ଭୁବନେଶ୍ୱର, (କେପିଏନ୍ଏସ୍) : ଡବଲ୍ ଇଞ୍ଜିନ୍ ସରକାର ଉପରେ ପ୍ରଚଣ୍ଡ ବର୍ଷିଛି ଆଜି ବିଜେଡ଼ି – ଡବଲ୍ ଇଞ୍ଜିନ୍ କ’ଣ କଲ, ଦରବୃଦ୍ଧିରେ ଲୋକେ ହେଲେଣି କଲବଲ । ଅସହ୍ୟ ଦରବୃଦ୍ଧି ପ୍ରତିବାଦରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଭୁବନେଶ୍ଵରର ରାଜରାସ୍ତାରେ ବିଶାଳ ଗଣବିକ୍ଷୋଭ ଦେଖିବାକୁ ମିଳିଛି । ବିଜେଡ଼ି ପକ୍ଷରୁ କୁହାଯାଇଛି ଯେ, ଅତ୍ୟାବଶ୍ୟକ ସାମଗ୍ରୀର ଦର ଏବେ ଆକାଶ ଛୁଆଁ । ବଜାର ଉପରେ ସରକାରଙ୍କ ନିୟନ୍ତ୍ରଣ ନାହିଁ । ଆଇ ମା’ କାହାଣୀ କହି ସରକାର ଖୁସି । ସାଧାରଣ ଲୋକଙ୍କ ପାଇଁ ବଞ୍ଚିବା କଷ୍ଟ ହୋଇ ଗଲାଣି । ପୁଣି ବିଜେଡ଼ି କହିଛି, ସରକାର ଗଠନର ସାତ ମାସ ହୋଇଗଲା । କେବଳ ଲମ୍ବା ଲମ୍ବା ଭାଷଣ ଆମେ ଶୁଣୁଛୁ । କିନ୍ତୁ କାମ ଘର ଶୂନ । ଦରଦାମ ବଢ଼ି ବଢ଼ି ଚାଲିଛି କିନ୍ତୁ ଆକ୍ସନ୍ କିଛି ନାହିଁ । ବିଜେପି ସରକାରଙ୍କୁ କଟାକ୍ଷ କରି ବିଜେଡ଼ି କହିଛି, ବିଜେପି ସରକାର ଟ୍ରେଲରରେ ଗୋଲାପୀ ଚିତ୍ର ଦେଖାଇଲେ । କିନ୍ତୁ ଫିଲ୍ମ ରିଲିଜ ହେଲା ‘ଏମ୍ଏମ୍ ସରକାର, ମହଙ୍ଗା ମାଡ଼ ସରକାର’ । ସାଢ଼େ ଚାରି କୋଟି ଓଡ଼ିଆଙ୍କ ପ୍ରତିବାଦ ହିଁ ଏ ସରକାରଙ୍କ ଅସଲ ଚେହେରା ଖୋଲିଦେବ । ବିଜେଡ଼ିର ବିଶାଳ ଗଣବିକ୍ଷୋଭ ଆଜି ଭୁବନେଶ୍ୱର ସହରରେ ବିଜେଡ଼ିର ଦମ୍ ଦେଖାଇଥିବା ସମର୍ଥକମାନେ ଆଲୋଚନା କରୁଛନ୍ତି ।