
ରାଉରକେଲା, (ସସ୍ମିତା ପ୍ରଧାନ) : ପରିବେଶ ଓ ସ୍ୱଚ୍ଛତା ପ୍ରତି ପ୍ରତିବଦ୍ଧତା ରଖିଥିବା ସାମାଜିକ ଅନୁଷ୍ଠାନ କ୍ଲିନ୍ ଆଣ୍ଡ ଗ୍ରୀନ୍ ତଥା ବିଦ୍ୟୁତ କଲୋନୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ମେଗା ବୃକ୍ଷରୋପଣ କାର୍ଯ୍ୟକ୍ରମ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । କ୍ଲିନ୍ ଆଣ୍ଡ ଗ୍ରୀନ୍ ଅନୁଷ୍ଠାନର ସଭାପତି ଡାକ୍ତର ଦେବେନ୍ଦ୍ର କୁମାର ସେଠୀ, ସାଧାରଣ ସମ୍ପାଦକ ପ୍ରଦୀପ କୁମାର ଦାସ ଓ ସିଆର୍ସିସି ବିଦ୍ୟୁତଲତା ସୂତାର ତଥା ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ବିଣାପାଣି ନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପାନପୋଷ ବନାଞ୍ଚଳର ଏସିଏଫ୍ ନରେନ୍ଦ୍ର ସିଂ ମାଥୁର ଅତିଥି ଭାବେ ଯୋଗଦେଇ ବୃକ୍ଷରୋପଣ ସହ ଅନୁଷ୍ଠାନର ସଦସ୍ୟ ସଦସ୍ୟା ଓ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ବୃକ୍ଷ ରୋପଣ କରିବା ପାଇଁ ଉତ୍ସାହିତ କରିଥିଲେ । ଏହି ଅବସରରେ ବିଦ୍ୟାଳୟ ପରିସରରେ ଶତାଧିକ ବୃକ୍ଷରୋପଣ କରାଯାଇଥିଲା । ପରେ ବିଦ୍ୟାଳୟ ଠାରେ ଏକ ସଭା କରାଯାଇ ଅତିଥି ଶ୍ରୀ ମାଥୁର, ସମ୍ପାଦକ ଶ୍ରୀ ଦାସ, ସିଆର୍ସିସି ଶ୍ରୀମତୀ ସୂତାର ଓ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ନାୟକ ବୃକ୍ଷରୋପଣର ଉପକାରିତା ଓ ଆବଶ୍ୟକତା ସମ୍ପର୍କରେ ଉପାଦେୟ ତଥ୍ୟ ପ୍ରଦାନ କରିଥିଲେ । ଅତିଥି ମାନଙ୍କ ବକ୍ତବ୍ୟରେ ୧୯୫୦ ମସିହାରୁ ଆରମ୍ଭ ହୋଇଥିବା ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମ ଏବେ ସବୁଜ ଆନ୍ଦୋଳନରେ ପରିଣତ ହୋଇଛି । ଚଳିତ ବର୍ଷ ୨ରୁ ୩ମାସ ମଧ୍ୟରେ ୫ଲକ୍ଷ ବୃକ୍ଷ ରୋପଣ, ସ୍ଥାନୀୟ ନର୍ସରୀରେ ଜଣଙ୍କୁ ୧୦ଟି ମାଗଣା ବୃକ୍ଷଚାରା, ବିଦ୍ୟାଳୟକୁ ସବୁଜ ଓ ସ୍ୱଚ୍ଛତା ରଖିବା ତଥା ସୁସ୍ଥ ସମାଜ ପାଇଁ ସୁସ୍ଥ ପରିବେଶ, ପ୍ରତ୍ୟେକଙ୍କ ଜନ୍ମଦିନରେ ବୃକ୍ଷଟିଏ ରୋପଣ କରିବାକୁ ଆହ୍ୱାନ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଦ୍ୟାଳୟର ପରିଚାଳନା କମିଟିର ଅଧ୍ୟକ୍ଷ ଶୈଳେଶ ଶର୍ମା, ଉପାଧ୍ୟକ୍ଷା ପିଙ୍କି ବାଘୁଆର, ବରିଷ୍ଠ ଶିକ୍ଷୟିତ୍ରୀ ନିବେଦିତା ମହାନ୍ତି, କ୍ଷଣପ୍ରଭା ବେହେରା, ରାଣୀ ସୁନ୍ଦରୀ ମଲ୍ଲିକ ତଥା କ୍ଲିନ୍ ଆଣ୍ଡ ଗ୍ରୀନ୍ର ସମସ୍ତ ସଦସ୍ୟ ସଦସ୍ୟାମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।