ଫୁଲକିମୁଣ୍ଡା ଉଚ୍ଚ ବିଦ୍ୟାଳୟ ଏବଂ ହରିଶଙ୍କର ବନାଞ୍ଚଳ ଅଧିକାରୀଙ୍କ କାର୍ଯ୍ୟାଳୟଠାରେ ବିଶ୍ୱ ପରିବେଶ ଦିବସ ପାଳିତ

ଖପ୍ରାଖୋଲ, (ଅଶୋକ ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଫୁଲକିମୁଣ୍ଡା ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଆନୁକୂଲ୍ୟରେ ସୋମବାର ସକାଳ ୯:୩୦ ସମୟରେ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ସ୍କୁଲ ପରିସରରେ ଗୋଟିଏ ସଭାର ଆୟୋଜନ ହୋଇଥିଲା । ଉକ୍ତ ସଭାରେ ସ୍କୁଲ ପ୍ରଧାନ ଶିକ୍ଷକ ଗୋପାଲ ଚନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ଖପ୍ରାଖୋଲ ତହସିଲଦାର ଆଦିତ୍ୟ ପ୍ରସାଦ ମିଶ୍ର, ମୁଖ୍ୟବକ୍ତା ଭାବେ ହରିଶଙ୍କର ବନାଞ୍ଚଳ ଅଧିକାରୀ ଗିରଧାରୀ ନାଗ, ସମ୍ମାନିତ ଅତିଥି ଭାବେ ଖପ୍ରାଖୋଲ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ମିନିକେତନ ବରିହା, ସ୍କୁଲ କମିଟି ସଭାପତି ହରିହର ମାଝୀ ସମାଜସେବୀ ମୋହନ ସୁନା, ସାମ୍ବାଦିକ ଅଭୟ ତ୍ରିପାଠୀ ମଞ୍ଚାସୀନ ଥିଲେ । ବିଶ୍ୱ ପରିବେଶ ଦିବସ ପାଳନ କରିବାର ମୁଖ୍ୟ କାରଣ ହେଉଛି ଲୋକଙ୍କୁ ପରିବେଶ ବିଷୟରେ ଅବଗତ କରାଇବା । ମିଳିତ ଜାତିସଂଘ ୧୯୭୨ ଜୁନ୍‌ ୫ରେ ବିଶ୍ୱ ପରିବେଶ ଦିବସ ପାଳନ ପାଇଁ ଏକ ବୈଠକ କରିଥିଲା । ବୈଠକ ପରେ ଏହି ଦିବସ ପାଳନ ପାଇଁ ନିଷ୍ପତ୍ତି ହୋଇଥିଲା । ତେବେ ଏହି ଦିବସ ସେତେବେଳ ସଫଳ ହେବ ଯେତେବେଳେ ସମସ୍ତେ ପରିବେଶର ଯତ୍ନ ନେବେ । ବିଶ୍ୱର ପ୍ରାୟ ୧୪୩ଟି ରାଷ୍ଟ୍ରରେ ଏହି ଦିବସ ପାଳନ କରାଯାଇଥାଏ । ମଣିଷ ନିଜର ଜାଣତରେ ହେଉ କିମ୍ବା ଅଜାଣତରେ ପରିବେଶ ପ୍ରତି ଅନେକ ଅନ୍ୟାୟ କରିଥାଏ । ନିଜର ଉନ୍ନତି ଓ ଜୀବିକା ନିର୍ବାହ ପାଇଁ ଗଛ କାଟିବାଠାରୁ ଆରମ୍ଭ କରି କଳ କାରଖାନା ପ୍ରତିଷ୍ଠା, ଯାନବାହନ ତିଆରି ଆଦି ଅନେକ ଜିନିଷ କରିଥାଏ । ଆଉ ଏଥିରୁ ନିର୍ଗତ ହେଉଥିବା ଧୂଆଁ ପରିବେଶ ପ୍ରଦୂଷଣ କରିଥାଏ । ପ୍ଲାଷ୍ଟିକର ବହୁଳ ବ୍ୟବହାର ପରିବେଶ ପ୍ରଦୂଷଣର ଅନ୍ୟତମ ପ୍ରମୁଖ କାରଣ । ସୁସ୍ଥ ସମାଜ ଗଠନ କରିବାକୁ ହେଲେ ଆମ ପରିବେଶକୁ ସ୍ୱଚ୍ଛ ଏବଂ ନିର୍ମଳ ରଖିବାକୁ ପଡ଼ିବ । ମଣିଷ ଏବଂ ପରିବେଶ ମଧ୍ୟରେ ବହୁତ ଗଭୀର ସମ୍ପର୍କ ରହିଛି । ପ୍ରକୃତି ବିନା ଜୀବନ ସମ୍ଭବ ନୁହେଁ । ପରିବେଶ କ୍ରମାଗତ ଭାବରେ ଦୂଷିତ ହେଉଛି, ଯାହା ଆମ ଜୀବନରେ ଗଭୀର ପ୍ରଭାବ ପକାଉଛି । ପରିବେଶର ଯତ୍ନ ନେବାକୁ ଏହି ଦିବସ ସମସ୍ତଙ୍କୁ ବାର୍ତ୍ତା ଦେଇଥାଏ । ପ୍ରତ୍ୟେକ ବ୍ୟକ୍ତିଙ୍କୁ ବୁଝିବାକୁ ପଡ଼ିବ ଯେ, ପରିବେଶ ସୁସ୍ଥ ରହିଲେ ମଣିଷ ସୁସ୍ଥ ରହିବ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ କ୍ଵିଜ ପ୍ରତିଯୋଗିତା, ଚିତ୍ରାଙ୍କନ ପ୍ରତିଯୋଗିତା ହୋଇଥିବା ବେଳେ ପ୍ରତିଯୋଗିତାରେ ପ୍ରଥମ, ଦ୍ଵିତୀୟ ଏବଂ ତୃତୀୟ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀଙ୍କୁ ଟ୍ରଫି ଦେଇ ସମ୍ବର୍ଦ୍ଧିତ କରଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସ୍କୁଲ ଶିକ୍ଷକ ଭୁବନେଶ୍ୱର ପୃଷ୍ଟି, ଅମର ସିଂ ମାଝୀ, ଶିକ୍ଷୟିତ୍ରୀ ଅତସୀ ସାହୁ, ନୀଳିମା କୁମାରୀ ମିଶ୍ର, ସ୍କୁଲର ପୁରାତନ ଛାତ୍ର ତଥା ବର୍ତ୍ତମାନ ଖପ୍ରାଖୋଲ ଉଚ୍ଚ ବିଦ୍ୟାଳୟର ହିନ୍ଦୀ ଶିକ୍ଷକ ମୁରଲୀଧର ମେହେର ଏବଂ ସ୍କୁଲର ସମସ୍ତ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମ ଶେଷରେ ସ୍କୁଲ ଶିକ୍ଷକ ଭୁବନେଶ୍ୱର ବେହେରା ଧନ୍ୟବାଦ ଅର୍ପଣ କରି ସଭା ସମାପନ କରିଥିଲେ । ସେହିପରି ହରିଶଙ୍କର ବନାଞ୍ଚଳ ଅଧିକାରୀଙ୍କ କାର୍ଯ୍ୟାଳୟଠାରେ ସମସ୍ତ ବନ କର୍ମଚାରୀଙ୍କ ଉପସ୍ଥିତିରେ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଥିବା ଜଣାପଡିଛି ।

Leave A Reply

Your email address will not be published.