ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ଜିଲ୍ଲାରେ ରବିଧାନର ଅଭାବୀ ବିକ୍ରି ଓ ଅବ୍ୟବସ୍ଥାକୁ ନେଇ ଜିଲ୍ଲା ବିଜେପି ପକ୍ଷରୁ ଜିଲ୍ଲା ଯୋଗାଣ ବିଭାଗ ଅଫିସ ଆଗରେ ବିକ୍ଷୋଭ ସହ ଧାରଣା ଦିଆଯାଇଛି । ଜିଲ୍ଲା ବିଜେପି ସଭାପତି ପ୍ରମୋଦ ମହାପାତ୍ରଙ୍କ ନେତୃତ୍ୱରେ ଶତାଧିକ ବିଜେପି କର୍ମୀ ଓ କୃଷକ ମୋର୍ଚ୍ଚାର ସଦସ୍ୟଙ୍କ ସହ ଚାଷୀମାନେ ଧାନବିକ୍ରି ସମସ୍ୟା ଓ ସମାଧାନକୁ ନେଇ ଆନ୍ଦୋଳନ କରିଛନ୍ତି । ଲେପ୍ସ ହୋଇଥିବା ଟୋକନକୁ ପୁନଃକ୍ଷମ କରିବା, ମଣ୍ଡିଗୁଡିକରେ ଧାନକ୍ରୟ, ମଣ୍ଡିରେ ଅବିଚାରିତ ଭାବେ ଚାଲିଥିବା କଟନି ଛଟନି ବନ୍ଦ ସହ ପଂଜିକୃତ ଚାଷୀଙ୍କ ଧାନ ଉଠାଣ ଓ ଆଗାମୀ ୧୫ଦିନ ପର୍ଯ୍ୟନ୍ତ ଧାନବିକ୍ରୟ ଅବଧି ବଢାଇବା ପରି ୫ଦଫା ଦାବୀପତ୍ରକୁ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ଦିଆଯାଇଛି । କୃଷିପ୍ରଧାନ ସୁବର୍ଣ୍ଣପୁର ଜିଲ୍ଲାର ଚାଷୀଙ୍କ ଉତ୍ପାଦିତ ରବିଧାନ ବିକ୍ରୟ ସମସ୍ୟାର ସମାଧାନ ନହେଲେ ଆଗାମୀ ଦିନରେ ଜୋରଦାର ଆନ୍ଦୋଳନ ହେବ ବୋଲି ଜିଲ୍ଲା ବିଜେପି ପକ୍ଷରୁ ଚେତାବନୀ ଦିଆଯାଇଛି ।