
ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ଥାନା ଅନ୍ତର୍ଗତ କେଛୋଦାଦର ଗ୍ରାମରେ ଜଣେ ବିଧବା ମହିଳାଙ୍କ ସହ ବିବାହର ପ୍ରତିଶ୍ରୁତି ଦେଇ ପ୍ରେମ ସମ୍ପର୍କ ସ୍ଥାପନ କରିବା ଏବଂ ମହିଳା ଗର୍ଭବତୀ ହେବା ପରେ ଦାୟିତ୍ୱ ନେବାକୁ ଅସ୍ୱୀକାର କରିବା ଅଭିଯୋଗରେ ପାଇକମାଲ ପୁଲିସ ଜଣେ ଯୁବକଙ୍କୁ ଗିରଫ କରିଛି । ଘଟଣାଟି ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଥିବାବେଳେ ପୁଲିସ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି । ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, କେଛୋଦାଦର ଗ୍ରାମର ନିର୍ମଳ ବେଣ୍ଟକର (୨୩) ନାମକ ଯୁବକଙ୍କ ସହ ସେହି ଗ୍ରାମର ଜଣେ ବିଧବା ମହିଳାଙ୍କର ପ୍ରାୟ ଦେଢ଼ ବର୍ଷ ଧରି ପ୍ରେମ ସମ୍ପର୍କ ରହିଥିଲା । ଅଭିଯୋଗ ଅନୁଯାୟୀ, ଯୁବକ ଜଣକ ମହିଳାଙ୍କୁ ବିବାହ କରିବାର ପ୍ରତିଶ୍ରୁତି ଦେଇ ତାଙ୍କ ସହ ସମ୍ପର୍କ ରଖିଥିଲେ । ଏହି ସମ୍ପର୍କ ମଧ୍ୟରେ ମହିଳା ଜଣକ ବର୍ତ୍ତମାନ ପ୍ରାୟ ଛଅ ମାସର ଗର୍ଭବତୀ ହୋଇଥିବା ଅଭିଯୋଗ ହୋଇଛି । ଘଟଣା ସମ୍ପର୍କରେ ପରିବାର ଲୋକେ ଜାଣିବା ପରେ ଉଭୟ ପକ୍ଷଙ୍କ ମଧ୍ୟରେ ଗ୍ରାମସ୍ତରରେ ଆପୋଷ ବୁଝାମଣା ପାଇଁ ଏକାଧିକ ପ୍ରୟାସ କରାଯାଇଥିଲା । ଗ୍ରାମର ବୁଦ୍ଧିଜୀବୀ ଓ ସମ୍ପର୍କୀୟମାନେ ଯୁବକଙ୍କୁ ମହିଳାଙ୍କ ଦାୟିତ୍ୱ ଗ୍ରହଣ କରିବା ସହ ବିବାହ କରିବାକୁ ପରାମର୍ଶ ଦେଇଥିଲେ । ମାତ୍ର ଅଭିଯୋଗ ଅନୁଯାୟୀ, ଯୁବକ ଓ ତାଙ୍କ ପରିବାର ଏଥିରେ ସମ୍ମତି ପ୍ରକାଶ କରିନଥିଲେ । ଏହାପରେ ପୀଡ଼ିତାଙ୍କ ପରିବାର ନ୍ୟାୟ ଦାବି କରି ପାଇକମାଲ ଥାନାର ଦ୍ୱାରସ୍ଥ ହୋଇ ଲିଖିତ ଅଭିଯୋଗ ଦାଖଲ କରିଥିଲେ । ଅଭିଯୋଗକୁ ଭିତ୍ତି କରି ପାଇକମାଲ ଥାନାରେ କେସ୍ ନଂ–୧୭୫/୨୬ ରୁଜୁ କରାଯାଇଥିଲା । ପୁଲିସ ଘଟଣାର ତଦନ୍ତ ଆରମ୍ଭ କରି ସମ୍ପୃକ୍ତ ବ୍ୟକ୍ତିଙ୍କ ବୟାନ ସଂଗ୍ରହ କରିବା ସହ ପ୍ରାଥମିକ ତଦନ୍ତ ପରେ ଅଭିଯୁକ୍ତ ନିର୍ମଳ ବେଣ୍ଟକରଙ୍କୁ ଗିରଫ କରିଥିଲା । ପରେ ତାଙ୍କର ଡାକ୍ତରୀ ପରୀକ୍ଷା କରାଯାଇ ପଦ୍ମପୁର କୋର୍ଟକୁ ଚାଲାଣ କରାଯାଇଥିବା ପୁଲିସ ପକ୍ଷରୁ ସୂଚନା ମିଳିଛି । ପାଇକମାଲ ଥାନାଧିକାରୀ କୈଳାସ ଚନ୍ଦ୍ର ପ୍ରଧାନ କହିଛନ୍ତି ଯେ, ପୀଡ଼ିତାଙ୍କ ଅଭିଯୋଗ ଆଧାରରେ ମାମଲା ରୁଜୁ କରାଯାଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଘଟଣାର ସମସ୍ତ ଦିଗକୁ ନେଇ ତଦନ୍ତ ଜାରି ରହିଛି ଏବଂ ତଦନ୍ତରେ ଯାହା ତଥ୍ୟ ସାମ୍ନାକୁ ଆସିବ, ସେହି ଅନୁଯାୟୀ ପରବର୍ତ୍ତୀ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ।