୍ଥ ସବୁ ଫାଟି ଆଁ କଲାଣି । କେତେବେଳେ ଯେ ଘର ଭାଙ୍ଗି ତାଙ୍କ ଉପରେ ପଡ଼ିବ କହିହେବ ନାହିଁ । ଆବାସ ଯୋଜନାରେ ଘର ଖଣ୍ଡିଏ ପାଇଁ ବାରମ୍ବାର ସରପଞ୍ଚ ଠୁ ନେଇ ବିଡ଼ିଓଙ୍କ ପର୍ୟ୍ୟନ୍ତ ଧାଇଁ ଧାଇଁ ଥକି ଗଲେଣି ବୋଲି କହନ୍ତି ବୁଇ । ମୋ କଥା କେହି ଶୁଣୁ ନାହାନ୍ତି ମୋ ଘର ପାଖରେ ଥିବା ଥିଲାବାଲାଙ୍କୁ ସରକାର ଘର ଦେଇ ସାରିଛନ୍ତି କିନ୍ତୁ ମୋ ଉପରେ ପ୍ରଶାସନର ନଜର କଣ ପାଇଁ ପଡୁନାହିଁ ବୋଲି ପ୍ରଶ୍ନ କରିଛନ୍ତି । ବୁଇ ଏବେ ଆରମ୍ଭ ହୋଇଥିବା ଜଳପାଙ୍କେଲ୍ ବସ୍ ଷ୍ଟାଣ୍ଡରେ ପାଣି ଛତ୍ରରେ ତୃଷାର୍ତ୍ତ ପଥିକ ମାନଙ୍କୁ ପାଣି ପିଇବାକୁ ଦେଇ ତାଙ୍କର ତୃଷ୍ଣା ମେଣ୍ଟାଉଛନ୍ତି । ମୋର ଆବାସ ଯୋଜନାରେ ଘର ଖଣ୍ଡିଏ ପାଇବା ପାଇଁ ଯେଉଁ ତୃଷ୍ଣା ଅଛି ପ୍ରଶାସନ କେବେ ମୋର ତୃଷ୍ଣା ମେଣ୍ଟାଇବ ବୋଲି କୋହଭରା କଣ୍ଠରେ କହିଛନ୍ତି ବୁଇ ପୁଞ୍ଜି । ଦେଖିବାକୁ ବାକି ରହିଲା ଆଗକୁ ପ୍ରଶାସନ କି ପଦକ୍ଷେପ ନେଉଛନ୍ତି ଏହି ଅସହାୟ ପରିବାର ପାଇଁ ।

Leave A Reply

Your email address will not be published.