
- କୀର୍ତ୍ତନ ଗାୟିକା ଓ ଆଲବମ୍ ଅଭିନେତ୍ରୀ ଜସ୍ମିନଙ୍କ ମୃତ୍ୟୁରେ ଶୋକର ଛାୟା
ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଖପ୍ରାଖୋଲ ଥାନା ଅନ୍ତର୍ଗତ ତେଲେନପାଲି ପଞ୍ଚାୟତର ଘୁଚାପାଲି ଗ୍ରାମର ଯୁବ କଳା ପ୍ରତିଭା ଜସ୍ମିନ ମାଝୀ (୨୨)ଙ୍କ ଅକାଳ ବିୟୋଗରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଗତ ୨୫ ତାରିଖ ସନ୍ଧ୍ୟା ପ୍ରାୟ ୫ଟା ସମୟରେ ଜସ୍ମିନ ଏସିଡ୍ ପିଇଦେଇଥିବା ଖବର ଜଣାପଡ଼ିଥିଲା । ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ପ୍ରଥମେ ଖପ୍ରାଖୋଲ ଡାକ୍ତରଖାନାକୁ ନିଆଯାଇଥିଲା । ପରେ ବଲାଙ୍ଗିର ଓ ଶେଷରେ ବୁର୍ଲା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ତେବେ ରବିବାର ଚିକିତ୍ସାଧୀନ ଅବସ୍ଥାରେ ଜସ୍ମିନଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ଜସ୍ମିନ ଅଞ୍ଚଳରେ ଜଣେ ପରିଚିତ କୀର୍ତ୍ତନ ଗାୟିକା ଭାବେ ନିଜର ସ୍ୱତନ୍ତ୍ର ପରିଚୟ ଗଢ଼ିଥିଲେ । ତାଙ୍କ କଣ୍ଠର ମାଧୁର୍ଯ୍ୟ ଓ କଳା ପ୍ରତିଭା ତାଙ୍କୁ ଅଳ୍ପ ବୟସରେ ହିଁ ଲୋକପ୍ରିୟ କରିଥିଲା । ଏଥିସହ ସେ ବିଭିନ୍ନ ସମ୍ବଲପୁରୀ ଆଲବମ୍ରେ ଅଭିନୟ କରି ଦର୍ଶକଙ୍କ ନିକଟରେ ମଧ୍ୟ ପରିଚିତ ହୋଇଥିଲେ । ନିଜ ପ୍ରତିଭା ଓ କଳାର ମାଧ୍ୟମରେ ସେ ଅଞ୍ଚଳର ନାମକୁ ଆଗକୁ ନେବାରେ ନିଜର ଅବଦାନ ରଖିଥିଲେ । ତେବେ କେଉଁ ପରିସ୍ଥିତିରେ ସେ ଟାଇଲ୍ସ ସଫା କରିବା ପାଇଁ ରଖାଯାଇଥିବା ଏସିଡ୍ ପିଇଥିଲେ, ତାହା ସ୍ପଷ୍ଟ ହୋଇନାହିଁ । ତାଙ୍କ ବାପାଙ୍କ କହିବାନୁଯାୟୀ, ଜସ୍ମିନ ଭୁଲବଶତଃ ଏସିଡ୍କୁ ପାଣି ଭାବି ପିଇଦେଇଥିଲେ । ଘଟଣାର ପ୍ରକୃତ କାରଣ ସମ୍ପର୍କରେ ଅଧିକ ସୂଚନା ମିଳିନାହିଁ । ଅତି ଅଳ୍ପ ବୟସରେ ଜଣେ ଉଦୀୟମାନ କଳା ପ୍ରତିଭାଙ୍କୁ ହରାଇବା ଘଟଣା ଅଞ୍ଚଳବାସୀ, କଳାପ୍ରେମୀ ଓ ତାଙ୍କ ପରିଚିତ ମହଲରେ ଗଭୀର ଶୋକ ସୃଷ୍ଟି କରିଛି । ଜସ୍ମିନଙ୍କ କଣ୍ଠର ସ୍ୱର ଓ ଅଭିନୟର ସ୍ମୃତି ଏବେ ଅନେକଙ୍କ ମନରେ ଅମ୍ଳାନ ରହିବ । ତାଙ୍କ ଅକାଳ ବିୟୋରେ ଅଞ୍ଚଳର କଳାଜଗତରେ ଏକ ଅପୂରଣୀୟ ଶୂନ୍ୟତା ସୃଷ୍ଟି ହୋଇଛି ।